କୋଣାର୍କ,(ବି.ବି.ନ୍ୟୁଜ୍): କୋଣାର୍କ ସମୁଦ୍ର ଉପକୂଳରୁ ଚଳିତ ବର୍ଷ ସମୁଦାୟ ୧୫ ହଜାର ୧୦୮ ଅଲିଭ୍ ରିଡ୍ଲେ କଇଁଛ ଛୁଆଙ୍କୁ ସମୁଦ୍ରରେ ଛଡ଼ା ଯାଇଛି । ବନ ବିଭାଗ ସୂଚନାରୁ ଏହା ଜଣାପଡ଼ିଛି । କଅଁରପୁର ଓ ଚନ୍ଦ୍ରଭାଗା ଅସ୍ଥାୟୀ କଇଁଛ ସୁରକ୍ଷା ପ୍ରଜନନ କେନ୍ଦ୍ରରୁ ଅଲିଭ୍ରିଡ୍ଲେ ଛୁଆଙ୍କୁ ଦାୟିତ୍ୱରେ ଥିବା ବନରକ୍ଷୀ ବିଭିନ୍ନ ପର୍ଯ୍ୟାୟରେ ସମୁଦ୍ରରେ ଛାଡ଼ିଛନ୍ତି । ଶେଷ ଥର ପାଇଁ ଗତ ୪ ଦିନ ତଳେ ବନ ବିଭାଗ କେତେକ ଅଲିଭ୍ ରିଡ୍ଲେ ଛୁଆଙ୍କୁ ସମୁଦ୍ରରେ ଛାଡ଼ିଥିଲେ ।
ସମୁଦ୍ର କୂଳରେ ଛୁଆଗୁଡ଼ିକୁ ଛଡ଼ାଯିବା ପରେ ସେମାନେ ସମୁଦ୍ର ମୁହାଁ ଚାଲିଚାଲି ଯିବା ପରେ ଢେଉ କାଟି ଜଳରାଶିରେ ଭାସିଥିଲେ । କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ଚନ୍ଦ୍ରଭାଗା ଓ କଅଁରପୁର ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ରରେ ସମୁଦାୟ ୨୧୨ ବସାରେ ୨୫ ହଜାର ୬୨୫ ଅଣ୍ଡା ସଂଗ୍ରହ କରାଯାଇ ସୁରକ୍ଷିତ ଭାବେ ବାଲିରେ ପୋତା ଯାଇଥିଲା । ସେଥିରୁ ୧୫ ହଜାର ୧୦୮ ଛୁଆ ଫୁଟିଥିଲେ । ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆହୁରି ୧୦ ହଜାର ୫୧୭ଟି ଅଣ୍ଡା ଛୁଆ ଫୁଟିବା ସମ୍ଭାବନା ନଥିବା ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି । ତେଣୁ ଚଳିତ ବର୍ଷ ଚନ୍ଦ୍ରଭାଗାରୁ ମୋଟ ୧୫ ହଜାର ୧୦୮ ଛୁଆ ଫୁଟି ସମୁଦ୍ରକୁ ଗଲେ । ପ୍ରକାଶ ଯେ ରାଜ୍ୟର ଅନ୍ୟ ଦୁଇଟି ସ୍ଥାନ କେନ୍ଦ୍ରାପଡ଼ାର ଗହୀରମଥା ଓ ଗଞ୍ଜାମର ଋଷିକୂଲ୍ୟା ମୁହାଣରେ ମଧ୍ୟ ଅଲିଭ୍ରିଡ୍ଲେ କଇଁଛମାନେ ଅଣ୍ଡା ଦେଇଥାନ୍ତି ।
ପ୍ରାୟ ୪୫ରୁ ୫୦ ଦିନ ମଧ୍ୟରେ ଏହି ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ କରିଥାଏ । ଛୁଆ ଫୁଟିବା ମାତ୍ରେ ବିଭାଗ ପକ୍ଷରୁ ଅତ୍ୟନ୍ତ ସତର୍କତାର ସହ ଏମାନଙ୍କୁ ପ୍ରଥମେ ଏକ ଟ୍ରେରେ ସଂଗ୍ରହ କରାଯାଏ । ପରେ ସମୁଦ୍ରରେ ଛାଡ଼ି ଦିଆ ଯାଇଥାଏ । ଫୋନି ବାତ୍ୟାରେ କଇଁଛ ସୁରକ୍ଷା ଓ ପ୍ରଜନନ କେନ୍ଦ୍ରରେ ଅଲିଭ୍ ରିଡ୍ଲେ ଅଣ୍ଡାଗୁଡ଼ିକ କ୍ଷତିଗ୍ରସ୍ତ ହୋଇ ନଥିବା ବେଳେ ଅଲିଭ୍ ରିଡ୍ଲେ ଛୁଆଙ୍କୁ ସୁରକ୍ଷିତ ଉପାୟରେ ସମୁଦ୍ରରେ ଛଡ଼ା ଯାଇଥିବା ବନାଞ୍ଚଳ ଅଧିକାରୀ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.