ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରେସନ୍କାର୍ଡ ହାତେଇଥିବା ହିତାଧିକାରୀଙ୍କୁ ବାଦ୍ ଦେବାକୁ ସରକାର ଯେଉଁ ଢାଞ୍ଚା ଆପଣାଇଥିଲେ ଏବେ ସମାନ ଢାଞ୍ଚା ‘କାଳିଆ’ କ୍ଷେତ୍ରରେ ଆପଣାଇଛନ୍ତି । ରାଜ୍ୟ ସରକାର ‘କାଳିଆ’ରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯୋଗ୍ୟ ଚାଷୀ ପରିବାରଙ୍କୁ ତାଲିକାଭୁକ୍ତ କରିବା ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଫୁଲ ଦମରେ ଅଣ୍ଟା ଭିଡ଼ିଛି ବୋଲି ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।
ଶ୍ରୀ ଗର୍ଗ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରିବାକୁ ଚାହୁଁଛନ୍ତି । ବହୁ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଏ ସହାୟତା ପାଉଥିବା ଆମ ପାଖରେ ଅଭିଯୋଗ ପହଞ୍ଚିଛି । ତେଣୁ ଆମେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ଉଦ୍ୟମ ଆରମ୍ଭ କରିଛୁ । କାଳିଆ ସହାୟତା ପାଇଥିବା ୫୧ ଲକ୍ଷ ଚାଷୀ ପରିବାରର ତାଲିକା ୱେବସାଇଟରେ ଅପଲୋଡ଼ କରାଯାଇଛି । ଏଥିରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ସହ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାର ଅଛନ୍ତି । ପଞ୍ଚାୟତୱାରୀ ଏ ସଂପର୍କିତ ତାଲିକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସହ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଅଗଷ୍ଟ ୬ରୁ ୧୪ ଯାଏ ସର୍ବସାଧାରଣଙ୍କ ଅବଗତି ପାଇଁ ପ୍ରଦର୍ଶନ କରାଯାଉଛି ।
ଯଦି ଏ ତାଲିକାରେ ଥିବା କୌଣସି ହିତାଧିକାରୀ ଅଯୋଗ୍ୟ ବୋଲି କେହି ଅନୁଭବ କରନ୍ତି, ସେ ସଂପର୍କରେ ପଞ୍ଚାୟତସ୍ତରୀୟ ନୋଡାଲ ଅଫିସରଙ୍କୁ ଦରଖସ୍ତ ଆକାରରେ ଜଣାଇପାରିବେ । ସୂଚନାଦାତାଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବ । ଏପରିକି କୌଣସି ହିତାଧିକାରୀ ନିଜକୁ ଏ ଯୋଜନାରେ ଅଯୋଗ୍ୟ ଅନୁଭବ କରୁଥିଲେ ତାଲିକାରୁ ନିଜ ନାମ ବାଦ ଦେବାକୁ ଦରଖାସ୍ତ ଦେଇପାରିବେ । ଏପରିକି ସହାୟତା ରାଶି ଫେରାଇବାକୁ ଚାହିଁଲେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ସହାୟତା ରାଶି ଫେରସ୍ତ ପାଇଁ ଆବେଦନ କରିପାରିବେ ।
ସରକାରଙ୍କ ସୂଚନା ଅନୁସାରେ, ଯେଉଁ ଯୋଗ୍ୟ ଚାଷୀ ପରିବାରର କୌଣସି ସଦସ୍ୟ ଏଯାଏ ଚୟନ ହୋଇନାହାନ୍ତି କିମ୍ବା ଦରଖାସ୍ତ କରି ନାହାନ୍ତି ସେମାନେ ସାଧାରଣ ସେବା କେନ୍ଦ୍ରକୁ ଯାଇ ଅନ୍ଲାଇନରେ ଆସନ୍ତା ୧୪ ମଧ୍ୟରେ ଆବେଦନ କରିପାରିବେ । ସରକାରଙ୍କ ପାଖରେ ଏବେ ପ୍ରାୟ ୧ କୋଟି ଆବଦେନ ପଡ଼ି ରହିଛି । ଯୋଗ୍ୟ ଚାଷୀମାନେ କିଭଳି ଏ ତାଲିକାରେ ସାମିଲ ହେବେ ସେଥିପାଇଁ ପଞ୍ଚାୟତ, ବ୍ଳକ ଓ ଜିଲ୍ଲାସ୍ତରରେ କମିଟି ଗଠନ ହୋଇଛି । ସରକାର ଚାଷୀଙ୍କ ପାଇଁ ଏ ପ୍ରକ୍ରିୟାକୁ ବେଶ ଗମ୍ଭୀରତାର ସହ ନେଉଛନ୍ତି । ଏଥିରେ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଶ୍ରୀ ଗର୍ଗ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.