ବକ୍ସାଇଟ୍ ପରିବହନ ବନ୍ଦ, କୋଟିଏ କ୍ଷତ

Get real time updates directly on you device, subscribe now.

ଦାମନଯୋଡି଼,(ବି.ବି.ନ୍ୟୁଜ୍): ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଛି ମାଟି ଅତଡା ଓ ବଡ ବଡ ପଥର । ଏଥିଯୋଗୁ ନାଲକୋ ପ୍ଲାଣ୍ଟକୁ ବକ୍ସାଇଟ୍ ପରିବହନ କରୁଥିବା କନ୍ଭେୟର ବେଲ୍ଟ ଛିଣ୍ଡି ଯାଇଛି । ଗୁରୁବାର ପୂର୍ବାହ୍ନ ସାଢେ ୧୦ଟାରେ ହୋଇଛି ଏହି ଭୂସ୍ଖଳନ । ଏଥିଯୋଗୁ ମାଇନ୍ସରୁ ପ୍ଲାଣ୍ଟକୁ ବକ୍ସାଇଟ୍ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବେଲ୍ଟ ଛିଣ୍ଡିବା ଦ୍ୱାରା ଗତ ଦୁଇଦିନରେ ଏହି ନବରତ୍ନ କମ୍ପାନି ପ୍ରାୟ କୋଟିଏ ଟଙ୍କା କ୍ଷତି ସହିଥିବା ଜଣାପଡିଛି ।
ଲଗାଣ ବର୍ଷା ଯୋଗୁ ଗୁରୁବାର ପୂର୍ବାହ୍ନରେ ଆମ୍ବଗାଁ ନିକଟରେ ହୋଇଥିଲା ଭୂସ୍ଖଳନ । ମାଇନ୍ସରୁ ପ୍ଲାଣ୍ଟକୁ ଲମ୍ବିଥିବା କନ୍ଭେୟର ବେଲ୍ଟ ଉପରେ ଧସିଥିଲା ମାଟି ଓ ପଥର ଖଣ୍ଡ । ଏହାଦ୍ୱାରା ସିଲିଂ, ପୁଲିଂ ଓ ପ୍ରାୟ ୮ ଶହ ମିଟର ବେଲ୍ଟ ଲାଇନ୍ ଛିଣ୍ଡିଯାଇଥିଲା । ସଙ୍ଗେ ସଙ୍ଗେ କାରଖାନା ପକ୍ଷରୁ ଆରମ୍ଭ ହୋଇଥିଲା ଏହାର ମରାମତି କାର୍ଯ୍ୟ । ଗୋଟିଏ ପଟେ ପାହାଡ ପାଦଦେଶରେ ଚିକିଟା କାଦୁଅ, ଅଣଓସାରିଆ ଜାଗା । ଅନ୍ୟ ପଟେ ତୁହାକୁ ତୁହା ବର୍ଷା । ମରାମତି କାର୍ଯ୍ୟରେ ଏସବୁ ପ୍ରତିବନ୍ଧକ ସାଜିଛି । ତଥାପି କାରଖାନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ସାରିବା ଲାଗି ଶହେରୁ ଅଧିକ କର୍ମଚାରୀ ଏବଂ ଇଞ୍ଜିନିୟର ଲାଗିଛନ୍ତି । ବକ୍ସାଇଟ୍ ପରିବହନ କିଭଳି ଯଥାଶୀଘ୍ର ଆରମ୍ଭ ହେବ, ସେ ଦିଗରେ ପଦକ୍ଷେପ ନିଆଯାଉଛି । ଏହି ବେଲ୍ଟ ଲାଇନ୍ ଦ୍ୱାରା ପ୍ରତିଦିନ ମାଇନ୍ସରୁ ପ୍ଲାଣ୍ଟକୁ ୨୦ ହଜାର ଟନ୍ ବକ୍ସାଇଟ୍ ପରିବହନ ହୋଇଥାଏ । ମାଇନ୍ସରୁ ପ୍ଲାଣ୍ଟର ଦୂରତା ପ୍ରାୟ ୧୫ କିମି । ଚଳିତ ବର୍ଷ ମାଇନ୍ସରୁ ୭୩ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ ଲାଗି ଟାର୍ଗେଟ୍ ରହିଛି । ଶନିବାର ସୁଦ୍ଧା ବକ୍ସାଇଟ୍ ପରିବହନ ସ୍ୱାଭାବିକ ହେବ ବୋଲି କାରଖାନା ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons