ଜଙ୍ଗଲ ରାସ୍ତାରେ ଡଙ୍ଗରିଆ ମହିଳାଙ୍କ ପ୍ରସବ

Get real time updates directly on you device, subscribe now.

ବିଷମକଟକ, (ବି.ବି.ନ୍ୟୁଜ୍): ନିୟମଗିରି ପାହାଡ଼ର ଅନେକ ଦୁର୍ଗମ ଅଞ୍ଚଳକୁ ଯାଇପାରୁନି ଆମ୍ବୁଲାନ୍ସ କି ଅନ୍ୟ କୌଣସି ଚାରିଚକିଆ ଗାଡ଼ି । ଅପହଞ୍ଚ ହୋଇ ରହିଛି ସ୍ୱାସ୍ଥ୍ୟସେବା । ଏହି କାରଣରୁ ଆଜି ଜଣେ ଡଙ୍ଗରିଆ ଗର୍ଭବତୀ ମହିଳାଙ୍କୁ ପାହାଡିଆ ଏବଂ ଜଙ୍ଗଲିଆ ରାସ୍ତାରେ ଚଲାଇ ଚଲାଇ ଡାକ୍ତରନେବା ବେଳେ ରାସ୍ତାରେ ହୋଇଛି ପ୍ରସବ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ପଞ୍ଚାୟତର କୋଡିଗୁମା ଗାଁରେ । ପ୍ରସବକାଳୀନ ବେଦନା ହେଉଥିବା ସମୟରେ ଗାଁର ଅନ୍ୟ ମହିଳାମାନେ ବିକଳ୍ପ ନପାଇ ତାଙ୍କୁ ପ୍ରାୟ ୫ କିମି ପାହାଡ଼ିଆ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ନିୟମଗିରି ପାହାଡ଼ର କୋଡ଼ିଗୁମା ଗାଁକୁ ରହିଛି କେବଳ ପାଦଚଲା ରାସ୍ତା । ପକ୍କା ରାସ୍ତା ନଥିବା ରୁ କୌଣସି ଗାଡି ଚଳାଚଳ କରୁନି । ଏହି କାରଣରୁ ପାହାଡ଼ ଉପରେ ରହୁଥିବା ଡଙ୍ଗରିଆମାନେ ସବୁବେଳେ ଜରୁରୀକାଳୀନ ପରିସ୍ଥିତିରେ ଏଭଳି ଦୁର୍ଦ୍ଦଶା ଭୋଗି ଆସୁଛନ୍ତି । ଆଜି ସକାଳେ ଗାଁର ତେଲାଡି ହୁଇକାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ସ୍ୱାମୀ ରାନୁ ହୁଇକା ଆଶାକର୍ମୀଙ୍କୁ ଏ ସଂପର୍କରେ ଜଣାଇଥିଲେ । ପହଞ୍ଚିଥିଲେ ଆଶାକର୍ମୀ । ହେଲେ ଗାଁକୁ କୌଣସି ଗାଡି ଯାଇପାରୁନଥିବାରୁ ତେଲାଡ଼ିଙ୍କୁ କୋଡିଗୁମାରୁ ଚଲାଇ ଚଲାଇ ପାହାଡ ତଳକୁ ଆଣୁଥିଲେ । ପ୍ରାୟ ୫ କିମି ଚାଲିବା ପରେ ବଢିଥିଲା ପ୍ରସବକାଳୀନ ଯନ୍ତ୍ରଣା । ଫଳରେ ଆଶାକର୍ମୀ ପ୍ରଧାନୀ କନ୍ଧପାଣିଙ୍କ ସହାୟତାରେ ଘଞ୍ଚ ଜଙ୍ଗଲ ଭିତରେ, ପରିତ୍ୟକ୍ତ ପରିବେଶରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ତେଲାଡ଼ି । ପରେ ନବଜାତ ଶିଶୁ ସହ ପ୍ରସୂତିଙ୍କୁ ପୁନର୍ବାର ଦେଗାଁ ଛକ ପର୍ଯ୍ୟନ୍ତ ଚଲାଇ ଚଲାଇ ନିଆଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା । ତଥାପି ଗାଡି ନଆସିବାରୁ ଦେଗାଁଠାରୁ ଏକ ଭଡା ଗାଡିରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଚିକିତ୍ସିତ ହେବା ପରେ ଉଭୟ ମାଆ ଓ ଶିଶୁ ସୁରକ୍ଷିତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons