ଭଞ୍ଜନଗର, (ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ବିଡିପୁର ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ପ୍ରଭାକର ମହାପାତ୍ର ଗୁରୁବାର ବିଳମ୍ବିତ ରାତିରେ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବେଲଗୁଣ୍ଠା ନିଜ ଉଡ୍ରାସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ସେ ଗୁରୁବାର ଦିନ ସାରା ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଥିଲା । କିଛି ଦିନ ହେଲା ଆଖିକୁ ଭଲ ଦିଶୁନଥିବାରୁ ବ୍ରହ୍ମପୁର ଯାଇ ଚକ୍ଷୁ ପରୀକ୍ଷା କରିଥିଲେ । ତେବେ ତାଙ୍କର ବହୁମୁତ୍ର ରୋଗ ଥିବାରୁ ଦେହରେ ରକ୍ତ ଶର୍କରା ଅଂଶ ଅଧିକ ରହିଥିବାରୁ ଆଖିରୁ ପରଳ କାଢିବା ଏବେ ସମ୍ଭବ ନୁହ ଁବୋଲି ଡାକ୍ତର କହିଥିଲେ । ସେ ଇନ୍ସ୍ୟୁଲିନ୍ ନେଇ ରକ୍ତ ଶର୍କରା ଅଂଶ କମିଗଲା ପରେ ସପ୍ତାହକ ପରେ ଆଖିରୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇ ପାରିବବୋଲି ଡାକ୍ତର ପରାମର୍ଶ ଦେଇଥିଲେ । ଏକଥା ଭାବି ଭାଙ୍ଗି ପଡ଼ିଥିଲେ । ନିଜେ କିଛି ପଢିବା କିମ୍ବା ଖାତା ଦେଖି ଦସ୍ତଖତ କରିବାରେ ଅସୁବିଧା ହେଉଥିବାରୁ ଗୁରୁବାର କଲେଜ ପରିସରରେ ସେ ନିଜର ସହକର୍ମୀଙ୍କ ଆଗରେ ଏଭଳି କିଛି କଥା କହି ଏଭଳି ବଞ୍ଚିବା ଅପେକ୍ଷା ମରିଯିବା ଭଲ ବୋଲି କୁଆଡ଼େ କହିଥିଲେ । ତେବେ କିଛି ଅଧ୍ୟାପକ ସେ ଛୁଟିରେ ରହି ବିଶ୍ରାମ ନେବା ସହ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ । ମାନସିକ ଭାବେ ଭାରସାମ୍ୟ ହରାଇ ଅଧ୍ୟାପକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ରାତିରେ ସେ ଉଡ୍ରାସ୍ଥିତ ଘରେ କୂଅରେ ଲାଗିଥିବା ଦଉଡ଼ିକୁ ବେକରେ ବାନ୍ଧି ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।


Comments are closed, but trackbacks and pingbacks are open.