ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

Get real time updates directly on you device, subscribe now.

ଜଗତସିଂହପୁର (ରାକେଶ କୁମାର ରାୟ ): ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ଆନୁଷ୍ଠାନିକ ପରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ଦେଶର ସ୍ୱାଧୀନତା ପାଇଁ ନିଜର ନିଃସ୍ଵାର୍ଥପର ତ୍ୟାଗ, ବଳିଦାନ ଓ ଆଦର୍ଶରେ ଅମର ହୋଇଥିବା ମହାନ୍ ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟ ରେ ନିଜର ପ୍ରଣାମ ଜଣାଇଥିଲେ।ଦେଶର ମହାନ୍ ସ୍ଵାଧୀନ ଚେତା ନେତୃବୃନ୍ଦ ପଣ୍ଡିତ ଜବାହରଲାଲ ନେହେରୁ,ସର୍ଦ୍ଦାର ପଟେଲ,ଲାଲା ଲଜପତ୍ ରାୟ ଙ୍କ ସମେତ ଓଡ଼ିଶାର ବରେଣ୍ୟ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଧରଣୀ ଧର ଭୂୟାଁ,ବିର୍ସା ମୁଣ୍ଡା ଙ୍କ ପରି ତ୍ୟାଗି ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାଣୀକ୍ଷେତ୍ର ଜଗତସିଂହପୁର ର ସୁଯୋଗ୍ୟ ସନ୍ତାନ ଭାଗିରଥି ମହାପାତ୍ର, ଗୋପବନ୍ଧୁ ଚୌଧୁରୀ , ପ୍ରାଣକୃଷ୍ଣ ପଢ଼ିଆରୀ,ମା ରମାଦେବୀ ,ସରଳା ଦେବୀ, ନବକୃଷ୍ଣ ଚୌଧୁରୀ ଓ ଅନ୍ନପୂର୍ଣ୍ଣା ମହାରଣା ଙ୍କ ପରି ଚିର ନମସ୍ୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନିଜର ଶ୍ରଦ୍ଧା ଅର୍ଘ୍ୟ ଅର୍ପଣ କରିଥିଲେ। ସ୍ବାଧୀନତାର ୭୮ ବର୍ଷ ପରେ ଓଡ଼ିଶାର ଗର୍ବ ଓ ଗୌରବ ଯେ ବିଶ୍ୱ ଦରବାରରେ ବିଦିତ ଏଵଂ କୃଷି, ସ୍ବାସ୍ଥ୍ୟ, ଶିକ୍ଷା,ଗମନାଗମନ, ବାଣିଜ୍ୟ, କ୍ରୀଡ଼ା,ଓ ଶିଳ୍ପ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି ଜିଲ୍ଲାପାଳ କହିଥିଲେ। ଉପସ୍ଥିତ ଯୁବ ତଥା ଛାତ୍ର ସମାଜ କୁ ସ୍ବାଧୀନତା ର ପ୍ରକୃତ ମୂଲ୍ୟ ବୁଝି ଏହାର ସୁରକ୍ଷା ଦିଗରେ ବ୍ରତୀ ହେବାପାଇଁ ଉପଦେଶ ଦେଇଥିଲେ। ଅନୁସନ୍ଧିତ୍ସୁ ହୋଇ ତଥ୍ଯ କୁ ବିଶ୍ଳେଷଣ କରିବା ସହ ପରଂପରାଗତ ରୁଢୀବାଦୀ ଚିନ୍ତାଧାରା କୁ ନିଜର ଉନ୍ନତ, ସୃଜନଶୀଳ ପ୍ରଶ୍ନବାଚୀ ଦ୍ୱାରା ଏକ ପରିବର୍ତ୍ତନ ର ସ୍ୱର ଆଣିବାପାଇଁ ସେ ଯୁବଶକ୍ତି କୁ ଉତ୍ସାହିତ କରିଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦ୍ଗାତା ମୁଖ୍ୟ ଅତିଥି ଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ଆଣିଥିଲେ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପାରାଦୀପର ଛାତ୍ର ଶ୍ରୀ ଧୃତି ସୁନ୍ଦର ସ୍ୱାଇଁ ଙ୍କୁ ମୁଖ୍ୟ ଅତିଥି ପାଞ୍ଚଜନ୍ୟ ସାଂସ୍କୃତିକ ଓ ସାମାଜିକ ପରିଷଦ, ପୂର୍ଣ୍ଣ ଚନ୍ଦ୍ର ସ୍ମାରକ ମେଧାବୃତ୍ତି ଏବଂ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ପୁରସ୍କାର ସ୍ଵରୂପ ନଗଦ ଅର୍ଥ,ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା , ଦେଶାତ୍ମବୋଧକ ସଙ୍ଗୀତ, ଜଣାଅଜଣା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ପ୍ୟାରେଡରେ ମୋଟ ୨୩ ଟି ଦଳ ଭାଗ ନେଇଥିଲେ ଓ ସେମାନଙ୍କ ମଧ୍ୟରୁ ୟୁନିଫର୍ମ ଗ୍ରୁପ ରୁ ପୁରୋହିତପୁର ଉଚ୍ଚ ବିଦ୍ୟାଳୟ ସ୍କାଉଟ୍,ସିନିୟର୍ ସିଭିଲିଆନ ଦଳରୁ ଜଗତସିଂହପୁର ପବ୍ଲିକ୍ ସ୍କୁଲ୍, ଜୁନିୟର୍ ସିଭିଲିଆନ ଦଳରୁ ଶୁଦ୍ଧାନନ୍ଦ ବିଦ୍ୟାଳୟ ଶ୍ରେଷ୍ଠ ବିବେଚିତ ହୋଇ ମୁଖ୍ୟ ଅତିଥିଙ୍କ ଠାରୁ ସିଲ୍ଡ ଗ୍ରହଣ କରିଥିଲେ।ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାପାଳ ଜଗତସିଂହପୁର ପୌର ପରିଷଦ ପକ୍ଷରୁ ପ୍ରଦର୍ଶନ କରାଯାଇଥିବା ପ୍ରଜ୍ଞାପନ ମେଢ଼ ର ପ୍ରଶଂସା କରିବା ସହ ପୁରସ୍କୃତ କରିଥିଲେ। ପରେ ଶୁଦ୍ଧାନନ୍ଦ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ରସଲପୁର, ଡିଭାଇନ୍ ଇନଟିଗ୍ରୀଟି ବିଦ୍ୟାଳୟ ଓ ଡ୍ରିମ ଇଣ୍ଡିଆ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ଷ୍ଟାଡିୟମ୍ ପରିସରରେ ବୃକ୍ଷରୋପଣ କରିଥିଲେ। ପୂର୍ବାହ୍ନ ୮ଘ.୩୦ ମିନିଟ ସମୟରେ ମୁଖ୍ୟ ଅତିଥି ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପ୍ୟାରେଡ୍ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଏବଂ ପରେ ଜିଲ୍ଲା କାରାଗାର ଆଳିପିଙ୍ଗଳ ର ଅନ୍ତେବାସୀଙ୍କୁ ଫଳବଣ୍ଟନ କରିଥିଲେ। ଚଳିତ ବର୍ଷ ହର ଘର ତ୍ରିରଙ୍ଗା ଅଭିଯାନ ଅନ୍ତର୍ଗତ ମୁଖ୍ଯ ଅତିଥି ତଥା ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣ ତ୍ରିରଙ୍ଗା ସେଲ୍ଫି ପଏଣ୍ଟ ରେ ତ୍ରିରଙ୍ଗା ପତାକା ସହ ସେଲ୍ଫି ଉଠାଇ ଥିଲେ ।ପ୍ରତ୍ୟୁଷ ରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ରେକର୍ଡ ଯୋଗେ ସହରରେ ପରିବେଷଣ କରାଯାଇଥିଲା।ଏହି ଉତ୍ସବରେ ଜିଲ୍ଲା ପରିଷଦର ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ଶ୍ରୀ ସମ୍ବିତ୍ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଶ୍ରୀ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ, ଶ୍ରୀ ନିରଞ୍ଜନ ବେହେରା,ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ, ଶ୍ରୀ ରବିନାରାୟଣ ଜେଠୀ,ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ , ଏସ ଡି ପି ଓ ଶ୍ରୀ ଅଜିଙ୍କା ମାଣେ,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ,ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଶୋଇ,ଜିଲ୍ଲା ସ୍ତରୀୟ ଅଧିକାରୀ , ସହରର ବୁଦ୍ଧିଜୀବୀ, ଆଇନଜିବୀ,ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଉମାକାନ୍ତ ବେହେରା ପ୍ୟାରେଡ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ପରିଚାଳନା କରିଥିବା ବେଳେ ଶିକ୍ଷାବିତ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ତ୍ରିରଙ୍ଗା କନ୍ସର୍ଟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons