ଶାମାଖୁଣ୍ଟା,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାହାଦୂର ଗ୍ରାମରେ ଘର ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବାରୁ ନିଆଁ ଲାଗି ଘର ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଘଟଣ ବେଳେ ଘରେ କେହି ସଦସ୍ୟ ନଥିବାରୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।
ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବାହାଦୂର ଗ୍ରାମ ସ୍ଥିତ ଡିଭାଇନ୍ କଲେଜ ସମ୍ମୁଖରେ ଥିବା ବିଧବା ନିଶାମଣି ମହାନ୍ତଙ୍କ ଛପର ଘର ପାଖ ଦେଇ ଯାଇଥିବା ୧୧ କେଭି ତାର ଛିଣ୍ଡି ପଡ଼ିଥିଲା । ବିଦ୍ୟୁତବାହୀ ତାର ସଂସ୍ପର୍ଶରେ ଆସି ଘରେ ନିଆଁ ଲାଗି ଜଳିବାକୁ ଲାଗିଥିଲା । ସୌଭାଗ୍ୟକୁ ସେହି ସମୟରେ ନିଶାମଣି ପାଖ ଘରକୁ ଯାଇଥିଲେ ଏବଂ ତାଙ୍କ ବଡ଼ ପୁଅ ଅର୍ଜୁନ କାମ କରିବାକୁ ବାହାରକୁ ଯାଇଥିଲେ । ବାହାଦୂରପୁର ଗ୍ରାମବାସୀ ବାରିପଦା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ଆସି ନିଆଁ ଲିଭାଇବା ବେଳକୁ ଘରଟି ପୋଡ଼ି ପାଉଁଶ ହୋଇଯାଇଥିଲା । ଘରେ ଥିବା ନଗଦ ଟଙ୍କା, ଚାଉଳ, ଜମି ପଟ୍ଟା, ଦରକାରୀ କାଗଜ ପତ୍ର, ଆସବାବପତ୍ର, ଲୁଗାପଟା ସବୁ ପାଉଁଶ ହୋଇସାରିଥିଲା ।


Comments are closed, but trackbacks and pingbacks are open.