କୃଷକ ପଞ୍ଜୀକରଣ ଓ ସାର ବଣ୍ଟନ ସଚେତନତା ପାଇଁ ପ୍ରଚାର ରଥ ଶୁଭାରମ୍ଭ

Get real time updates directly on you device, subscribe now.

{ ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡଙ୍କ ରିପୋର୍ଟ } : କୃଷକମାନଙ୍କୁ ଖରିଫ ଋତୁରେ ଧାନ କ୍ରୟ ନିମନ୍ତେ କୃଷକ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସଚେତନ କରିବା ସହ ରାସାୟନିକ ସାରର ସୁବ୍ୟବସ୍ଥିତ ଓ ନ୍ୟାୟସଙ୍ଗତ ବଣ୍ଟନ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଭଞ୍ଜନଗରରେ ଏକ ସଚେତନତା ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି।ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି (RMC) କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ପ୍ରଚାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଶ୍ରୀ ସୁମନ୍ତ କୁମାର ସାହୁ, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ପ୍ରଚାର ରଥ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳ ଓ ଗ୍ରାମକୁ ପରିକ୍ରମା କରି କୃଷକମାନଙ୍କ ମଧ୍ୟରେ କୃଷକ ପଞ୍ଜୀକରଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବ। ବିଶେଷକରି KMS ୨୦୨୬-୨୭ ଖରିଫ ଋତୁର ଧାନ କ୍ରୟ ପାଇଁ ପଞ୍ଜୀକରଣର ଆବଶ୍ୟକତା, ପଞ୍ଜୀକରଣ ପ୍ରକ୍ରିୟା, ଆବଶ୍ୟକ ତଥ୍ୟ ଓ ଦଲିଲପତ୍ର, ନିର୍ଦ୍ଧାରିତ ସମୟସୀମା ଆଦି ବିଷୟରେ କୃଷକମାନଙ୍କୁ ସରଳ ଭାଷାରେ ଅବଗତ କରାଯିବ।ଧାନ କ୍ରୟ ପ୍ରକ୍ରିୟାରେ କୃଷକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏବଂ ସମୟ ମଧ୍ୟରେ ନିଜର ପଞ୍ଜୀକରଣ ସମ୍ପନ୍ନ କରିପାରନ୍ତି, ସେଥିପାଇଁ ଏହି ସଚେତନତା ଅଭିଯାନ ଗୁରୁତ୍ୱ ବହନ କରୁଛି। କୃଷକମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପଞ୍ଜୀକରଣ କରି ସରକାରୀ ଧାନ କ୍ରୟ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ଆହ୍ୱାନ କରାଯିବ।ଏଥିସହିତ ଅଞ୍ଚଳରେ ରାସାୟନିକ ସାରର ଉପଲବ୍ଧତା, ସୁବ୍ୟବସ୍ଥିତ ବଣ୍ଟନ, ନିର୍ଦ୍ଧାରିତ ଦରରେ ଯୋଗାଣ ଏବଂ ସାରର ଉପଯୁକ୍ତ ଓ ସନ୍ତୁଳିତ ବ୍ୟବହାର ସମ୍ପର୍କରେ ମଧ୍ୟ କୃଷକମାନଙ୍କୁ ସଚେତନ କରାଯିବ। ଫସଲର ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର କରିବା, ଅତ୍ୟଧିକ ସାର ପ୍ରୟୋଗ ନକରିବା ଏବଂ ସରକାରୀ ବ୍ୟବସ୍ଥା ମାଧ୍ୟମରେ ସାର ପାଇବା ନିମନ୍ତେ କୃଷକମାନଙ୍କୁ ପରାମର୍ଶ ଦିଆଯିବ।ଏହି ପ୍ରଚାର ରଥ ମାଧ୍ୟମରେ ଧାନ କ୍ରୟ ପାଇଁ କୃଷକ ପଞ୍ଜୀକରଣ ଓ ସାର ବଣ୍ଟନ ସମ୍ପର୍କିତ ସରକାରୀ ନିୟମାବଳୀ ବିଷୟରେ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ପହଞ୍ଚାଇବା ସହ କୃଷକମାନଙ୍କୁ ସଠିକ୍ ସୂଚନା ଦିଆଯିବ। ଏହା ଫଳରେ କୃଷକମାନେ ଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ନେଇ ସରକାରୀ ସୁବିଧାର ସୁଯୋଗ ନେଇପାରିବେ।କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା, ଧାନ କ୍ରୟ ବ୍ୟବସ୍ଥାକୁ ସୁଗମ କରିବା ଏବଂ କୃଷି ଉତ୍ପାଦନ ପାଇଁ ସାରର ସୁବ୍ୟବସ୍ଥିତ ଯୋଗାଣ ନିଶ୍ଚିତ କରିବାରେ ଏହି ସଚେତନତା ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରକାଶ ପାଇଛି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons