କୁଖ୍ୟାତ ଅପରାଧୀ ସେକ୍ ମେହେତାବକୁ ଏନ୍କାଉଣ୍ଟର

Get real time updates directly on you device, subscribe now.

କେନ୍ଦ୍ରାପଡ଼ା, (ବି.ବି.ନ୍ୟୁଜ୍): କିଛି ମାସ ନଯାଉଣୁ କେନ୍ଦ୍ରାପଡ଼ାରେ ପୁଣି ଏନ୍କାଉଣ୍ଟର । ବିଭିନ୍ନ ସମୟରେ ପୁଲିସକୁ ଚକ୍ମା ଦେଇ ଖସି ଯାଉଥିବା କୁଖ୍ୟାତ ଅପରାଧୀ ସେକ୍ ମେହେତାବକୁ ଏନ୍କାଉଣ୍ଟର କରିଛି ସ୍ପେଶାଲ ସ୍କ୍ୱାଡ୍ ଓ କେନ୍ଦ୍ରାପଡ଼ା ପୁଲିସ । କୌଣସି କାମରେ ସେ ପଟ୍ଟାମୁଣ୍ଡାଇ ଯାଇଥିଲା । ସଦର ଥାନା ଅଧୀନ ସାନ୍ତସାହି-ଗଣ୍ଡାକିଆ ରାସ୍ତା ଦେଇ ଏକ ବାଇକ୍ରେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲା । ପୁଲିସ ତା’ ପିଛା କରୁଥିବା ଖବର ପାଇ ସେ ଖସି ପଳାଉଥିବା ବେଳେ କେନ୍ଦ୍ରାପଡ଼ା ସଦର ଥାନା ଗଣ୍ଡାଖିଆ-ସାନ୍ତସାହି ରାସ୍ତାର ଆୟବା ଗଡ଼ା ଆଗରେ ରାତି ପ୍ରାୟ ୩ଟା ବେଳେ ତାକୁ ଏନ୍କାଉଣ୍ଟର୍ କରିଥିଲା ପୁଲିସ । ମେହେତାବର ଦୁଇ ଗୋଡ଼ର ଆଣ୍ଠୁ ତଳକୁ ଦୁଇଟି ଗୁଳି ବାଜିଛି । ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପୁଲିସ ତା’ଠାରୁ ଏକ ନମ୍ୱରବିହୀନ ବାଇକ୍, ୯ ଏମ୍ଏମ୍ର ଏକ ମାଉଜର, ୨ଟି ଗୁଳି, ଏକାଧିକ ବେନାମୀ ସିମ୍ କାର୍ଡ, ସ୍ମାର୍ଟଫୋନ୍ ଆଦି ଜବତ କରିଛି ।
ସ୍ପେସାଲ ସ୍କ୍ୱାଡ୍ର ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୩ଟା ବେଳେ ମେହେତାବ ବାଇକ୍ରେ ପଟ୍ଟାମୁଣ୍ଡାଇରୁ ଫେରୁଥିବା ପୁଲିସ ସୂଚନା ପାଇଥିଲା । ସ୍କ୍ୱାଡ୍ ଓ ସଦର ପୁଲିସ ତାକୁ ଆୟବା ଗଡ଼ା ନିକଟରେ ଅଟକାଇ ଆତ୍ମସମର୍ପଣ କରିବାକୁ ସତର୍କ କରିଥିଲେ । ମାତ୍ର ସେ ପୁଲିସ ଉପରକୁ ୪ ରାଉଣ୍ଡ ଫାୟାରିଂ କରିଥିଲା । ପୁଲିସ ବାଧ୍ୟହୋଇ ୫ ରାଉଣ୍ଡ ପାଲଟା ଗୁଳି ଚାଳନା କରିଥିଲା । ମେହେତାବ ସହ ତାର ଜଣେ ସହଯୋଗୀ ବାଇକ୍ ପଛରେ ବସିଥିଲେ ବି ସେ କୌଶଳକ୍ରମେ ଖସି ପଳାଇଥିଲା । ଗୋଡ଼ରେ ଗୁଳି ବାଜିବାରୁ ମେହେତାବ ଯାଇ ପାରିନଥିଲା, ଘଟଣାସ୍ଥଳରେ ଟଳିପଡ଼ିଥିଲା । ସେ ଏବେ କଟକ ବଡ ଡାକ୍ତରଖାନାରେ ପୁଲିସ ହେପାଜତରେ ଚିକିତ୍ସାଧୀନ ଅଛି ।
ମେହେତାବ ବହୁଚର୍ଚ୍ଚିତ ଗୁଲ୍ନଗର ଗୁଳିକାଣ୍ଡ ଘଟଣାରେ ସାମିଲ ଥିବା କହିଛି ପୁଲିସ । ସୁପାରି ନେଇ ସେ ଓ ତାର ସହଯୋଗୀମାନେ ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା (ବାବୁଲି)ଙ୍କ ଉପରକୁ ଗୁଳି ଚଳାଇଥିଲେ । ମେହେତାବ ନାଁରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୮ଟି ମାମଲା ସହ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ଥାନାରେ ଦୁଇ ଡଜନରୁ ଅଧିକ ମାମଲା ରହିଛି । ବିଶେଷକରି ସୁପାରି ନେଇ ହତ୍ୟା କରିବା, ଚୋରି, ଲୁଟ୍, ଛିନ୍ତାଇ, ରାହାଜାନି, ଡକାୟତି, ଦାଦାବଟି, ବୋମାମାଡ଼, ଗୁଳିକାଣ୍ଡ, ହତ୍ୟାକାଣ୍ଡରେ ସେ ଥିଲା ମାହିର । ସେ ନିର୍ଦ୍ଦିଷ୍ଟ କେଉଁ ଗ୍ୟାଙ୍ଗ୍ ଲାଗି କାମ କରୁଥଲା ତାହା ସ୍ପଷ୍ଟ ହୋଇନଥିଲେ ବି ଟିଟୋ ଗ୍ୟାଙ୍ଗରେ ସାମିଲ ଥିବା ସନ୍ଦେହ କରାଯାଉଛି ।
ତା ବିରୋଧରେ କେତେକ ମାମଲା ଏବେ ବିଚାରାଧୀନ ଥିବାବେଳେ ଆଉକିଛି ମାମଲାର ତଦନ୍ତ ଚାଲିଥିବା କହିଛନ୍ତି ସ୍ପେସାଲ ସ୍କ୍ୱାଡ୍ ଏସ୍ଆଇ ପ୍ରଦୀପ୍ତ କୁମାର କାନୁନଗୋ । ଅତୀତରେ ବାଲେଶ୍ୱରର ସିମୁଳିଆ ଏବଂ କେନ୍ଦ୍ରାପଡ଼ାର ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ତାକୁ ଧରିବାକୁ ପୁଲିସ ଉଦ୍ୟମ କରିଥିଲେ ବି ସେ ଦୁଇ ଥର ପୁଲିସ ଉପରକୁ ଗୁଳି ଚଳାଇ ଖସି ଯାଇଥିଲା । ବିଭିନ୍ନ ସମୟରେ ଅପରାଧ ଭିଆଇ ପୁଲିସକୁ ଚକ୍ମା ଦେଇ ଖସି ପଳାଇବାକୁ ସେ ସମର୍ଥ ହେଉଥିଲା । ନିକଟରେ ସେ କେନ୍ଦ୍ରାପଡ଼ା ସହରରେ ଥିବା ତା’ ନିଜ ଘରକୁ ଯା ଆସ କରୁଥିବା ଖବର ପାଇ ସ୍ପେସାଲ ସ୍କ୍ୱାଡ୍ ପୁଲିସ ତା ଉପରେ ନଜର ରଖିବା ସହ ତାକୁ ଧରିବାକୁ ଜାଲ ବିଛାଇଥିଲା । ଏଥିପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ଯୋଜନା, ଯାହା ଆଜି ଫଳପ୍ରସୂ ହୋଇଥିଲା । ଏନ୍କାଉଣ୍ଟର ଟିମ୍ରେ ସଦର ଆଇଆଇସି ମହେଶ୍ୱର ସେଠୀ ବି ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons