ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଜମ୍ମୁ-କାଶ୍ମୀର ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଛି । ଗତକାଲି ଏହା ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା । ଏଥିସହିତ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।
ଲୋକସଭାରେ ଆଜି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଙ୍କଳ୍ପନାମା ଡିଭିଜନ ଭୋଟରେ ପାସ୍ ହୋଇଛି । ସଙ୍କଳ୍ପନାମା ସପକ୍ଷରେ ୩୫୧ ଓ ବିପକ୍ଷରେ ୭୨ ଭୋଟ ପଡିଥିଲା । ଜଣେ ସଦସ୍ୟ ଭୋଟରୁ ବିରତ ରହିଥିଲେ । ସେହିଭଳି ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ୨୦୧୯ ମଧ୍ୟ ଲୋକସଭାର ସ୍ୱୀକୃତି ପାଇଛି । ବିଲ୍ ସପକ୍ଷରେ ୩୭୦ ସଦସ୍ୟ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୭୦ ଜଣ ଭୋଟ ଦେଇଥିଲେ । ଏହି ବିଲ୍ରେ ଜମ୍ମୁ-କାଶ୍ମୀରକୁ ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ (ଜମ୍ମୁ-କାଶ୍ମୀର ଓ ଲଦାଖ)ରେ ପରିଣତ କରିବାର ପ୍ରାବଧାନ ରହିଛି । ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୧୯କୁ ମଧ୍ୟ ଲୋକସଭା ମଞ୍ଜୁରୀ ଦେଇଛି । ଏଥିରେ ରାଜ୍ୟର ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ଏସବୁ ବିଲ୍ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିବା ପରେ ଆଇନରେ ପରିଣତ ହେବ । ଯାହାଫଳରେ ଜମ୍ମୁ-କାଶ୍ମୀର ପାଇଁ ନୂଆ ଇତିହାସ ଲେଖାଯିବା ସହିତ ଏହାର ଭୁଗୋଳ ମଧ୍ୟ ବଦଳିଯିବ । ଗତକାଲି ଠାରୁ ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତ ରାଷ୍ଟ୍ରପତିଙ୍କ ଆଦେଶନାମାକୁ କାର୍ଯ୍ୟକାରୀ କରାଯାଇଛି ।
ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀର ସଂକ୍ରାନ୍ତ ସଙ୍କଳ୍ପନାମା ଓ ବିଲ୍ ଆଗତ କରି ଚର୍ଚ୍ଚା ଆରମ୍ଭ କରିଥିଲେ । କହିଥିଲେ ଧାରା ୩୭୦ ଉପରେ ସମ୍ବିଧାନ ସ୍ପଷ୍ଟର ଆଭିମୁଖ୍ୟ ରହିଛି । କିନ୍ତୁ ଏହାକୁ ନେଇ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ସୃ୍ଷ୍ଟି କରାଯାଇଛି । ୭୦ ବର୍ଷ ଧରି ଲାଗି ରହିଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି । କୁହାଯାଉଛି ଧାରା ୩୭୦ ଭାରତ ସହିତ କାଶ୍ମୀରକୁ ଯୋଡୁଛି । କିନ୍ତୁ ଏହା ଯୋଡୁନି ବରଂ ଯୋଡିବା ପଥରେ ଅନ୍ତରାୟ ସୃଷ୍ଟି କରୁଛି । ଯାହାକୁ ଆଜି ହଟାଇ ଦିଆଯାଇଛି । ଭୋଟ ବ୍ୟାଙ୍କ ପାଇଁ ୩୭୦କୁ ହଟାଇବା ଲାଗି ବିରୋଧ କରାଯାଉଛି । ଜମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯିବାକୁ ବିରୋଧୀମାନେ ବିରୋଧ କରୁଛନ୍ତି । କିନ୍ତୁ ସେଠାରେ ପରିସ୍ଥିତି ସ୍ୱାଭାବିକ ହେଲା ପରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବାରେ ସରକାରଙ୍କର କୌଣସି ଆପତ୍ତି ନାର୍ହିଁ । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ୍ ଜମ୍ମୁ-କାଶ୍ମୀରର ଅଂଶବିଶେଷ । ଏହା ମଧ୍ୟ ଆମର । ପୂର୍ବରୁ ଏହା ଉପରେ ଆମର ଯେଉଁ ଆଭିମୁଖ୍ୟ ରହିଥିଲା ଏବେ ମଧ୍ୟ ତାହା ବଳବତ୍ତର ରହିଛି । ୧୯୪୮ ଜାନୁଆରୀ ୨୦ରେ ୟୁଏନସିଆଇପି ଗଠନ ହେଲା । ଏହାର ପ୍ରସ୍ତାବକୁ ଭାରତ ଓ ପାକିସ୍ତାନ ମାନିଲେ । କିନ୍ତୁ ୧୯୬୫ରେ ପାକିସ୍ତାନୀ ସେନା ଭାରତୀୟ ସୀମାରେ ପ୍ରବେଶ କରିବା ପରେ ସେହିଦିନ ଠାରୁ ୟୁଏନ୍ସିଆଇପି ପ୍ରସ୍ତାବ ଶେଷ ହୋଇଯାଇଛି ।
ଶାହ କହିଥିଲେ ଯେ କଂଗ୍ରେସ ସଦସ୍ୟ ମନୀଷ ତିୱାରୀ ଇତିହାସ କଥା କହିଥିଲେ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ସୀମାରେ ଅଟକି ଯାଇଥିଲେ । ୧୯୪୮ରେ ପାକିସ୍ତାନ ଉପରେ ଭାରତ ବିଜୟ ହାସଲ କରିବାକୁ ଯାଉଥିଲା ବେଳେ ପଣ୍ଡିତ ଜବାହରଲାଲ ନେହରୁ ଯୁଦ୍ଧବିରତି ଘୋଷଣା କରିଥିଲେ । ସେଥିପାଇଁ ପିଓକେ ଏବେ ପାକିସ୍ତାନ ଅଧୀନରେ ରହିଛି । ନହେଲେ ଆମ ପାଖରେ ଥାନ୍ତା । କଂଗ୍ରେସ ସଦସ୍ୟ ଅଧୀନ ରଞ୍ଜନ ଜାତିସଂଘ କଥା କହୁଛନ୍ତି । କିନ୍ତୁ ଜାତିସଂଘକୁ କାଶ୍ମୀର ପ୍ରସଙ୍ଗକୁ କିଏ ନେଇଥିଲେ । ପଣ୍ଡିତ ନେହୁର ହିଁ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘକୁ ନେଇଥିଲେ । ଅତୀତରେ ଯେଉଁ ଐତିହାସିକ ଭୁଲ ହୋଇଥିଲା ତାକୁ ଆମେ ସୁଧାରିଛୁ । ଆଜିର ଘଟଣା ଯଦି କେବେ ମନେପକାଇବେ ତେବେ ଇତିହାସ ନରେନ୍ଦ୍ର ମୋଦିଙ୍କୁ ବର୍ଷ ବର୍ଷ ଧରି ମନେ ରଖିବ । ଶଶି ଥରୁର ଜୀ ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ୧୯୮୯ରୁ ଏପର୍ଯ୍ୟନ୍ତ ୪୧,୯୦୦ ଲୋକ ପ୍ରାଣ ହରାଇଛନ୍ତି । ଏଥିପାଇଁ ଦାୟୀ କିଏ?
ଧାରା ୩୭୦ କାଶ୍ମୀରରେ ଅସ୍ଥାୟୀ ଭାବେ ଲାଗୁ କରାଯାଇଥିଲା । ଏହାକୁ ହଟାଇବାର ଆବଶ୍ୟକତା ଏଇଥିପାଇଁ ପଡିଲା ଯେ ତାହା ସଂସଦର ଅଧିକାରକୁ କମ୍ କରୁଥିଲା । ପାକିସ୍ତାନ ବିଚ୍ଛିନ୍ନାବାଦୀଙ୍କୁ ଉସୁକାଇବାର କାରଣ ଥିଲା ଧାରା ୩୭୦ । ଜମ୍ମୁ-କାଶ୍ମୀର ବିଧାନସଭାର ଅନୁମତି ବିନା ଦେଶର କୌଣସି ଆଇନ ସେଠାରେ ଲାଗୁ ହେଉନଥିଲା । ଏହା ବିକାଶରେ ବାଧକ ସାଜିଥିଲା । ଏହା ମୁସଲିମ ଓ ଦଳିତ ବିରୋଧୀ । ଏହା ଯୋଗୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବଢ଼ିଛି । କୁହାଯାଉଛି କି ଦାରିଦ୍ର୍ୟ ଯୋଗୁ ଆତଙ୍କବାଦ ବଢ଼ିଛି । ଜଣେ ଗରିବ କେବେ ବି ଆତଙ୍କବାଦୀ ହୁଏନାହିଁ । କିନ୍ତୁ ୩୭୦ ଯୋଗୁ ଆତଙ୍କବାଦର କାୟା ବଢ଼ିଗଲା । ୩ଟି ପରିବାର ତାହାର ଲାଭ ଉଠାଇଥିଲେ । ୩ଟି ସମ୍ମୁଖ ଯୁଦ୍ଧରେ ହାରିବା ପରେ ପାକିସ୍ତାନ ଆତଙ୍କବାଦକୁ ଛାୟାଯୁଦ୍ଧରେ ପରିଣତ କରିଥିଲା । ଧାରା ୩୭୦ ଜମ୍ମୁ-କାଶ୍ମୀରର ବିକାଶ ଓ ଲୋକତନ୍ତ୍ରରେ ବାଧକ ସାଜିଛି । ଯାହାଫଳରେ ଭ୍ରଷ୍ଟାଚାର ବଢ଼ିଛି, ଗରିବୀ ବଢ଼ିଛି, ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରିନି । ଏହା ଦଳିତ, ମହିଳା ଓ ଆଦିବାସୀ ବିରୋଧୀ । ଏହା ଆତଙ୍କବାଦକୁ ଖାଦ୍ୟ ଓ ପାନୀୟ ଯୋଗାଉଛି । ବାଲ୍ୟ ବିବାହ ନିରୋଧ ଆଇନ, ଶିକ୍ଷା ଅଧିକାର ଆଇନ, ଜମି ଅଧିଗ୍ରହଣ, ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ କୌଣସି ଆଇନ ଏଠାରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଡିଜିଟାଲ ବ୍ୟବସ୍ଥା ସମଗ୍ର ଦେଶରେ କାର୍ଯ୍ୟକାରୀ ହେଲା । କିନ୍ତୁ ଜମ୍ମୁ-କାଶ୍ମୀରରେ ଗ୍ରହଣ କରାଗଲା ନାହିଁ । କିନ୍ତୁ ଆଉ ଏସବୁ ହେବ ନାହିଁ ବୋଲି ଶାହ କହିଥିଲେ ।
ଅନ୍ୟପକ୍ଷରେ ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତ ରାଷ୍ଟ୍ରପତିଙ୍କ ଆଦେଶନାମାକୁ ସୁପ୍ରିମକୋର୍ଟରେ ଆଜି ଚାଲେଞ୍ଜ କରାଯାଇଛି । ଆଡଭୋକେଟ ମନୋହରଲାଲ ଶର୍ମାଙ୍କ ପକ୍ଷରୁ ଦାଖଲ ଏହି ପିଟିସନରେ ଦର୍ଶାଯାଇଛି ଯେ ଧାରା ୩୭୦ ହଟାଇବା ଲାଗି ସରକାରଙ୍କ ଦ୍ୱାରା ଧାରା ୩୬୭ରେ କରାଯାଇଥିବା ସଂଶୋଧନ ମନମାନି ଓ ଅସାମ୍ବିଧାନିକ । ଜମ୍ମୁ-କାଶ୍ମୀର ବିଧାନସଭାର ବିନା ଅନୁମୋଦନରେ ଏହି ଧାରାକୁ ଉଚ୍ଛେଦ କରାଯାଇଛି । ତେଣୁ ଧାରା ୩୭୦ ଉଚ୍ଛେଦ ସଂକ୍ରାନ୍ତରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଶର୍ମା ତାଙ୍କ ପିଟିସନରେ ଦର୍ଶାଇଛନ୍ତି । ଏଥିସହିତ ବୁଧବାର ତାଙ୍କ ପିଟିସନ ଉପରେ ଶୁଣାଣି କରିବା ଲାଗି ଶର୍ମା ମଧ୍ୟ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.