ବୋରିଗୁମ୍ମା,(ବି.ବି.ନ୍ୟୁଜ୍): ଭଲ କରି ଦେଖନ୍ତୁ ଏ ଦୃଶ୍ୟ । ଚାରିପଟେ ଆଣ୍ଠୁଏ ଉଚ୍ଚରେ ଜମି ରହିଛି ପାଣି, ମଝିରେ ରହିଛି ସ୍କୁଲ । ମାନେ ପୋଖରୀ ଭିତରେ ସ୍କୁଲ ଥିଲା ଭଳି ପ୍ରତୀୟମାନ ହେଉଛି । ବର୍ଷା ୪ ମାସ ଦୁର୍ଦ୍ଦଶା ଭୋଗୁଛନ୍ତି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ । କେବଳ ପରିସରରେ ପାଣି ତା’ ନୁହେଁ, ଅଧିକାଂଶ ଶ୍ରେଣୀଗୃହରେ ବର୍ଷା ହେଲା ମାତ୍ରେ ସୁଅ ଛୁଟୁଛି । ଦାସିରିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ସମସ୍ୟା ପ୍ରତି ଆଖି ବୁଜି ଦେଇଛି ଶିକ୍ଷା ବିଭାଗ । ପ୍ରତି ବର୍ଷ ବର୍ଷା ଦିନେ ନାକେଦମ ହେଉଛନ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ।
୧୯୭୫ ମସିହା ଜୁଲାଇ ୨୯ ତାରିଖରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥିଲା । ଏ ଭିତରେ ପ୍ରାୟ ୪୪ ବର୍ଷ ବିତିଯାଇଛି । ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ଆସିଛି । ଭିତ୍ତିଭୂମି ସଜାଡିବା ଲାଗି ସରକାର ଏକାଧିକ ଯୋଜନା କରିଛନ୍ତି । କିନ୍ତୁ ସବୁ ଯୋଜନା ଏଠି ପାଣିରେ ପଡିଥିବା ଜଳ ଜଳ ହୋଇ ଦିଶୁଛି । ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ୨୦୭ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ପ୍ରଥମ ଓ ଦ୍ୱିତୀୟରେ ୬ ଜଣ ଲେଖାଏଁ, ତୃତୀୟ ଓ ଚତୁର୍ଥରେ ୫ଜଣ ଲେଖାଏଁ, ପଞ୍ଚମରେ ୮, ଷଷ୍ଠରେ ୫୭, ସପ୍ତମରେ ୫୨ ଏବଂ ଅଷ୍ଟମରେ ଅଛନ୍ତି ୬୮ଜଣ ପିଲା । ସେମାନଙ୍କ ପାଇଁ ୬ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ବିଡ଼ମ୍ବନାର ବିଷୟ, ପଢିବା ଲାଗି ଆବଶ୍ୟକ ଶ୍ରେଣୀଗୃହ ନାହିଁ । ମୋଟ ୫ଟି ଶ୍ରେଣୀଗୃହ ଥିବା ବେଳେ ସାମାନ୍ୟ ବର୍ଷା ହେଲେ ୩ଟି ଟିଣ ଘରେ ଲହଡି ଭାଙ୍ଗୁଛି ପାଣି । ବାଧ୍ୟ ହୋଇ ଶିକ୍ଷକମାନେ ବଳକା ଦୁଇଟି କୋଠରୀରେ ୨୦୦ରୁ ଅଧିକ ପିଲାଙ୍କୁ ବସାଉଛନ୍ତି । ୮ଟି ଶ୍ରେଣୀର ପିଲା ଦୁଇଟି କୋଠରୀରେ ବସିବା ଦ୍ୱାରା ପାଠପଢା ଗୁରୁତର ବାଧାପ୍ରାପ୍ତ ହେଉଛି ।
କୋଠରୀରେ ପାଣି, ବାହାରକୁ ବାହାରିଲେ ପାଣି । ମୋଟାମୋଟି କହିବାକୁ ଗଲେ, ପାଣି ଭିତରେ ଚାଲିଛି ଭବିଷ୍ୟତ ଗଢା । ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଦିନ ଦିନ ଧରି ଜମି ରହୁଛି ବର୍ଷା ପାଣି । ଏଭଳି ପରିତ୍ୟକ୍ତ ପରିବେଶରେ ପାଠପଢାଇବା ମୁସ୍କିଲ ହୋଇପଡିଛି । ପ୍ରତି ବର୍ଷ ସୃଷ୍ଟି ହେଉଛି ଏଭଳି ଅଭାବନୀୟ ପରିସ୍ଥିତି । ପ୍ରଶାସନ ଏବଂ ଶିକ୍ଷା ବିଭାଗ ଜଳକା ସାଜିଛନ୍ତି । ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଛନ୍ତି । ଖୋଦ୍ ବ୍ଲକ୍ ସଦର ମହକୁମାରେ ଥିବା ସ୍କୁଲର ଅବସ୍ଥା ଯଦି ଏଇୟା, ତା’ହେଲେ ଦୁର୍ଗମ ଅଞ୍ଚଳରେ ଥିବା ସ୍କୁଲର ଅବସ୍ଥା କ’ଣ ଥିବ ତାହା ସ୍ପଷ୍ଟ ବୁଝାପଡୁଛି ।
ଏ ସମ୍ପର୍କରେ ଆମେ ପ୍ରଧାନଶିକ୍ଷୟିତ୍ରୀ ସି.ଏଚ୍. ଲକ୍ଷ୍ମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ବହୁବାର ଜଣାଇଛନ୍ତି । କୌଣସି ପଦକ୍ଷେପ ନିଆଯାଇନାହିଁ । ସମସ୍ୟା ଏଭଳି ହୋଇଛି ଯେ, ବର୍ଷା ଛାଡିବାର ୧୦ରୁ ୧୫ ଦିନ ପର୍ଯ୍ୟନ୍ତ କୋଠରୀଗୁଡିକରେ ପାଣି ଜମି ରହୁଛି । ଦୂଷିତ ହେଉଛି ପରିବେଶ । ମଶାମାଛିଙ୍କ ଉପଦ୍ରବ ବଢୁଛି । ଉପଯୁକ୍ତ ଶୈଖିକ ପରିବେଶ ଅଭାବରୁ ଅନ୍ଧାର ହେବାରେ ଲାଗିଛି ପିଲାଙ୍କ ଭବିଷ୍ୟତ ।


Comments are closed, but trackbacks and pingbacks are open.