ନୂଆଗାଁ, (ବି.ବି.ନ୍ୟୁଜ୍): ବିଷ ମିଶା ଭାତ ଖାଇ କୁକୁଡ଼ା ମରିଯିବା ସନ୍ଦେହ ଯୋଗୁଁ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗି ରହିଥିଲା ଗଣ୍ଡଗୋଳ । ଶେଷରେ ପରିଣାମ ହେଲା ଯେ ସମ୍ପର୍କୀୟ କକା ନାବାଳିକା ଝିଆରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଗୋପୁର କୁମ୍ଭାରପଡ଼ା ଗ୍ରାମରେ । ଉଦ୍ବେଗର ବିଷୟ ହେଲା କୁକୁଡ଼ା ପାଇଁ ମଣିଷ ମାରି ଦିଆଯିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ହାତୀବାରିର ନୂଆଗାଁ ନିକଟସ୍ଥ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସମୀର ଡୁଙ୍ଗଡୁଙ୍ଗ (୩୫) ଓ ତାଙ୍କ ସମ୍ପର୍କୀୟ ଭାଇ କିଶୋର ଡୁଙ୍ଗଡୁଙ୍ଗ ରୁହନ୍ତି । ଦୁହିଁଙ୍କ ଘର ପାଖାପାଖି । କିଶୋର କିଛି କୁକୁଡ଼ା ପାଳିଛନ୍ତି । କୁକୁଡ଼ାଗୁଡ଼ିକ ଚରାବୁଲା କରିବାକୁ ସମୀରଙ୍କ ଘର ପଟକୁ ଯାଇଥାନ୍ତି । ହେଲେ ସମୀର ବିଷ ମିଶା ଭାତ ଘର ନିକଟରେ ପକାଇ ଦେଇଥିଲେ ଓ ଚରୁଥିବା କୁକୁଡା ସେହି ଭାତ ଖାଇ ଦେଇଥିଲେ । ଫଳରେ ୭ଟି କୁକୁଡ଼ା ମରିଗଲେ ବୋଲି ସନ୍ଦେହ ହେଲା । କିଶୋର ଏହାକୁ ନେଇ ଗତକାଲି ରାତି ୮ଟାରେ ସମୀରଙ୍କ ଘରକୁ ଯାଇ କାହିଁକି କୁକୁଡ଼ା ମାରିଲ ବୋଲି ସମୀରଙ୍କୁ ପଚାରିଥିଲେ । କିଶୋରଙ୍କ ସହ ତାଙ୍କର ୧୪ ବର୍ଷର ଝିଅ ରୋଶନୀ ମଧ୍ୟ ଥିଲେ । ଏହି କଥାକୁ ନେଇ କିଶୋର ଓ ସମୀର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରୋଶନୀ ମଧ୍ୟ ସମୀରଙ୍କୁ ତାଗିଦ କରି ଘରକୁ ଚାଲି ଆସିଥିଲେ । ତେବେ ସମୀରଙ୍କ ଘର ପାଖରେ ବାପାଙ୍କ ଚପଲ ରହି ଯାଇଥିବାରୁ ତାକୁ ଆଣିବା ଲାଗି ରୋଶନୀ ଯାଇଥିଲେ । ତାଙ୍କୁ ଦେଖି ସମୀର ରାଗିଯାଇ ଏକ କାଠ ଫାଳିଆରେ ରୋଶନୀଙ୍କୁ ଅତର୍କିତ ଆକ୍ର୍ରମଣ କରିଥିଲେ । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୋଶନୀ ତଳେ ପଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ଡାକ୍ତର ରୋଶନୀଙ୍କୁ ମୃତ ଘୋଷିତ କରିଥିଲେ ।
ଏଭଳି ଘଟଣା ଭିଆଇ ସମୀର ଫେରାର ହୋଇ ଯାଇଥିଲେ । ଆଜି ଭୋର ପ୍ରାୟ ୪ଟାରେ ନୂଆଗାଁ ଛାଡ଼ି ସମୀର ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍ ଚଢ଼ଉ କରି ତାଙ୍କୁ ଧରିଥିଲା । ଖବର ପାଇ ବୀରମିତ୍ରପୁର ଏସ୍ଡିପିଓ ପି.କେ.ପାତ୍ର, ହାତୀବାରି ଥାନା ଅଧିକାରୀ ଶ୍ୟାମଲାଲ ଓରାମ, ନୂଆଗାଁ ଫାଣ୍ଡି ଅଧିକାରୀ କୈଳାସ ଚନ୍ଦ୍ର ନାୟକ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଅଭିଯୁକ୍ତ ସମୀରକୁ ପୁଲିସ୍ କୋର୍ଟ ଚାଲାଣ କରିଛି । ମୃତ ରୋଶନୀ ନୂଆଗାଁସ୍ଥିତ ଝାରବେଡ଼ା ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ ।
Comments are closed, but trackbacks and pingbacks are open.