ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟର ଚାଷୀଙ୍କୁ ଦୀର୍ଘମିଆଦି ଭିତ୍ତିରେ ସହଯୋଗ କରିବେ ସରକାର । ‘କାଳିଆ’ ଯୋଜନା ଆଗାମୀ ୫ ବର୍ଷ ଯାଏ କାର୍ଯ୍ୟକାରୀ ହେବ । ଏ କାର୍ଯ୍ୟକ୍ରମର ସ୍ୱଚ୍ଛତା ପ୍ରତି ସରକାର ଧ୍ୟାନ ଦେବେ । ପ୍ରକୃତ ଚାଷୀ ପରିବାର କିଭଳି ‘କାଳିଆ’ ସହାୟତା ପାଇବେ ସେଥିପାଇଁ ତୃତୀୟ ପକ୍ଷ ଅନୁଧ୍ୟାନ କରିବ । ଚାଷୀ ଅଧକରୁ ଅଧିକ ଅମଳ ପାଇବାକୁ ଗୁଣାତ୍ମକ ବିହନ, ସାର ସହ ଜମିକୁ ସେଚ ଯୋଗାଇବାକୁ ସରକାର ପୂର୍ଣ୍ଣ ସହଯୋଗ କରିବେ । କୃଷି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯିବା ସହ ସରକାରୀ ବ୍ୟବସ୍ଥାରେ ‘କୃଷି’ ହିଁ ଅଗ୍ରାଧିକାର ପାଇବ । କୃଷିରେ ଆସିବ ବ୍ୟାପକ ସଂସ୍କାର ।
ରାଜ୍ୟ ସରକାର ଆଣିବାକୁ ଯାଉଥିବା ନୂଆ ‘କୃଷିନୀତି-୨୦୧୯’ରେ ଏହା ଉଲ୍ଲେଖ ରହିଛି । ଏହି କୃଷିନୀତି ଚିଠାସ୍ତରରେ ଅଛି । ରାଜ୍ୟ ସରକାର ଚାଷ-ଚାଷୀଙ୍କୁ ଫୋକସ୍ କରି ନୂଆ ନୀତି ଯେ ପ୍ରଣୟନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ତାହା ଜଳଜଳ । ଚାଷୀକୁଳର ସ୍ୱାର୍ଥର ସୁରକ୍ଷା ସହ ସେମାନଙ୍କ ଆୟକୁ ବହୁଗୁଣିତ କରିବାକୁ ଏ ନୀତିରେ ବହୁ ଗୋଲାପି କାର୍ଯ୍ୟକ୍ରମ ରଖିଛନ୍ତି ସରକାର । ୮ଟି ପ୍ରମୁଖ ଏଜେଣ୍ଡା (ସମୃଦ୍ଧି) ଆଧାରରେ ସରକାର ଏ ନୂଆ ନୀତିକୁ କାର୍ଯ୍ୟକାରୀ କରିବେ ।
ଚିଠା କୃଷି ନୀତିରେ ସରକାର ଦର୍ଶାଇଛନ୍ତି, ରାଜ୍ୟର ୬୧ଧ ଲୋକ କୃଷିକ୍ଷେତରେ କାମ କରି ପରିବାର ଭରଣପୋଷଣ କରୁଛନ୍ତି । ତେଣୁ ରାଜ୍ୟରୁ ଗରିବୀ ହଟାଇବା ସହ ଚାଷୀଙ୍କୁ ଅଧିକ ଆୟ ଦେବାକୁ ‘କାଳିଆ’ ଆଗାମୀ ୫ ବର୍ଷ ଯାଏ ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ସରକାର କେବଳ ଚାଷୀ ପରିବାରକୁ ଖରିଫ ଓ ରବି ଋତୁରେ ସହାୟତା ଦେବେନି, ଚାଷୀଙ୍କୁ ସଶକ୍ତ କରିବାକୁ ବହୁ ପଦକ୍ଷେପ ନେବେ । ଦୀର୍ଘମିଆଦି ଭିତ୍ତିରେ ଚାଷୀମାନଙ୍କୁ ଜୀବିକା ମଧ୍ୟ ଯୋଗାଇ ଦିଆଯିବ । ଚାଷୀମାନଙ୍କର ଡାଟାବେସ୍ ପ୍ରସ୍ତୁତ କରିବାକୁ ମଧ୍ୟ ଚିଠା ନୀତିରେ ସୁପାରିଶ କରାଯାଇଛି । ଏହି ଡାଟାବେସରେ ଚାଷୀଙ୍କ ତାଲିକା ସହ ଆଧାର ନଂ ଓ ମୋବାଇଲ ନଂ ମଧ୍ୟ ସ୍ଥାନିତ କରାଯିବ । ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯିବା ସହ ଚାଷୀଙ୍କ ପି-ପାସ୍, ଡିବିଟି ରେକର୍ଡ ଆଦିକୁ ଅନୁଧ୍ୟାନ କରାଯିବ । ନିୟମିତ ଭାବେ ‘କାଳିଆ’ ହିତାଧିକାରୀଙ୍କ ସଂପର୍କରେ ତୃତୀୟ ପକ୍ଷ ଅନୁଧ୍ୟାନ କରି ରିପୋର୍ଟ ଦେବ । ‘କାଳିଆ’ ଅଂଶୀଦାରମାନଙ୍କୁ ତାଲିମ ଦେବାକୁ ୟୁ-ଟ୍ୟୁବ ଓ ଡିଜିଟାଲ ଚ୍ୟାନେଲର ସହଯୋଗ ନିଆଯିବ । ‘କାଳିଆ ବାର୍ତ୍ତା’ ରେ ସରକାର ସମସ୍ତ ସୂଚନା ପ୍ରକାଶନ କରିବେ । ଜମିଜମା ରେକର୍ଡକୁ ମଧ୍ୟ ସଂଶୋଧନ କରାଯିବ । ଚାଷୀଙ୍କୁ ସହାୟତା କରିବାକୁ ୨୪ ଘଣ୍ଟିଆ ହେଲପ୍ଲାଇନ ଖୋଲିବା ସହ ଏ ଯୋଜନା ବଳରେ ଯେଉଁ ଚାଷୀମାନେ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବେ ସେମାନଙ୍କୁ କୃଷି ବିଭାଗ ସମ୍ମାନିତ କରିବ । ସଂପୃକ୍ତ ଅଫିସରମାନଙ୍କୁ ମଧ୍ୟ ସରକାର ସମ୍ମାନିତ କରିବେ ।
‘ସମୃଦ୍ଧି’ ଢ଼ାଞ୍ଚାରେ ଚାଷୀଙ୍କ ଜୀବନ ଓ ଜୀବିକାରେ ବହୁଳ ସଂସ୍କାର ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିରେ ଚାଷୀ କିଭଳି ଆଧୁନିକ ବିଜ୍ଞାନ ଓ କୌଶଳ ବିଦ୍ୟାକୁ ଆପଣାଇବ ତାକୁ ଗୁରୁତ୍ୱ ଦିଆଯାଇଛି । ଜଳବାୟୁ ପରିବର୍ତ୍ତନକୁ ଆଖିରେ ରଖି ନୂଆ କାର୍ଯ୍ୟକ୍ରମ, ଭିତ୍ତିଭୂମିର ଆଧୁନିକୀକରଣ, ଆମ ଚାଷୀଙ୍କ ଉତ୍ପାଦନ ପାଇଁ ଘରୋଇ ସହ ବିଶ୍ୱ ବଜାର ସୃଷ୍ଟିକୁ ଏ ଚିଠାରେ ଫୋକସ୍ କରାଯାଇଛି । ଚାଷୀମାନେ କିଭଳି ପାରମ୍ପରିକ ଚାଷରୁ ଅର୍ଥକରୀ ଫସଲ ଚାଷ କରିବାକୁ ଆଗ୍ରହୀ ହେବେ ସେଥିପାଇଁ ଚାଷରେ ନିୟୋଜିତ ମାନବ ସମ୍ବଳର ଦକ୍ଷତା ବିକାଶ କରାଯିବ ।
ଚିଠା ନୀତି କହୁଛି, କ୍ଷେତରୁ ଅଧିକ ଅମଳ ପାଇଁ ଗୁଣାତ୍ମକ ମାନର ବିହନ ବ୍ୟବହାର କରାଯିବ । ରାଜ୍ୟରେ ୧୦ ପ୍ରକାରର କୃଷି-ଜଳବାୟୁ ଜୋନ୍ ଥିବାରୁ ଏହାକୁ ଆଖିରେ ରଖି ଓୟୁଏଟିରେ ଜଳବାୟୁକୁ ସୁହାଇଲା ଭଳି ନୂଆ ବିହନ କିସମ ଉଦ୍ଭାବନକୁ ଗୁରୁତ୍ୱ ମିଳିବ । ଚାଷୀଙ୍କୁ ପିଓଏସ୍ରେ ବିହନ ବିକ୍ରି କରାଯିବ । ଏହା ବିହନର କଳାବଜାରୀକୁ ରୋକିବ । ପ୍ରାଣୀସମ୍ପଦକୁ ମଧ୍ୟ ଏ ନୂଆ କୃଷିନୀତିରେ କୃଷି ବିଭାଗ ଗୁରୁତ୍ୱ ଦେଇଛି । ଆମ ରାଜ୍ୟରେ ରାସାୟନିକ ସାର ବ୍ୟବହାର ଅପେକ୍ଷାକୃତ କମ୍ ଥିବାରୁ ଅଧିକ ଅମଳ ପାଇଁ ଏହାର ବ୍ୟବହାର ବଢ଼ାଇବାକୁ ଉତ୍ସାହିତ କରାଯିବ । ମାତ୍ର ଏହାସହ ଜୈବିକ ସାର ବ୍ୟବହାରକୁ ମଧ୍ୟ ଅଗ୍ରାଧିକାର ମିଳିବ । ଚାଷୀମାନେ ଠିକ୍ ସମୟରେ କିଭଳି ଗୁଣାତ୍ମକ ମାନର ସାର ପାଇବେ ସେଥିପାଇଁ ସେମାନଙ୍କୁ ହ୍ୱାଟସଆପ୍ରେ ସୂଚନା ମିଳିବ । ଗ୍ରାମାଞ୍ଚଳରେ ଚାଷୀଙ୍କୁ ସଚେତନ କରାଇବାକୁ ‘କିଷାନ ରଥ‘ ବୁଲିବ । ଫସଲକୁ ରୋଗପୋକ ଦାଉରୁ ସୁରକ୍ଷା ଦେବାକୁ କୀଟ ନାଶକ ବ୍ୟବହାର ଢ଼ାଞ୍ଚାରେ ମଧ୍ୟ ପରିବର୍ତ୍ତନ ଅଣାଯିବ ।
ଭାଗ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ମଡେଲ ଲ୍ୟାଣ୍ଡ ଲିଜିଂ ଆଇନ-୨୦୧୬ରେ କିଛି ସଂଶୋଧନ କରି ଲାଗୁ କରିବାକୁ ପ୍ରସ୍ତାବ ରହିଛି । ଏ ଆଇନରେ ଜମି ମାଲିକଙ୍କ ସୁରକ୍ଷା ସହ ଭାଗଚାଷୀମାନେ କିଭଳି ଲାଭ ଉଠାଇବେ ତାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଚାଷୀମାନେ ଜମିଜମା ସଂକ୍ରାନ୍ତରେ ଉଠାଉଥିବା ଲାଭ ପାଇଁ ଜମିର ଜିଓ ଟ୍ୟାଗିଂ କରାଯିବ । ଜିଲ୍ଲାସ୍ତରରେ ଜମିର ଫର୍ଟିଲିଟି ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହେବ ।
ଏ ନୂଆ କୃଷି ନୀତି ରାଜ୍ୟର ଚାଷୀ ପରିବାରଙ୍କ ଜୀବନରେ ନୂଆ ସଂସ୍କାର ଆଣିବ । ଚାଷୀଙ୍କ ଆୟକ ବୃଦ୍ଧି ସହ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଆଣିବ । ରାଜ୍ୟ ସରକାର କୃଷକମାନଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ଥିବାରୁ ଚାଷୀକୁଳର ସ୍ୱାର୍ଥର ସୁରକ୍ଷା ପାଇଁ ଏ ନୂଆ ଚିଠା ନୀତି ପ୍ରସ୍ତୁତ ହୋଇଛି ବୋଲି କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଦର୍ଶାଇଛନ୍ତି ।
Comments are closed, but trackbacks and pingbacks are open.