ପୁରୀ,(ବି.ବି.ନ୍ୟୁଜ୍): ଚାକିରି ସାଜିଥିଲା ପ୍ରେମର ମାଧ୍ୟମ । ହୋମଗାର୍ଡ ପୋଷାକ ମିଳିଗଲା ପରେ ନାବାଳିକା ପ୍ରେମିକାକୁ ଆକର୍ଷିତ କରିବାରେ ସମର୍ଥ ହେଲେ । କିନ୍ତୁ ଶୃଙ୍ଖଳିତ ବିଭାଗର ଏହି ବିଶୃଙ୍ଖଳିତ ମନୋବୃତ୍ତି ହୋମଗାର୍ଡ ବିଶ୍ୱାସରେ ବିଷ ଦେଇ ସଂପୃକ୍ତ ନାବାଳିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ କଲେ । ଫଳରେ ସଂପୃକ୍ତ ନାବାଳିକା ଏବେ ଗର୍ଭବତୀ । ଗର୍ଭପାତ କରିବାକୁ ନାବାଳିକାଙ୍କୁ ଧମକ ଦେଇ ଜଣେ ହୋମ୍ଗାର୍ଡ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଲେ ସମୁଦ୍ର କୂଳ ଥାନା ଅଧୀନ ପେଣ୍ଠକଟାର କେ. ଶ୍ରୀକାନ୍ତ (୨୬) ।
ପୁଲିସ ସୂଚନା ଅନୁଯାୟୀ, ଶ୍ରୀକାନ୍ତ ଜଣେ ନାବାଳିକାକୁ ଦୀର୍ଘ ଦିନ ହେବ ଖରାପ ନଜରରେ ଦେଖୁଥିଲେ । ତାକୁ ଫସାଇବା ପାଇଁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲେ । ଦୁଇ ବର୍ଷ ତଳେ ହୋମ୍ଗାର୍ଡ ନିଯୁକ୍ତି ପାଇଥିଲେ ଶ୍ରୀକାନ୍ତ । ଫଳରେ ପେଣ୍ଠକଟାରେ ତାଙ୍କର ଏକ ନୂଆ ପରିଚୟ ସୃଷ୍ଟି ହୋଇଥିଲା । ଏଥର ନାବାଳିକାଙ୍କୁ ଫସାଇବା ପାଇଁ ତାଙ୍କୁ ସୁବିଧା ହୋଇଥିଲା । ଚାକିରି କରିଛି, ଭଲ ରୋଜଗାର କରୁଛି କହି ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ ଶ୍ରୀକାନ୍ତ । ଏଥିରେ ଫସିଯାଇଥିଲା ସଂପୃକ୍ତ ନାବାଳିକା । ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ପ୍ରେମ । କିଛି ଦିନ ପରେ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ରଖିଥିଲା ଶାରୀରିକ ସମ୍ପର୍କ । ଚାରିମାସ ତଳେ ନାବାଳିକା ପ୍ରେମିକା ହୋଇଗଲେ ଗର୍ଭବତୀ ।
ଏହାପରେ ଶ୍ରୀକାନ୍ତ ନାବାଳିକାକୁ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ । ଏଥିରେ ନାବାଳିକା ଓ ତାଙ୍କ ପରିବାର ଲୋକେ ରାଜି ହୋଇ ନଥିଲେ । ଗର୍ଭପାତ ନକଲେ ସେ ବିବାହ କରିବ ନାହିଁ ବୋଲି ସିଧାସଳଖ ମନା କରିଦେଲେ । ପେଟରେ ଚାରିମାସର ପିଲାକୁ ଧରି ମାନସିକ ନିର୍ଯାତନାର ଶିକାର ହେଲା ନାବାଳିକା । ତେଣୁ ନାବାଳିକାର ପରିବାର ଲୋକେ କୋର୍ଟଙ୍କ ଆଶ୍ରୟ ନେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀକାନ୍ତଙ୍କୁ ଅଟକ ରଖିଛି । ବୁଧବାର ମାଜିଷ୍ଟ୍ରେଟ୍ଙ୍କ ନିକଟରେ ନାବାଳିକାର ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ହୋମ୍ଗାର୍ଡ ଶ୍ରୀକାନ୍ତଙ୍କୁ ଜେରା କରାଯାଉଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।
Comments are closed, but trackbacks and pingbacks are open.