ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀରେ ଥମୁନି ଧଳା ଜହର(ବ୍ରାଉନ୍ସୁଗର) କାରବାର । ଆଜି ପୁଣି ରାଜଧାନୀରୁ ଦୁଇଟି ସ୍ଥାନରୁ ବ୍ରାଉନସୁଗର ଜବତ ହେବା ସହ ୪ ବେପାରୀ ଗିରଫ ହୋଇଛନ୍ତି । ନୂଆପଲ୍ଲୀ ଥାନା ପୁଲିସ ଓ କ୍ୟୁଏଟି ୧୫ ଗ୍ରାମର ବ୍ରାଉନ୍ସୁଗର ଜବତ କରି ୩ ବେପାରୀଙ୍କୁ ଗିରଫ କରିଥିବା ବେଳେ ମଞ୍ଚେଶ୍ୱର ଥାନା ପୁଲିସ ୧୧ ଗ୍ରାମ ବ୍ରାଉନ୍ସୁଗର ଜବତ କରି ଜଣେ ବେପାରୀକୁ ଗିରଫ କରିଛି ।
ମଞ୍ଚେଶ୍ୱର ଥାନା ପୁଲିସ ସୂଚନା ଅନୁଯାୟୀ, ଢେଙ୍କାନାଳ ଗଁନ୍ଦିଆର ଦୀପକ କୁମାର ସାହୁ(୩୫) ମଞ୍ଚେଶ୍ୱର ଭୋଟପଡ଼ାରେ ରହୁଛନ୍ତି । ସେ ଗତକାଲି ଅପରାହ୍ଣରେ ପଳାଶୁଣି ଆଖଣ୍ଡଳମଣୀ ମନ୍ଦିର ପଛପଟରେ ବ୍ରାଉନ୍ସୁଗର ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ଖବରପାଇ ମଞ୍ଚେଶ୍ୱର ଥାନା ପୁଲିସ ସେଠାରେ ଚଢ଼ଉ କରି ଦୀପକଙ୍କୁ ଗିରଫ କରଥିଲା ।
ସେହିପରି ନୂଆପଲ୍ଲୀ ଥାନା ପୁଲିସ ଓ କ୍ୟୁଏଟି ଆଜି ଅପରାହ୍ଣରେ ସାଲିଆସାହି ନୀଳକଣ୍ଠନଗରରେ ଚଢ଼ଉ କରି ୩ ବେପାରୀଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ସାଲିଆସାହିର ରଶ୍ମିରଞ୍ଜନ ବାରିକ(୨୬), ସନ୍ତୋଷ ମହାରଣା(୨୮) ଓ ଖୋର୍ଦ୍ଧାର ମହମ୍ମଦ ସକାବତ(୪୩) । ୩ ଜଣଙ୍କ ଠାରୁ ୧୫ ଗ୍ରାମ ବ୍ରାଉନ୍ସୁଗର, ୬,୩୦୦ ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ସକାବତ ଖୋର୍ଦ୍ଧାରୁ ବ୍ରାଉନ୍ସୁଗର ଆଣି ରଶ୍ମି ଓ ସନ୍ତୋଷ ସହାୟତାରେ ସାଲିଆସାହି ଅଞ୍ଚଳରେ ବିକ୍ରି କରେ । ୩ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ୪ ବେପାରୀଙ୍କ ଠାରୁ ଜବତ ବ୍ରାଉନ୍ସୁଗରର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।
Comments are closed, but trackbacks and pingbacks are open.