ଲକ୍ଷ୍ମୀପୁର,(ବି.ବି.ନ୍ୟୁଜ୍): ପାଞ୍ଚ ଦିନି ବିତିଗଲା । ହଟିଲାନି ଆନ୍ଦୋଳନ । ବିଧାୟକଙ୍କ କଥାକୁ ମଧ୍ୟ ଟାଳିଦେଲେ । କୋଡିଙ୍ଗାମାଳି ଖଣି ଖନନକୁ କେନ୍ଦ୍ର କରି ଅଞ୍ଚଳବାସୀ ଆନ୍ଦୋଳନ ଜାରି ରଖିଥିବା ବେଳେ ମଙ୍ଗଳବାର ପଞ୍ଚମ ଦିନ ପାଇଁ ମଧ୍ୟ ଖନନ ବନ୍ଦ ରହିଛି । ଆନ୍ଦୋଳନକାରୀଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ବାରମ୍ବାର ଆଲୋଚନା ମଧ୍ୟ ବିଫଳ ହେବାରେ ଲାଗିଛି । ଅଞ୍ଚଳବାସୀ ନିଜ ଜିଦରେ ଅଟଳ ରହିଥିବା ବେଳେ ଜିଲ୍ଲାପାଳ ଆସି ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ହଟିବୁ ବୋଲି ଲୋକେ କହିଛନ୍ତି । ଏଣେ ଆନ୍ଦୋଳନ ଯୋଗୁ ବକ୍ସାଇଟ ପରିବହନ ବାଧାପ୍ରାପ୍ତ ହୋଇଛି । ଫଳରେ ଖଣି ରାସ୍ତାକଡ ସହ ସ୍ଥାନୀୟ ଖେଳ ପଡିଆରେ ଶହଶହ ହାଇୱା ଛିଡା ହୋଇରହିଛି । ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନ ହଟିବ ବୋଲି ବିକ୍ଷୋଭକାରୀ କହିଛନ୍ତି । ଏଣେ ଖଣି ଖନନରେ ବାଧା ଉପୁଜାଇବା ଓ ରାସ୍ତା ଅବରୋଧ କରିବା ନେଇ ପୁଲିସ ମୋଟ ୪୪ ଜଣ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଆନ୍ଦୋଳନକାରୀ କହିଛନ୍ତି ।
ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ବିଧାନସଭାରେ ବ୍ୟସ୍ତ ଥିବାରୁ ତାଙ୍କ ପ୍ରତିନିଧି ପ୍ରସାଦ ଖରା ଓ ସହଯୋଗୀ ଚନ୍ଦ୍ର ଶେଖର ରାଉତ, ଅଭିଳାଷ ବାଘ, କେଆର ରାଓ ମଙ୍ଗଳବାର ଘଟଣାସ୍ଥଳକୁ ଯାଇଥିଲେ । ଲୋକଙ୍କ ସହ ଆଲୋଚନା କରି ଆଜିଠାରୁ ଆନ୍ଦୋଳନରୁ ହଟିଯିବାକୁ ବିଧାୟକ ସୂଚନା ଦେଇଥିବା କହିଥିଲେ । ଆସନ୍ତା ୮ ରେ ବିଧାୟକ ଶ୍ରୀ ଜାନି ନିଜେ ଆସି ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହା ଆଲୋଚନା କରିବେ ବୋଲି ତାଙ୍କ ପ୍ରତିନିଧି ଶ୍ରୀ ଖରା ଲୋକଙ୍କୁ କହିଥିଲେ ହେଁ ଲୋକେ ଏହାକୁ ଅଣଦେଖା କରିଥିଲେ । ଏଣେ ମାଲ ପରିବହନ ବନ୍ଦ ଥିବାରୁ ଶତାଧିକ ହାଇୱା ମାଲିକ ମୁଣ୍ଡରେ ହାତ ଦେଇ ବସିଥିବା ଜଣାପଡିଛି । ସୋମବାର ରାତି ୧୦ ଟାରେ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ସହ ଉପଜିଲ୍ଲାପାଳ ଲଳିତ ମୋହନ କହଁର ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ ହେଁ କିଛି ନିଷ୍କର୍ଷ ବାହାରି ପାରି ନଥିଲା । ସୂଚନାଯୋଗ୍ୟ, ଆଞ୍ଚଳିକ ସମସ୍ୟାକୁ ପୁଣି ପଲ୍ଲୀସଭା କରି ସମାଧାନ କରିବା ଓ ବିଭିନ୍ନ ଦାବି ନେଇ ଅଞ୍ଚଳବାସୀ ଏହି ଆନ୍ଦୋଳନ କରିଛନ୍ତି ।
Comments are closed, but trackbacks and pingbacks are open.