ପୁରୀ,(ବି.ବି.ନ୍ୟୁଜ୍): ପୁରୀ ସହରବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ । ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ସିଦ୍ଧ ମହାବୀର ରେଳ ଓଭରବ୍ରିଜ୍ (ଆର୍ଓବି) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି । ପୁରୀ ସାଂସଦ ପିନାକୀ ମିଶ୍ର ଶନିବାର ଏହି ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି ।
ଏକ ଟୁଇଟ୍ରେ ସେ ରେଳ ଓଭରବ୍ରିଜ୍କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଥିବାର ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଅନୁମୋଦନ ପରେ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଏବେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ କରିବେ ।
ଏହି ଖବର ପାଇବା ପରେ ଓଭରବ୍ରିଜ ନିର୍ମାଣ ପାଇଁ ଆନ୍ଦୋଳନ ଚଳାଇଥିବା ଜନ ଜାଗରଣ ମଞ୍ଚ କହିଛି ଓଭରବ୍ରିଜ୍ ନିର୍ମାଣ ଆରମ୍ଭ ନ ହେବା ଯାଏ ମଞ୍ଚର ଆନ୍ଦୋଳନ ଜାରି ରହିବ ।
ଏହି ଓଭରବ୍ରିଜ ନିର୍ମାଣ ପରିକଳ୍ପନା ଆରମ୍ଭ ହେବା ପରେ ପ୍ରଶାସନ ପକ୍ଷରୁ ଯୁଗ୍ମ ସର୍ଭେ ହୋଇଥିଲା । ଏହି ସର୍ଭେ ଏବଂ ପ୍ରକଳ୍ପ ଡିପିଆର୍ ମୁତାବକ ଓଭରବ୍ରିଜ ନିର୍ମାଣ ପାଇଁ ଆବଶ୍ୟକ ହେବ ୭୭୦୦ ବର୍ଗ ମିଟର ଜମି । ଏଥିପାଇଁ ଜମି ଅଧିଗ୍ରହଣ କରାଯିବ । ଏହା ଦ୍ୱାରା ଛୋଟ ବଡ଼ ମୋଟ ୧୬୫ କୋଠା ଭଙ୍ଗାଯିବ । ରେଳ ଓଭରବ୍ରିଜ ନିର୍ମାଣରେ ମୋଟ ୫୩ କୋଟି ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୩୧୬ ନମ୍ବର ଜାତୀୟ ରାଜପଥ ପୁରୀ କୋଣାର୍କ ବେଳାଭୂମି ମାର୍ଗ ସିଦ୍ଧମହାବୀର ଓଭରବ୍ରିଜର ଲମ୍ବା ହେବ ୬୩.୮୪ ମିଟର । ଏହି ରେଳ ଓଭରବ୍ରିଜ ରାସ୍ତା ଦୁଇ ଲେନ ବିଶିଷ୍ଟ ହେବ । ୨୦୧୮ ଶେଷଭାଗରେ ଏହି ପ୍ରକଳ୍ପ ସବିଶେଷ ବିବରଣୀ (ଡିପିଆର)କୁ କେନ୍ଦ୍ର ଭୂପୃଷ୍ଠ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଏହାକୁ କେନ୍ଦ୍ର ସରକାର ଏବେ ଅନୁମୋଦନ ଦେଇଛନ୍ତି ।
Comments are closed, but trackbacks and pingbacks are open.