ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାତିଅଧିଆ ଯୋଜନା କରୁଥିବା ବେଳେ ୫ଜଣିଆ ଡକାୟତ ଗ୍ୟାଙ୍ଗ୍କୁ ଧରିଛି ଖାରବେଳନଗର ଥାନା ପୁଲିସ । ୟୁନିଟ୍-୩ ପ୍ରେସ୍ କଲୋନିରେ ଚଢ଼ଉ କରି ଏହି ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରିଛି । ସେମାନେ ହେଲେ, ୟୁନିଟ୍-୩ ରିକ୍ସା କଲୋନିର ମନୋଜ ବେହେରା(୨୬), ପ୍ରେସ କଲୋନିର ରାଜେଶ ବେହେରା(୨୮), ପୁରୀ ଡେଲାଙ୍ଗର ଚିତ୍ତରଞ୍ଜନ ରଥ(୨୧) ଓ ମାଷ୍ଟରକ୍ୟାଣ୍ଟିନ ଛକରେ ରହୁଥିବା ଚିଣ୍ଟୁ ଦାସ(୨୨) । ପୁଲିସ ସେମାନଙ୍କଠାରୁ ଗୋଟିଏ କଟୁରି, ଛୁରି, ହାତୁଡି, ଏକ ଲଙ୍କାଗୁଣ୍ଡ ପ୍ୟାକେଟ୍ ଓ ୫ଟି ବିୟର ବୋତଲ ଜବତ କରିଛି ।
ପୁଲିସ ସୂଚନା ଅନୁସାରେ, ଏମାନେ ବିଳମ୍ବିତ ରାତିରେ ଖାରବେଳନଗର ଅଞ୍ଚଳରେ ଡକାୟତି କରିବା ଲାଗି ଯୋଜନା ଚଳାଇଥିଲେ । ଏମାନେ ମାଷ୍ଟରକ୍ୟାଣ୍ଟିନ୍ ଓ ରେଳଷ୍ଟେସନରେ ଲୋକଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କୁ ଧମକାଇ, ଆଖିରେ ଲଙ୍କାଗୁଣ୍ଡ ପକାଇ ମୋବାଇଲ୍, ସୁନାଚେନ୍ ଛଡାଇ ନେଉଥିଲେ । ହାତୁଡ଼ିରେ ବନ୍ଦ ଥିବା ଦୋକାନ ଓ ଘର କବାଟ ଭାଙ୍ଗି ଜିନିଷପତ୍ର ଚୋରି କରୁଥିଲେ । ଜଗନ୍ନାଥ ସଡ଼କ ବାଇପାସ୍ ଡକାୟତି ପାଇଁ ଏମାନେ ସେଫ୍ଜୋନ୍ କରିଥିଲେ । ଗତକାଲି ରାତି ୧ଟା ବେଳେ ପ୍ରେସ କଲୋନିର ଏକ ଅନ୍ଧାରିଆ ରାସ୍ତାରେ ଏକାଠି ହୋଇ ଡକାୟତି ଯୋଜନା ଚଳାଇଥିଲେ । ପୁଲିସ ପାଟ୍ରୋଲିଂ ଭ୍ୟାନ୍ ଦେଖି ସେମାନେ ଦୌଡିବାରୁ ପୁଲିସ ପିଛା କରି ୪ଜଣଙ୍କୁ ଧରିଥିଲା । ହେଲେ ସେମାନଙ୍କ ଗ୍ୟାଙ୍ଗର ଅନ୍ୟଜଣେ ସଦସ୍ୟ ଖସି ପଳାଇଛି ।
ମନୋଜ ଏ ଗ୍ୟାଙ୍ଗର ଲିଡର ବୋଲି ପୁଲିସ କହିଛି । ସବୁ ଲୁଟେରାଙ୍କ ନାଁରେ ପୂର୍ବରୁ ଲକ୍ଷ୍ମୀସାଗର, ବଡ଼ଗଡ଼, ଖାରବେଳନଗର, ବାଲିଅନ୍ତା, ବାଳକାଟି ଥାନାରେ ଲୁଟ୍ପାଟ ଓ ଡକାୟତି ଭଳି ମାମଲା ରହିଛି । ୨୦୧୭ରେ ଖାରବେଳନଗରରେ ଘଟିଥିବା ଏକ ଗୁଳିକାଣ୍ଡ ମାମଲାରେ ମନୋଜ ଓ ରାଜେଶ ସମ୍ପୃକ୍ତ ଥିବା ଥାନାଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି ।
ରେଳ ଷ୍ଟେସନରୁ ୪ ଲୁଟେରା ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ରେଳବାଇ ଥାନା ପୁଲିସ ଷ୍ଟେସନରୁ ପୃଥକ ଲୁଟ୍ପାଟ ମାମଲାରେ ୪ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ହେଲେ ଖୋର୍ଦ୍ଧା ବାଣପୁର ଅଞ୍ଚଳର ମହେଶ୍ୱର ମିଶ୍ର(୨୩), ଗଞ୍ଜାମ ଗୋଳନ୍ଥରା ଥାନା ଅନ୍ତର୍ଗତ ଇଛାପୁରର ଶିବରାମ ବେହେରା(୨୩), ବାଲୁଗାଁ ବ୍ରାହ୍ମଣକୋସାଡ଼ିର କାହ୍ନା ନାୟକ(୩୪) ଓ ଜଗତସିଂହପୁର ବାଲିକୁଦାର ପୀତବାସ ପାତ୍ର(୪୦) । ଗିରଫ ଲୁଟେରାଙ୍କ ଠାରୁ ସମୁଦାୟ ୮ ହଜାର ୯୫୦ ଟଙ୍କା ଜବତ ହୋଇଛି ।
ରେଳବାଇ ଥାନା ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣରେ ଖଡ଼ଗପୁର ଯିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ କୋଲକାତା ମେଦିନୀପୁର ଅଞ୍ଚଳର ସତ୍ୟରଞ୍ଜନ ବରାଇଙ୍କଠାରୁ ଶିବରାମ ଓ ମହେଶ୍ୱର ବ୍ୟାଗ ଝାମ୍ପିନେଇ ପଳାଉଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ିଥିଲେ । ଲୋକେ ଦୁଇଜଣଙ୍କୁ ଧରି ରେଳବାଇ ଥାନା ପୁଲିସ ଜିମା ଦେଇଥିଲେ । ସେହିପରି କେନ୍ଦ୍ରପଡ଼ା ରାଜନଗରର ସାଗର ମଲ୍ଲିକ ଭୁବନେଶ୍ୱରରୁ ବେଙ୍ଗାଲୁର ଯିବା ପାଇଁ ଟ୍ରେନ୍କୁ ଅପେକ୍ଷା କରିଥିଲାବେଳେ ଲୁଟର ଶିକାର ହୋଇଥିଲେ । ଏନେଇ ସାଗର ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଷ୍ଟେସନର ବିଭିନ୍ନ ସ୍ଥାନରେ ଚଢ଼ଉ କରି କାହ୍ନା ଓ ପୀତବାସଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ୍ ବ୍ୟାଗ୍ ଜବତ କରିଥିଲା । ୪ ଜଣଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି ।
ମହିଳାଙ୍କଠୁ ଲୁଟ୍, ୨ ଲୁଟେରା ଗିରଫ
ଭୁବନେଶ୍ୱର: ମହିଳାଙ୍କୁ ଧକ୍କାମାରି ଲୁଟିଥିବା ଦୁଇ ଲୁଟେରାଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱରର ଅକ୍ଷୟ ମହାରଣା(୨୧) ଓ ଶୁଭଜିତ ମହାନ୍ତି(୧୯) ।
ପୁଲିସ ସୂଚନା ଅନୁଯାୟୀ, ବରମୁଣ୍ଡାରେ ରହୁଥିବା ସ୍ୱପ୍ନା ବାରିକ ନାମକ ଜଣେ ମହିଳା ଜୁଲାଇ ୩୧ ତାରିଖରେ ୟୁନିଟ୍-୮ ଜଳେଶ୍ୱର ମନ୍ଦିରକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଦୁଇ ଲୁଟେରା ତାଙ୍କୁ ଠେଲିଦେଇ ହାତରୁ ଭ୍ୟାନିଟି ଝାମ୍ପିନେଇ ପଳାଇଥିଲେ । ଏନେଇ ସ୍ୱପ୍ନା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଭ୍ୟାନିଟିରେ ମୋବାଇଲ୍ ଫୋନ୍ ଓ ଟଙ୍କା ଥିଲା । ପୁଲିସ ଲୁଟ୍ ହୋଇଥିବା ମୋବାଇଲ୍ ଫୋନକୁ ଟ୍ରାକିଂ କରି ଗତକାଲି ରାତିରେ ଅକ୍ଷୟ ଓ ଶୁଭଜିତଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଲୁଟ୍ ମୋବାଇଲ ଜବତ ହୋଇଥିଲା । ଆଜି ପୁଲିସ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.