କଟକ,(ବି.ବି.ନ୍ୟୁଜ୍): କଟକ ସହରରେ ତିନି ତିନି ଜଣଙ୍କୁ ତଣ୍ଟିକାଟି ହତ୍ୟା କରିଥିବା ଆତତାୟୀ ‘ନାଇଫ୍ ମ୍ୟାନ୍’କୁ ଗିରଫ କରିଛି କଟକକମିସନରେଟ୍ ପୁଲିସ । ଦୁଇ ଦିନରେ ୩ଜଣଙ୍କୁ ହତ୍ୟା କରିଥିବା ଏହି ସିରିଏଲ୍ କିଲର ଗଲା ୫ ଦିନ ହେବ କଟକ ପୁଲିସକୁ ନୟାନ୍ତ କରିଦେଇଥିଲା । ୫ ଦିନର ଛକାପଞ୍ଝା ପରେ କଟକ ପୁଲିସ ହତ୍ୟାକାରୀକୁ ଗଞ୍ଜାମରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମର ନାରାୟଣ ସାହୁ(୩୫) । ଗତ ୨୪ ତାରିଖ ହତ୍ୟାକାଣ୍ଡ ପରେ ପୁଲିସର ତନାଘନା ଦେଖି ନାରାୟଣ କଟକ ଛାଡ଼ି ପଳାଇଥିଲା । ହତ୍ୟାକାଣ୍ଡ ସଂପର୍କରେ ଅଧିକ ଜାଣିବା ତଥ୍ୟ ପାଇଁ ପୁଲିସ ନାରାୟଣକୁ ଏକ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ।
ଗତ ୨୩ ତାରିଖ ଓ ୨୪ ତାରିଖରେ କଟକ ସହରରେ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ତିନିଟି ଘଟଣାରେ ଅଭିଯୁକ୍ତ ଏକ ଛୁରି ସାହାଯ୍ୟରେ ବେକ କାଟି ହତ୍ୟା କରିଥିଲା । ହତ୍ୟାକାଣ୍ଡର ତରିକା ସମାନ ହୋଇଥିବାରୁ ଏହା ପଛରେ କୌଣସି ଏକ ସିରିଏଲ୍ କିଲରର ହାତ ଥିବା ସନ୍ଦେହ କରି ପୁଲିସ ଜୋରଦାର ତଦନ୍ତ ଆରମ୍ଭ କରିଥିଲା । ତିନିଟି ସ୍ପେସାଲ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା । ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଏଡିସିପି ତ୍ରିନାଥ ମିଶ୍ର, କ୍ରାଇମବ୍ରାଞ୍ଚର ବରିଷ୍ଠ ଡିଏସ୍ପି ପ୍ରମୋଦ ରଥ ଓ ସ୍ପେସାଲ୍ ସ୍କ୍ୱାଡ୍ର ଇନ୍ସପେକ୍ଟର ଅଜୟ ଦାସଙ୍କୁ ତଦନ୍ତରେ ସାମିଲ କରାଯାଇଥିଲା । ତେବେ ସଂପୂର୍ଣ୍ଣ ବ୍ଲାଇଣ୍ଡ୍ କୁହାଯାଉଥିବା ଏହି ମାମଲାର ମୁଖ୍ୟ ଆସାମୀ ପାଖରେ ପହଞ୍ଚିବାକୁ ହେଲେ ସିସିଟିଭି ଫୁଟେଜ୍ ହିଁ ଏକମାତ୍ର ଉପାୟ ଥିଲା । ମାତ୍ର ହତ୍ୟାସ୍ଥଳ ପାଖରେ କିଛି ସିସିଟିଭି ନଥିବାରୁ ଏହା ଏତେଟା ସହଜ ହୋଇନଥିଲା । ଫଳରେ ଓଏମ୍ପି ଛକଠାରୁ ରାଣୀହାଟ ଛକ ଓ ଏସ୍ସିବି ମେଡିକାଲ୍ କଲେଜ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସମସ୍ତ ସିସିଟିଭି ଫୁଟେଜ୍କୁ ସଂଗ୍ରହ କରି ଛାନ୍ଭିନ୍ ଆରମ୍ଭ କରିଥିଲା । ପ୍ରାୟ ଶହେ ଘଣ୍ଟାରୁ ଅଧିକ ସମୟର ଫୁଟେଜ୍ ଦେଖିବା ପରେ ପୁଲିସକୁ ଦୁଇଟି ସୁରାକ ମିଳିଥିଲା । ଗୋଟିଏ ହେଲା ଏସ୍ସିବିରେ ପ୍ରାଣ ହରାଇଥିବା ବୃଦ୍ଧଙ୍କୁ ସିରିଏଲ୍ କିଲର୍ ଓଏମ୍ପି ପାଖରେ ଆକ୍ରମଣ କରିଥିଲା । ସେ ଚିକିତ୍ସା ପାଇବା ଆଶାରେ ଜଣେ ବାଇକ ଆରୋହୀ ଠାରୁ ଲିଫ୍ଟ ନେଇ ଏସ୍ସିବି ପର୍ଯ୍ୟନ୍ତ ଆସିବାରେ ସଫଳ ହୋଇଥିବା ଜଣାପଡ଼ିଥିଲା । ସେହିପରି ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଉକ୍ତ ବାଇକ୍ ଆରୋହୀ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ଅନ୍ୟ ଏକ ସୁରାକ ହେଲା ଖୋଦ୍ ହତ୍ୟାକାରୀ ବା ସିରିଏଲ୍ କିଲର ‘ନାଇଫ୍ ମ୍ୟାନ୍’ର ଫଟୋ ମିଳିବା । ଷ୍ଟେସନ୍ ଠାରୁ କଲେଜ ଛକ ଓ ରାଣୀହାଟ ପର୍ଯ୍ୟନ୍ତ ଜବତ ସିସିଟିଭିରେ ଜଣେ ୩୫ରୁ ୪୦ ବର୍ଷର ସନ୍ଦିଗ୍ଧର ଫଟୋ ୨୪ ତାରିଖ ପୂର୍ବରୁ ସବୁ କ୍ୟାମେରାରେ ବିଭିନ୍ନ ସମୟରେ କଏଦ ହୋଇଥିଲା । ମାତ୍ର ୨୪ ତାରିଖ ପରର କୌଣସି ସିସିଟିଭି କ୍ୟାମେରାରେ ତାର ଫଟୋ ଦେଖିବାକୁ ମିଳିଲା ନାହିଁ । ଫଳରେ ପୁଲିସ ସେହି ବ୍ୟକ୍ତିକୁ ମୁଖ୍ୟ ସନ୍ଦିଗ୍ଧ ବୋଲି ଧରି ନେଇ ତାର ତଦନ୍ତ ଆରମ୍ଭ କଲା । ତେବେ ଦିନେ ଦୁଇଦିନ କଟକ ସହରରେ ଉକ୍ତ ଯୁବକଙ୍କୁ ଖୋଜିବାରେ ପୁଲିସ ଫେଲ୍ ମାରିବା ପରେ ୫ଟି ସ୍ପେସାଲ୍ ଟିମ୍ ଗଠନ କରାଯାଇ ଜିଲ୍ଲା ବାହାରକୁ ପଠାଗଲା । ଅବିଭକ୍ତ କଟକ ସହିତ ପୁରୀ, ଖୋର୍ଦ୍ଧା ଓ ଗଂଜାମ ଯାଇ ପୁଲିସ ତଦନ୍ତ କଲା । ଶେଷରେ ପୁଲିସକୁ ଏକ ବଡ଼ ସଫଳତା ମିଳିଲା । ଗଂଜାମ ଅଞ୍ଚଳରୁ ସୋମବାର ସକାଳୁ ସନ୍ଦିଗ୍ଧ ନାରାୟଣ ସାହୁକୁ ଧରିବାରେ ପୁଲିସ ସଫଳ ହେଲା । ପରେ ତାକୁ କଟକ ଅଣାଯାଇ ଅଧିକ ପଚରା ଉଚରା କରାଯାଉଛି । ଏପରିକି ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ମାରଣାସ୍ତ୍ରକୁ ଜବତ କରିବା ପାଇଁ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ସିରିଏଲ୍ କିଲିଂ ନେଇ ଆଗକୁ ସମସ୍ତ ରହସ୍ୟ ଖୋଲିବ ବୋଲି ଡିସିପି ଅଖିଳେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.