ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବ୍ୟାଙ୍କ ଅଫ୍ ଇଣ୍ଡିଆ ରେମୁଣା ଶାଖାରୁ ୧କୋଟି ୩୨ ଲକ୍ଷ ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରହ୍ମଜ୍ୟୋତି ବେହେରା ଗିରଫ ହୋଇଛନ୍ତି । ଇଓଡବ୍ଲୁ ଅଧିକାରୀମାନେ ତାଙ୍କୁ ବାଲେଶ୍ୱର ଇଣ୍ଡଷ୍ଟ୍ରିଆଲ ଏରିଆ ଥାନା ଅନ୍ତର୍ଗତ ନହରପୁର ଗ୍ରାମରୁ ଉଠାଇ ଆଣିଥିଲେ । ଆଜି ତାଙ୍କୁ ବାଲେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଇଓଡବ୍ଲୁ ଠାରୁ ମିଳିଥିବା ସୂଚନା ମୁତାବକ, ୨୦୧୮ରେ ବ୍ୟାଙ୍କ ଅଫ୍ ଇ୍ଣ୍ଡିଆ ରେମୁଣା ବ୍ରାଞ୍ଚର ବ୍ୟବସାୟିକ ପ୍ରତିନିଧି ଭାବେ ପ୍ରଭାତ କୁମାର ଦାସ କାମ କରୁଥିଲେ । ତାଙ୍କୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ୍ ରୋଲ ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଥିଲା । ତେବେ ସେ ମୃତ ପେନସନଧାନୀଙ୍କ ଆକାଉଣ୍ଟରେ ଚଞ୍ଚକତା କରି ବ୍ୟାଙ୍କରୁ ବିପୁଳ ଅର୍ଥ ଉଠାଇବା ଯୋଜନା କରିଥିଲେ । ଏହି ବ୍ୟାଙ୍କର ପେନସନ ରୋଲରେ ଥିବା ପର୍ଶୁରାମ ଗିରି ଓ ସାବିତ୍ରୀ ବେହେରାଙ୍କ ଆକାଉଣ୍ଟକୁ ପ୍ରଭାତ ଟାର୍ଗେଟ କରିଥିଲେ । ୨୦୧୪ ଡିସେମ୍ବର ୨୭ ତାରିଖରେ ପର୍ଶୁରାମ ଗିରିଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଫ୍ୟାମିଲି ପେନ୍ସନ୍ ପାଉଥିବା ସାବିତ୍ରୀ ବେହେରାଙ୍କର ୨୦୧୪ ମାର୍ଚ୍ଚ ୨୨ ତାରିଖରେ ମୃତ୍ୟୁ ହୋଇଥିଲା । କିନ୍ତୁ ପ୍ରଭାତ ପେନସନ ରୋଲରୁ ଏହି ୨ ମୃତ ବ୍ୟକ୍ତିଙ୍କ ନାମ ନକାଟି ବଳବତ୍ତର ରଖିଥିଲେ । ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଉକ୍ତ ଖାତାରେ ପେନସନ ରାଶି ଚଢ଼ାଇ ଚାଲିଥିଲେ । ଏହି ସମୟ ମଧ୍ୟରେ ପ୍ରଭାତ ଉକ୍ତ ୨ ଆକାଉଣ୍ଟରେ ଯଥାକ୍ରମେ ୬୫ ଓ ୬୭ ଲକ୍ଷ ଟଙ୍କା ଭରି ଦେଇଥିଲେ ।
ଉପରୋକ୍ତ ଆକାଉଣ୍ଟରୁ ସେ ଟଙ୍କା ଉଠାଇବା ଲାଗି ମୃତ ସାବିତ୍ରୀଙ୍କ ପୁଅ ତଥା ଅଭିଯୁକ୍ତ ବ୍ରହ୍ମଜ୍ୟୋତି ଏବଂ ତ+ାଳୀନ ବ୍ୟାଙ୍କ ମ୍ୟାନେଜର ଦୁର୍ଗାଚରଣ ପଣ୍ଡାଙ୍କୁ ହାତ କରିଥିଲେ । ଯୋଜନା ମୁତାବକ ସାବିତ୍ରୀଙ୍କ ନାମରେ ଏକ ଏଟିଏମ୍ କାର୍ଡ ମଞ୍ଜୁର ହୋଇଥିଲା । ୪ ବର୍ଷ ଭିତରେ ବ୍ରହ୍ମଜ୍ୟୋତି ଉକ୍ତ ଆକାଉଣ୍ଟରୁ ୬୫ ଲକ୍ଷ ଟଙ୍କା ଉଠାଇ ଆଣିଥିଲେ । ଉକ୍ତ ଟଙ୍କା ୩ଜଣ ଭାଗ ବାଣ୍ଟି ନେଇଥିଲେ । ଏହି ହେରଫେର ଘଟଣା ବ୍ୟାଙ୍କ ମ୍ୟାନେଜର ସ୍ୱରାଜ ମହାନ୍ତିଙ୍କ ନଜରକୁ ଆସିବା ପରେ ସେ ଇଓଡବ୍ଲୁରେ ଏତଲା ଦେଇଥିଲେ । ତଦନ୍ତ କରି ଇଓଡବ୍ଲୁ ଅଧିକାରୀ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ପ୍ରଭାତକୁ ଗିରଫ କରିଥିଲେ । ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ଇଓଡବ୍ଲୁ ପୁଲିସ ଚଳିତ ବର୍ଷ ଜାନୁଆରୀରେ ଦୁର୍ଗାଚରଣ ପଣ୍ଡାଙ୍କୁ ଧରିଥିଲା । ଆଜି ଅନ୍ୟତମ ଅଭିଯୁକ୍ତ ବ୍ରହ୍ମଜ୍ୟୋତିକୁ ଧରି କୋର୍ଟଚାଲାଣ କରିଛି ।
Comments are closed, but trackbacks and pingbacks are open.