ଭୁବନେଶ୍ୱର, (ବି.ବି.ବ୍ୟୁରୋ): ପ୍ରଚଣ୍ଡ ମାନସିକ ଚାପରେ ପଡ଼ି କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଛନ୍ତି । ଏଥିପାଇଁ କୌଣସି ସରକାରୀ ସଂସ୍ଥା ଦାୟୀ ନୁହନ୍ତି । ତଦନ୍ତକାରୀ ସଂସ୍ଥାର ଅବହେଳା ଯୋଗୁ ଆତ୍ମହତ୍ୟା ଘଟିଛି ବୋଲି ଯେଉଁ ଅଭିଯୋଗ ଉଠିଥିଲା, ତାହା ଭିତ୍ତିହୀନ ।
୨୦୧୭ ଅକ୍ଟୋବରରେ କୋରାପୁଟ ଜିଲ୍ଲାର କୁନ୍ଦୁଲିରେ ଉଠିଥିବା ଗଣ ବଳାକ୍ରାର ଅଭିଯୋଗ ଏବଂ କେଇ ମାସ ପରେ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ବିଚାର ବିଭାଗୀୟ କମିସନ୍ ତାଙ୍କ ରିପୋର୍ଟରେ ଏକଥା ସ୍ପଷ୍ଟ କରିଛନ୍ତି ।
କୋରାପୁଟ ଜିଲ୍ଲା ଜଜ୍ ବିଦ୍ୟୁତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିସନଙ୍କ ରିପୋର୍ଟ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି । କମିସନଙ୍କ ସୁପାରିସ ଉପରେ ସରକାର କି ପଦକ୍ଷେପ ନେଇଛନ୍ତି ସେ ରିପୋର୍ଟ ବି ଗୃହରେ ରଖାଯାଇଛି ।
ସମସ୍ତ ତଥ୍ୟ ପ୍ରମାଣକୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିବା ପରେ କମିସନ୍ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ଗଣ ବଳାକ୍ରାର ଅଭିଯୋଗ ମନଗଢ଼ା । ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ, ରାଜ୍ୟ ଫୋରେନ୍ସିକ୍ ଲାବ୍ ଏବଂ କୋଲକାତା ସ୍ଥିତ ଫୋରେନ୍ସିକ୍ ଲାବ୍ର ରିପୋର୍ଟ ଏବଂ ସାକ୍ଷୀମାନଙ୍କ ଜେରାରୁ ଏକଥା ସ୍ପଷ୍ଟ ହେଉଛି । କୋରାପୁଟ ଜିଲ୍ଲା ଚିକିତ୍ସାଳୟ ଏବଂ ବ୍ରହ୍ମପୁରରୁ ଯାଇଥିବା ସ୍ୱତନ୍ତ୍ର ଦଳ ସେମାନଙ୍କ ଡାକ୍ତରୀ ମଇନା ରିପୋର୍ଟରେ ସହମତ ହୋଇ ଜଣାଇଛନ୍ତି ଯେ ବଳାକ୍ରାର ହୋଇଥିବାର କୌଣସି ଲକ୍ଷଣ କିମ୍ବା ପ୍ରମାଣ ନ ଥିଲା । ପୀଡ଼ିତାଙ୍କ ଅନ୍ତଃ ବସ୍ତ୍ରର ଫୋରେନ୍ସିକ୍ ଯାଞ୍ଚରେ ବି ବଳାକ୍ରାର ଘଟିଥିବା ନେଇ ପ୍ରମାଣ ମିଳି ନାହିଁ ।
ତେବେ କେଉଁ କାରଣରୁ ପୀଡ଼ିତା ଏଭଳି ମନଗଢ଼ା ଅଭିଯୋଗ ଆଣିଲେ ସେ ନେଇ କମିସନ୍ କୌଣସି ନିର୍ଦ୍ଦିଷ୍ଟ ମତ ଦେଇ ନାହାନ୍ତି ।
୨୦୧୮ ଜାନୁଆରୀ ୨୨ ତାରିଖ ଦିନ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ସୁଇସାଇଡ୍ ନୋଟ୍ରେ ସେ ସରକାରୀ ସଂସ୍ଥାକୁ ଦାୟୀ କରିଥିଲେ । ଲେଖିଥିଲେ, ପୁଲିସ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ବଳାକ୍ରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅବହେଳା କରିଛି । ଯେଉଁଥିପାଇଁ ତାଙ୍କ ମାନସିକ ଚାପ ବଢ଼ିଛି ଏବଂ ସେ ଗ୍ଳାନିରୁ ବଞ୍ଚିବା ପାଇଁ ଆତ୍ମହତ୍ୟା କରିଛନ୍ତି । ବିଭିନ୍ନ ତଥ୍ୟ ପ୍ରମାଣକୁ ଯାଞ୍ଚ କରି କମିସନ୍ ଦର୍ଶାଇଛନ୍ତି, ପୁଲିସ, କ୍ରାଇମବ୍ରାଞ୍ଚ, ମାନବାଧିକାର ସୁରକ୍ଷା ସେଲ୍ ସେମାନଙ୍କ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ କୌଣସି ପ୍ରମାଣ ସେ ପାଇ ନାହାନ୍ତି । ବରଂ ତତ୍ପରତାର ସହ ସେମାନେ କାର୍ଯ୍ୟ କରିଛନ୍ତି । ପୀଡ଼ିତାଙ୍କ ଏଭଳି ଅଭଯୋଗ ପଛରେ କାରଣ କ’ଣ ସେ ସଂପର୍କରେ କମିସନ୍ କୌଣସି ମତ ରଖି ନାହାନ୍ତି ।
କିନ୍ତୁ ଘଟଣାରେ ଗଣମାଧ୍ୟମ ଏବଂ ବିଭିନ୍ନ ରାଜନୈତିକ ଦଳର ଭୂମିକାକୁ ନେଇ କମିସନ୍ ଉଦ୍ବେଗ ପ୍ରକାଶ କରିଛନ୍ତି । ଦର୍ଶାଇଛନ୍ତି, ଘଟଣାରୁ ରାଜନୈତିକ ଫାଇଦା ଉଠାଇବା ଲାଗି କେତେକ ନିର୍ଦ୍ଦିଷ୍ଟ ଦଳ ଆନ୍ଦୋଳନ, ଧାରଣା କରି ସରକାରଙ୍କ ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରିଥିଲ । ଗଣମାଧ୍ୟମ ବି ମାତ୍ରାଧିକ ଉତ୍ସାହ ଦେଖାଇ ପୀଡ଼ିତାଙ୍କ ପ୍ରତିଟି ପଦକ୍ଷେପକ୍ୁ ପ୍ରକାଶ କରିଥିଲେ । ଯେଉଁଥିପାଇଁ ପୀଡ଼ିତାଙ୍କ ପରିଚୟ ଗୋପନ ରହିବା ବଦଳରେ ପ୍ରସାରିତ ହୋଇଥିଲା । ଏଥିଯୋଗୁଁ ପୀଡ଼ିତାଙ୍କ ମାନସିକ ଚାପ ଅଧିକ ବଢ଼ିଥାଇପାରେ ବୋଲି କମିସନ୍ ଦର୍ଶାଇଛନ୍ତି । ଯୌନ ଉତ୍ପୀଡ଼ନ ମାମଲାରେ ଗଣମାଧ୍ୟମ ଓ ବିଭିନ୍ନ ଅନୁଷ୍ଠାନ ସଂଯମତା ଅବଲମ୍ବନ କରିବା ଜରୁରି ବୋଲି ସେ କହିଛନ୍ତି ।
ରିପୋର୍ଟରେ କୁହାଯାଇଛି, ସାକ୍ଷୀଙ୍କ ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ ପୂର୍ବରୁ ଦୁଇ ଥର ପୀଡ଼ିତା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଥରେ ଯେତେବେଳେ ସେ କୋରାପୁଟ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ, ସେତେବେଳେ କ୍ୟବିନ୍ ଭିତରେ ନିଜର ଚୁନିକୁ ଫ୍ୟାନରେ ଲଗାଇ ଫାଶିରେ ଝୁଲିବାକୁ ଉଦ୍ୟମ କରିଥିଲେ । ଦ୍ୱିତୀୟ ଥର ଯେତେବେଳେ ସେ କୋଟପାଡ଼ ଛାତ୍ରୀ ନିବାସରେ ଥିଲେ । ୯ଟି ଆଇରନ୍ ବଟିକା ଖାଇ ଦେଇଥିଲେ । ଏଣୁ ଆତ୍ମହତ୍ୟା କରିବା ମାନସିକତା ତାଙ୍କର ଥିଲା ବୋଲି କମିସନ୍ ଦର୍ଶାଇଛନ୍ତି ।
ସୁପାରିସରେ କମିସନ୍ କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀମାନଙ୍କୁ କଠୋର ନିର୍ଦ୍ଦେଶ ଦିଆଯିବା ଜରୁରି ଯେ ଯୌନ ନିର୍ଯାତନା ମାମଲାର ତଦନ୍ତ ବେଳେ ଅଧାରୁ କୌଣସି ଜିନିଷ ଗଣମାଧ୍ୟମ ଅଗରେ ପ୍ରକାଶ କରିବା ମନା । ପୀଡ଼ିତାଙ୍କ ପରିଚୟ ବି ଗୋପନ ରଖିବା ଜରୁରି । ସରକାର ଏ ଦୁଇଟି ଯାକ ସୁପାରିସକୁ ଗ୍ରହଣ କରି ତଦନୁଯାୟୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆକ୍ସନ୍ ଟେକେନ୍ ରିପୋର୍ଟରେ ଦର୍ଶାଇଛନ୍ତି । ହେଲେ ପୀଡ଼ିତାଙ୍କ ପ୍ରତିମୂର୍ତ୍ତିକୁ କୁନ୍ଦୁଲି ଛକରୁ ଉଠାଇ ଦେବା ସୁପାରିସକୁ ଗ୍ରହଣ କରି ନାହାନ୍ତି ।
Comments are closed, but trackbacks and pingbacks are open.