ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପୁଅ ଦୁଷ୍ଟ ହେଲା ବୋଲି ବାପା ନିର୍ଦ୍ଦୟ ସାଜିଲା । ଗୋଡ଼ ଆଉ ବେକରେ ଶକ୍ତ ଲୁହା ବଳା ଲଗାଇଲା । ସେଥିରେ ଶିକୁଳି ଗୁଡ଼ାଇ ଘରେ ବନ୍ଦୀ କରିଦେଲା । ଖାଇବା ପିଇବା ବି ବନ୍ଦ କରିଦେଲା । ତେବେ କୌଣସିମତେ ନାବାଳକ ଘରୁ ଖସି ଆସି ଭୁବନେଶ୍ୱର ରେଳଷ୍ଟେସନରେ ବୁଲୁଥିଲା । ଏମିତି ଭାବେ ଅତ୍ୟାଚାରିତ ଜଣେ ୧୬ ବର୍ଷର ନାବାଳକକୁ ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ଟିମ୍ ପ୍ଲାଟଫର୍ମରୁ ଉଦ୍ଧାର କରିଛି ।
ଚାଇଲ୍ଡ ଲାଇନ୍ ଟିମ୍ରୁ ମିଳିଥିବା ସୂଚନା ମୁତାବକ, ନାବାଳକ ମୁନା(ଛଦ୍ମନାମ)ର ଘର ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ । ମୁନାର ବାପା ଘରକୁ ଘର ବୁଲି ମୁଢ଼ି ବିକନ୍ତି । ମୁନା ବେଳେବେଳେ ଦୁଷ୍ଟ ହୁଏ । ଏମିତିକି ଥରେ ଦୁଇଥର ଘରୁ କେଉଁଆଡ଼େ ଖସି ପଳାଇଥିଲା । ଏଥିରେ ବାପା ରାଗିଯାଇ ନିଷ୍ଠୁର ସାଜିଥିଲା । ମୁନାର ଦୁଇ ଗୋଡ଼ ଆଉ ବେକରେ ୩ଟି ୮ ଏମ୍ଏମ୍ ମୋଟେଇ ଲୁହା ବଳା ଲଗାଇ ଝରକାରେ ବାନ୍ଧି ଦେଇଥିଲା । ଏମିତି ଭାବେ ମୁନା ୨ ମାସ ଧରି ଘରେ ବନ୍ଦୀ ହୋଇ ରହିଥିଲା । ବୁଧବାର ମୁନା କୌଶଳକ୍ରମେ ବେକରୁ ଲୁହାରଡ଼କୁ ଭାଙ୍ଗି ଘରୁ ଖସିବାରେ ସକ୍ଷମ ହୋଇଥିଲା । ଟ୍ରେନ୍ ଯୋଗେ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚିଥିଲା ।
ମୁନାର ଗୋଡ଼ରେ ଛନ୍ଦା ଯାଇଥିବା ଲୁହା ବଳା ୨ଟିକୁ ସତର୍କତାର ସହ କଟାଯାଇଛି । ଏନେଇ ସିଡବ୍ଲ୍ୟୁସି ଟିମ୍ ପକ୍ଷରୁ ଗଞ୍ଜାମ ସିଡବ୍ଲ୍ୟୁସି ଓ ଛତ୍ରପୁର ପୁଲିସକୁ ଅବଗତ କରାଯାଇଛି । ଗଞ୍ଜାମ ସିଡବ୍ଲ୍ୟୁସି ଟିମ୍ ମୁନାର ବାପାକୁ ଧରିବା ପାଇଁ ପୁଲିସ ସହାୟତାରେ ଚେଷ୍ଟା ଚଳାଇଛି । କିଶୋର ନ୍ୟାୟ ଆଇନ୍-୨୦୧୫ ଧାରା(୭୫) ଅନୁସାରେ ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଏନେଇ ଶିଶୁ ଅଧିକାର ଆୟୋଗ ସନ୍ଧ୍ୟାବତୀ ପ୍ରଧାନ, ସିଡବ୍ଲ୍ୟୁସି ମୁଖ୍ୟ ଡ. ପର୍ଶୁରାମ ମହାରଣାଙ୍କୁ ଅବଗତ କରାଇଛନ୍ତି ।
Comments are closed, but trackbacks and pingbacks are open.