{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } : ସରକାରଙ୍କ ବିଧିବଦ୍ଧ ନିର୍ଦ୍ଦେଶନାମାକୁ ଖୁଲମ୍ ଖୁଲା ଉଲଘଂନ କରୁଥିଲେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ। ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା ଗାଡ଼ିର ନାମଫଳକ ଇଂରାଜୀ ଭାଷାରେ ଉଲ୍ଲେଖ କରି ଖୋଦ୍ ନିଜେ ବିଡ଼ିଓ ବ୍ୟବହାର କରି ଆସୁଥିଲେ।ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡ଼ିଓ ଙ୍କୁ ତାଗିଦ୍ କରାଯିବା ସହ ଓଡ଼ିଆ ଭାଷାରେ ନାମଫଳକ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହା ପରେ ଆଜି ବିଡ଼ିଓ ବ୍ୟବହାର କରୁଥିବା ଗାଡିରୁ ଇଂରାଜୀ ନାମଫଳକ କୁଆଡେ଼ ଉଭାନ ହୋଇଯାଇଥିଲା।ପର ମୁହୂର୍ତ୍ତରେ ଓଡ଼ିଆ ଭାଷାରେ ଲେଖା ଯାଇଥିବା ନାମଫଳକ ଗାଡ଼ିରେ ଦେଖିବାକୁ ମିଳିଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ କିମ୍ବା ବେସରକାରୀ ସଂସ୍ଥା ମାନଙ୍କରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଗୁରୁତ୍ଵ ଦେଉଥିବା ବେଳେ କୁଜଙ୍ଗ ବିଡ଼ିଓ ଏହାକୁ ଅମାନ୍ୟ କରି ନିଜ ଗାଡିରେ ଇଂରାଜୀ ଭାଷାରେ ନାମଫଳକ ଲଗାଇ ଦୀର୍ଘ ଦିନ ଧରି ବ୍ୟବହାର କରି ଆସୁଥିଲେ।ତେବେ ଏହାକୁ କୁଜଙ୍ଗର ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରିବା ସହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏହି ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସଂପୃକ୍ତ ବିଡ଼ିଓଙ୍କୁ ତାଗିଦ୍ କରିବା ପରେ ଆଜି ଓଡ଼ିଆ ଭାଷାକୁ ଗୁରୁତ୍ଵ ଦେଉଥିବା ଆଲୋଚନାର ପ୍ରସଙ୍ଗ ପାଲଟିଛି।


Comments are closed, but trackbacks and pingbacks are open.