ଅନୁଗୁଳ,(ବି.ବି.ନ୍ୟୁଜ୍): ଭରତପୁର କୋଇଲା ଖଣି ଟ୍ରାଜେଡି ପରଠାରୁ ତାଳଚେର କୋଲଫିଲ୍ଡ଼୍ସର ୧୦ଟି ଯାକ କୋଇଲା ଖଣିରେ ଗତ ୧୪ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି । ଆଜି ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତାରେ ଅନୁଷ୍ଠିତ ତ୍ରିପାକ୍ଷିକ ରୁଦ୍ଧଦ୍ୱାର ବୈଠକରେ ସମାଧାନର ବାଟ ଫିଟିଛି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଜଣକୁ ନିଯୁକ୍ତି ପ୍ରତିଶ୍ରୁତି ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀ ଆନ୍ଦୋଳନରୁ ଓହରିଛନ୍ତି ।
ଗତ ୨୩ ତାରିଖ ରାତିରେ ଭରତପୁର କୋଇଲା ଖଣିରେ ମାଟି ଧସିବା ଯୋଗୁଁ ୪ ଜଣଙ୍କର ପ୍ରାଣହାନି ଘଟିଥିଲା । ୯ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣା ପରଠାରୁ ଦୀର୍ଘ ୧୪ ଦିନ ହେଲା କୋଇଲା ଖଣି ଗୁଡ଼ିକରେ ଅଚଳାବସ୍ଥା ଲାଗି ରହିଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ରାଜନୈତିକ ଦଳ, ମୃତକଙ୍କ ପରିବାର, କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନକୁ ଓହ୍ଲାଇବାରୁ ସମଗ୍ର ତାଳଚେର କୋଲ୍ଫିଲ୍ଡ଼୍ସରେ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା । କୋଇଲା ଅଭାବରୁ ତାପଜ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକ ବନ୍ଦ ହେବା ସ୍ଥିତିରେ ପହଞ୍ଚିଥିଲା । ଏନ୍ଟିପିସି କଣିହାଁର ୬ଟି ୟୁନିଟ୍ରୁ ୪ଟି ଓ ଥର୍ମାଲ୍ ଟିଟିପିଏସ୍ର ୬ଟି ୟୁନିଟ୍ରୁ ୫ଟି ୟୁନିଟ୍ରୁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଥିଲା । କୋଇଲା ସଙ୍କଟ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରୟାସ ଚଳାଇଥିଲା । ଏଥିଲାଗି ଚାରିଆଡ଼ୁ ଚାପ ମଧ୍ୟ ପଡ଼ିଥିଲା ।
ଖଣି କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ତ୍ରିପାକ୍ଷିକ ବୈଠକ ବସିଥିଲା । ବୈଠକରେ ଏସ୍ପି ମିତ୍ରଭାନୁ ମହାପାତ୍ର, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଏମ୍ସିଏଲ୍ର ବରିଷ୍ଠ ଅଧିକାରୀ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ମୃତକଙ୍କ ପରିବାର ଲୋକ ସାମିଲ୍ ହୋଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ରୁଦ୍ଧଦ୍ୱାର ବୈଠକ ବସିଥିଲା । ଆନ୍ଦୋଳନକାରୀ ମୃତକଙ୍କ ପରିବାରକୁ ୩ କୋଟିର କ୍ଷତିପୂରଣ ଓ ପରିବାରର ଜଣଙ୍କୁ ଏମ୍ସିଏଲ୍ରେ ସ୍ଥାୟୀ ନିଯୁକ୍ତି ଦେବାକୁ ଜିଦ୍ କରିଥିଲେ । ପ୍ରାୟ ୩ ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନା ପରେ ସମାଧାନର ବାଟ ବାହାରିଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୩୦ ଲକ୍ଷ ଟଙ୍କା ଏବଂ ପରିବାରରୁ ଜଣକୁ ଏବେ ଏଚ୍ପିସି କମ୍ପାନିରେ ଠିକା ନିଯୁକ୍ତି ମିଳିବ । ପରବର୍ତ୍ତୀ ସମୟରେ ଚାକିରି ସ୍ଥାୟୀ କରାଯିବ ବୋଲି ଏମ୍ସିଏଲ୍ ପ୍ରତିନିଧି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ନରମ ପଡ଼ିଥିଲେ । ବୃହତ୍ତର ଜାତୀୟ ସ୍ୱାର୍ଥକୁ ଦେଖି ମୃତକଙ୍କ ପରିବାର ଆନ୍ଦୋଳନରୁ ଓହରିଥିଲେ ବୋଲି ସୂଚନା ଦିଆଯାଇଥିଲା । ଏମ୍ସିଏଲ୍ କର୍ତ୍ତୃପକ୍ଷ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ଚେକ୍ ପ୍ରଦାନ କରିଥିଲେ ।
ଏ ନେଇ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ କହିଛନ୍ତି ଯେ, ବୈଠକ ଫଳପ୍ରଦ ହୋଇଛି । ୪ ମୃତକଙ୍କ ପରିବାର ଓ ସେମାନଙ୍କ ଗ୍ରାମବାସୀ, ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ନେଇ ବୈଠକ ବସିଥିଲା । କ୍ଷତିପୂରଣ ଓ ନିଯୁକ୍ତି ନେଇ ସେମାନଙ୍କର ଦାବି ରହିଥିଲା । ନିଯୁକ୍ତି ବାବଦକୁ ପ୍ରଥମେ ମୃତକଙ୍କ ପରିବାରର ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏଚ୍ପିସି କମ୍ପାନୀରେ ଉଚ୍ଚ ବେତନ ସହ ନିଯୁକ୍ତି ମିଳିବ । ପରବର୍ତ୍ତୀ ସମୟରେ ସ୍ଥାୟୀ ଚାକିରି ଦେବାକୁ ନିଷ୍ପତ୍ତି ହୋଇଛି । ସେହିପରି କ୍ଷତିପୂରଣ ବାବଦକୁ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏଥିରୁ ୨୫ ଲକ୍ଷ ଟଙ୍କା ଏମ୍ସିଏଲ୍ ଦେବ । ଅତିରିକ୍ତ ୫ ଲକ୍ଷ ଟଙ୍କା ଅନ୍ୟାନ୍ୟ ସୂତ୍ରରୁ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କହିଛନ୍ତି, ଦୀର୍ଘ ୧୪ ଦିନର ଅଚଳାବସ୍ଥା ପରେ ଆଜି ବୈଠକ ବସିଥିଲା । ଯେହେତୁ ବିଗତ ଦିନରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ବାବଦକୁ ୨୫ ଲକ୍ଷ ଟଙ୍କା ଦିଆଯାଇଛି । ସେହି ମର୍ମରେ ଏମ୍ସିଏଲ୍ ଟାଳଟୁଳ ନୀତି ଅବଲମ୍ବନ କରିଥିଲା । ସେମାନଙ୍କ ଭୁଲ୍ ପାଇଁ ୧୪ ଦିନ ଖଣି ବନ୍ଦ ରହିଲା । ଏଥିରେ ସମଗ୍ର ଭାରତ କୋଇଲା ବିହୁନେ ପ୍ରଭାବିତ ହେଲା । କୋଇଲା ସଙ୍କଟ ଯୋଗୁଁ ଦେଶ ଓ ରାଜ୍ୟର ବହୁଳ କ୍ଷତି ହେଲା । ଯଦି ଏମ୍ସିଏଲ୍ କର୍ତ୍ତୃପକ୍ଷ ଆରମ୍ଭରୁ ଉଚିତ୍ କ୍ଷତିପୂରଣ ନେଇ ଆଲୋଚନା କରିଥାନ୍ତେ ଏତେବଡ଼ କ୍ଷତି ହୋଇନଥାନ୍ତା କି କ୍ଷତିଗ୍ରସ୍ତ ଆନ୍ଦୋଳନକୁ ଓହ୍ଲାଇ ନଥାନ୍ତେ । ସୁରକ୍ଷାକୁ ନେଇ ମଧ୍ୟ ବୈଠକରେ ବିଷଦ୍ ଆଲୋଚନା ହୋଇଥିଲା ବୋଲି ବିଧାୟକ ସୂଚନା ଦେଇଥିଲେ ।
Comments are closed, but trackbacks and pingbacks are open.