ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ଦ୍ଵାରା ଜିଲ୍ଲା ପରିଦର୍ଶନ ଓ ସମୀକ୍ଷା ବୈଠକ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା, ଶ୍ରୀମତି ବବିତା ପାତ୍ର ଓ ସଦସ୍ୟା, ଶ୍ରୀମତି କସ୍ତୁରୀ ମିଶ୍ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାର ଶିଶୁ ସୁରକ୍ଷା ବିଷୟରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଶିଶୁ ମାନଙ୍କର ମୌଳିକ ଅଧିକାର ଉପରେ ଗୁରୁତ୍ବ ଦେବା ପାଇଁ ଉପଦେଶ ଦେଇଥିଲେ । ଶ୍ରୀମତି ବବିତା ପାତ୍ର, ଅଧ୍ୟକ୍ଷା ମହୋଦୟା କହିଥିଲେ ଯେ ଆଜିର ଶିଶୁ ବିକଶିତ ଭାରତ ର ଆଧାର, ଏଥିପ୍ରତି ଆମେ ଗୁରୁତ୍ଵ ଦେବା ଆବଶ୍ୟକ । ସେ ଶିଶୁ ଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ସହ ଯୋଜନା ଗୁଡ଼ିକ କିପରି ଗୋଟିଏ ଶିଶୁ ପାଖରେ ପହଞ୍ଚିବ ସେହି ଉପରେ ଗୁରୁତ୍ବ ଦେବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଳାର ଅଙ୍ଗନବାଡ଼ି ଗୁଡିକ କିପରି ସକ୍ଷମ ହୋଇପାରିବ ସେ ପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଛତୁଆ କେନ୍ଦ୍ର ଗୁଡ଼ିକ ପରିଦର୍ଶନ କରି ସ୍ଥିତି ବୁଝିବା ପାଇଁ ସେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କୁ ମଧ୍ୟ କହିଥିଲେ ଯାହା ଦ୍ଵାରା ଶିଶୁ ଟି ସଠିକ୍ ମାନର ପୋଷଣ ପାଇପାରିବ । ଶିଶୁ ଶ୍ରମିକ ର ହାର କମେଇବା ପାଇଁ ପ୍ରଚେଷ୍ଟା କରିବାକୁ କହିଥିଲେ । ଶିଶୁ ଆଶ୍ରମ ର ସଂଖ୍ୟା କୁ କମେଇବା ପାଇଁ ପ୍ରୟାସ ରହିବା ଦରକାର ବୋଲି କହିଥିଲେ ଯାହା ଫଳରେ ଶିଶୁ ଟି ଏକ ପରିବାର ପରିବେଶ ରେ ବଢ଼ିପାରିବ । ବ୍ଲକ୍, ତହସିଲ ଓ ପଞ୍ଚାୟତ ଅଫିସ୍ ଓ ବିଦ୍ୟାଳୟ ଗୁଡିକରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଇତ୍ୟାଦି ଉପରେ ସଚେତନତା ପ୍ରୋଗ୍ରାମ କରିବା ପାଇଁ ଉପଦେଶ ଦେଇଥିଲେ । ଉଭୟ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି ସମ୍ମନ୍ୱୟରେ କାର୍ଯ୍ୟ କରିବା ଜରୁରୀ ବୋଲି କହିଥିଲେ । ଏଥି ସହିତ ସଂପୃକ୍ତ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଆଜି ସେ ପ୍ରଥମେ ତିର୍ତ୍ତୋଲ ଥାନା ଯାଇ ମହିଳା ଓ ଶିଶୁ ଡେସ୍କ ର କାର୍ଯ୍ୟଧାରା ପରିଦର୍ଶନ କରିଥିଲେ, ତତ୍ ପରେ ତିର୍ତ୍ତୋଲ ବ୍ଲକ୍ ଅଧୀନସ୍ଥ ବଫାପୁର ଅଙ୍ଗନବାଡ଼ି ପରିଦର୍ଶନ କରିଥିଲେ ଓ ପରେ ବନବିହାରୀ ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହା ପରେ ଜଗତସିଂହପୁର ବ୍ଲକ୍ ଅଧୀନସ୍ଥ ନରେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ପୂନଙ୍ଗ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ଉକ୍ତ ଗସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କାହ୍ନୁଚରଣ ରାଉତ ପରିଚାଳନା କରିଥିଲେ । ଶ୍ରୀମତି କସ୍ତୁରୀ ମିଶ୍ର, ସଦସ୍ୟା ମହୋଦୟ ମଧ୍ୟ ଶିଶୁ ସୁରକ୍ଷା କୁ ଅତ୍ୟନ୍ତ ଗୁରୁତ୍ବ ଭାବରେ ନେବା ପାଇଁ ସମସ୍ତଙ୍କୁ ଉପଦେଶ ଦେଇଥିଲେ । ଏହି ବୈଠକରେ ଉପସ୍ଥିତ ରହି ଡି ଏସ ପି ଶ୍ରୀ ରଶ୍ମି ରଞ୍ଜନ ଦାସ ମଧ୍ୟ ତାଙ୍କର ମନ୍ତବ୍ୟ ରଖିଥିଲେ । ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷା, କିଶୋର ନ୍ୟାୟ ବୋର୍ଡ ର ଅଧ୍ୟକ୍ଷ, ଜିଲ୍ଲା ଶ୍ରମ ବିଭାଗ ର ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମାଜ ସେବୀ ସମସ୍ତ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons