କଣିହାଁ,(ବି.ବି.ନ୍ୟୁଜ୍): ଭରତପୁର କୋଇଲା ଖଣିରେ ଦୁର୍ଘଟଣା ପରଠାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜନୈତିକ ଦଳ, କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଗୁରୁତର ପ୍ରଭାବିତ ହୋଇଛି । ଦୁର୍ଘଟଣାପରଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପାୱାର୍ ପ୍ଲାଣ୍ଟ୍କୁ ଧାର୍ଯ୍ୟ ମୁତାବକ କୋଇଲା ଯୋଗାଣ ବ୍ୟାହତ ହୋଇଛି । ଏଥିଲାଗି କଣିହାଁ ସ୍ଥିତ ଏନ୍ଟିପିସି ବିଦ୍ୟୁତ୍ ପ୍ରକଳ୍ପରେ କୋଇଲା ସଂକଟ ଗୁରୁତର ହୋଇଛି । କୋଇଲା ଅଭାବରୁ ଏନ୍ଟିପିସିର ମୋଟ ୬ଟି ୟୁନିଟ୍ରୁ ଆଜି ସୁଦ୍ଧା ୪ଟିକୁ ବନ୍ଦ କରି ଦିଆଯାଇଛି । କେବଳ ଏତିକି ନୁହେଁ, ଆଉ ମାତ୍ର ୪ ହଜାର ମେଟ୍ରିକ୍ ଟନ୍ କୋଇଲା ମହଜୁଦ୍ ରହିଛି । କାର୍ଯ୍ୟକ୍ଷମ ଥିବା ଦୁଇଟି ୟୁନିଟ୍ରୁ ୧୦୦୦ରୁ କମ୍ ମେଗାୱାଟ ବିଜୁଳି ଶକ୍ତି ଉତ୍ପନ୍ନ ହେଉଛି ବୋଲି ଏନ୍ଟିପିସି ପକ୍ଷରୁ ସୂଚନା ଦିଆଯାଇଛି ।
ଶୁକ୍ରବାର ଏମ୍ସିଏଲ୍ ଇବ୍ଭ୍ୟାଲି ଓ ସିଙ୍ଗ୍ରେଣୀ ମାଇନ୍ସରୁ ୧୪ ହଜାର ମେଟ୍ରିକ୍ ଟନ୍ କୋଇଲା ଏନ୍ଟିପିସିକୁ ଯୋଗାଣ ହୋଇଛି । ହେଲେ ଏହି ପରିମାଣ ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ତାଳଚେର କୋଲଫିଲ୍ଡ୍ସରୁ କୋଇଲା ଯୋଗାଣ ସ୍ୱାଭାବିକ ନହେଲେ ଏନ୍ଟିପିସିରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ସଂପୂର୍ଣ୍ଣ ଠପ୍ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।
କଣିହାଁ ପ୍ରକଳ୍ପରେ ୩ ହଜାର ମେଗାୱାଟ୍ କ୍ଷମତା ସମ୍ପନ୍ନ ୬ଟି ୟୁନିଟ୍ (ପ୍ରତ୍ୟେକ ୫ ଶହ ମେଗାୱାଟ ବିଶିଷ୍ଟ) ସ୍ଥାପନ ହୋଇଛି । ପୂର୍ଣ୍ଣ କ୍ଷମତାରେ ପ୍ରକଳ୍ପରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍ କୋଇଲା ଆବଶ୍ୟକ ହୋଇଥାଏ । କଣିହାଁ କୋଇଲା ଖଣିରୁ ୨୫/୩୦ହଜାର ଟନ୍ ଓ ତାଳଚେର ଲିଙ୍ଗରାଜ ଖଣିରୁ ୨୫/୩୦ହଜାର ଟନ୍ କୋଇଲା ନିୟମିତ ଏନ୍ଟିପିସିକୁ ଯୋଗାଇ ଦିଆଯାଇଥାଏ । ସେପଟେ ଭରତପୁର ଖଣି ଟ୍ରାଜେଡି ପରଠାରୁ ତାଳଚେର କୋଲ୍ଫିଲଡ଼୍ସରୁ କୋଇଲା ଉତ୍ପାଦନ ଓ ପରିବହନ ବ୍ୟାହତ ହୋଇଛି । ଅନ୍ୟାନ୍ୟ ଉତ୍ସରୁ କୋଇଲା ଆଣି ଭରଣା କରିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତା’ ସମ୍ଭବ ହୋଇନାହିଁ । ଗତ ୨୫ ତାରିଖଠାରୁ ଏନ୍ଟିପିସି କଣିହାଁ ପ୍ରକଳ୍ପକୁ କୋଇଲା ଯୋଗାଣ ସମ୍ପୂର୍ଣ ବ୍ୟାହତ ହୋଇଛି । କୋଇଲା ଅଭାବରୁ ଗତ ୨୯ ତାରିଖଠାରୁ ଏନ୍ଟିପିସିର ୩ଟି ୟୁନିଟ୍ ବନ୍ଦ ରହିଥିଲା ବେଳେ ଗତକାଲି ଆଉ ଗୋଟିଏ ୟୁନିଟ୍କୁ ବନ୍ଦ କରି ଦିଆଯାଇଛି ।
Comments are closed, but trackbacks and pingbacks are open.