ପୁରୀ,(ବି.ବି.ବ୍ୟୁରୋ): ସାମାନ୍ୟ କଥାକୁ ନେଇ ଖେଳିଲା ଆତଙ୍କ । ପୁରୀରେ ପୁଣି ଜଣଙ୍କୁ ହାଣିଦେଲେ ଦୁର୍ବୃତ୍ତ । ଛପନ ଛକରେ ଅତି ନୃଶଂସ ଭାବେ ଜଣେ ଯୁବକଙ୍କୁ ହାଣିଥିବା ବେଳେ ମରଣ ସହ ଏବେ ଲଢେଇ କରୁଛି ଆହତ । ଆହତ ଜଣକ ହେଉଛନ୍ତି ବାସେଳୀ ସାହି ଥାନା ଅଧୀନ ତିଗିରିଆ ସାହି ହରିଜନ ବସ୍ତିର ଅର୍ଜୁନ ନାୟକ (୪୫) । ତାଙ୍କ ଡାହାଣ ହାତ ଓ ପାପୁଲିରେ ଚୋଟ ବାଜିଥିବାବେଳେ ଛାତିରେ ଗୋଟିଏ ଚୋଟ ବାଜିଛି । ଚୋଟରେ ସିଧା ଫୁସ୍ଫୁସ୍ କଣା ହୋଇଥିବା ଡାକ୍ତର କହିଛନ୍ତି । ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ମଙ୍ଗଳବାର ଅର୍ଜୁନ ଘରକୁ ଫେରୁଥିଲେ । ଛପନ ଛକରେ ତାଙ୍କୁ ଗୁଣ୍ଡା ଓ କ୍ରିଷ୍ଣା ନାମକ ୨ ଜଣ ଯୁବକ ଅଟକାଇଥିଲେ । ସେଦିନ କ’ଣ କହୁଥିଲୁ ବୋଲି କହି ତାଙ୍କୁ ଅତର୍କିତ ଭାବେ ହାଣିଥିଲେ । ଉଭୟ ତାଙ୍କୁ ଖଣ୍ଡାରେ ହାଣିଥିବା ଅଭିଯୋଗ ହୋଇଛି । ହାତ, ପାପୁଲିି ଓ ଛାତିକୁ ୩ଟି ଚୋଟ ମାରିଥିଲେ । ଛାତିରେ ବାଜିଥିବା ଚୋଟଟି ବେଶି ପ୍ରଭାବିତ ହୋଇଛି । ସିଧା ଫୁସ୍ଫୁସ୍ ଉପରେ ଆଘାତ ଲାଗିଛି । ଫୁସ୍ଫୁସ୍ କଣା ହୋଇଯାଇଥିବାବେଳେ ଅର୍ଜୁନ ସଂଜ୍ଞାହୀନ ହୋଇ ପଡ଼ିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସର୍ଜରୀ ସ୍ପୋଶାଲିଷ୍ଟ ଡା. ପି ସି ପାତ୍ର ତାଙ୍କୁ ଏମ୍ସ୍ ସ୍ଥାନାନ୍ତର କରିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ଡାକ୍ତର ଶ୍ରୀ ପାତ୍ର କହିଛନ୍ତି ।
ତେବେ ଏକ ସାମାନ୍ୟ କଥାରୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ୪ ଦିନ ତଳେ ହରିଜନ ସାହିରେ ନଳା ଉପରେ ଏକ ସ୍ଲାବ୍ ପଡ଼ିଥିଲା । ନୂଆ କାମ ହୋଇଥିବାରୁ ଏହି ସ୍ଲାବ୍ ଉପରେ ଯାତାୟତ କରାଯାଉ ନଥିଲା । ଗୁଣ୍ଡା ଓ କ୍ରିଷ୍ଣା ଏହି ସ୍ଲାବ୍ ଉପରେ ବାଇକ ସହ ଯିବାକୁ ଉଦ୍ୟମ କରିବାବେଳେ ବାରଣ କରିଥିଲେ ଅର୍ଜୁନ । ଅନ୍ୟ ବାଟ ଦେଇ ଯିବା ପାଇଁ କହିବାରୁ ଉଭୟ ଅଭିଯୁକ୍ତ ଉତ୍ୟକ୍ତ ହୋଇ ଗାଳି ଗୁଲଜ କରିଥିଲେ । ସେମାନଙ୍କୁ ବାରଣ କରିବା ମହଙ୍ଗା ପଡିବ ବୋଲି ଧମକ ଦେଇଥିଲେ । ଏନେଇ ତାଙ୍କୁ ହାଣିବେ ବୋଲି ଧମକ ଦେଇ ଦୁହେଁ ଚାଲି ଯାଇଥିଲେ ।
Comments are closed, but trackbacks and pingbacks are open.