ଘର ପଛପଟୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

Get real time updates directly on you device, subscribe now.

ହାଟଡ଼ହି,(ବି.ବି.ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ କିଛି ଦିନ ହେଲା ଗୁମୁରୁ ଥିବା ଏକ ସନ୍ଦେହ ଉପରୁ ଆଜି ପରଦା ଉଠିଛି । ଏହି ଥାନାର ଅଣା ଗ୍ରାମରେ ରଜ ବେଳୁ ନିଖୋଜ ଥିବା ଜଣେ ମହିଳାଙ୍କ ଗଳିତ ଶବକୁ ଘର ପଛ ପଟ ବାଡ଼ିରେ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ । ରଜ ବେଳୁ ନିଖୋଜ ଥିବା ଗ୍ରାମର ମଧୁସ୍ମିତାଙ୍କର ଏହା ଶବ ବୋଲି ପୁଲିସ ଅନୁମାନ କରୁଛି । ଏହି ଘଟଣାରେ ପୁଲିସ କାହାକୁ ଏଯାଏଁ ଗିରଫ କରି ନଥିଲେ ମଧ୍ୟ ମୃତ ମଧୁସ୍ମିତାଙ୍କ ଶ୍ୱଶୁର ଓ ଦିଅରକୁ ପଚରାଉଚରା କରୁଛି । ଅନ୍ୟପକ୍ଷରେ ମହିଳାଙ୍କ ସ୍ୱାମୀ ଫେରାର ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।
ଗ୍ରାମର ପ୍ରାଶାନ୍ତ ମଲ୍ଲିକଙ୍କ ପୁଅ ପ୍ରଦୀପ ମଲ୍ଲିକ ନୂଆରମ୍ପାସ ଗ୍ରାମରେ ପ୍ରଥମେ ବିବାହ କରିଥିଲେ । ତେବେ ଗତ ୮ବର୍ଷ ପୂର୍ବେ ଯାତ୍ରା ପାର୍ଟିରେ କାମ କରୁଥିବା ସମୟରେ ସେ ମଧୁସ୍ମିତା ନାମକ ଜଣେ ଯୁବତୀଙ୍କୁ ଭଲ ପାଇ ଘରେ ଆଣି ରଖିଥିଲେ । ପ୍ରଥମ ସ୍ତ୍ରୀ ସହ ପ୍ରଦୀପଙ୍କ ମନାନ୍ତର ହେବାରୁ ସେ ବାପଘରକୁ ଚାଲି ଯାଇଥିଲେ । ପ୍ରଦୀପ ମଧୁସ୍ମିତାଙ୍କ ସହ ଘରେ ରହୁଥିବା ଭିତରେ ତାଙ୍କର ଗୋଟିଏ ପୁଅ ହୋଇଥିଲା ଯାହାକୁ ଏବେ ୭ବର୍ଷ ବୟସ ହେଲାଣି । କିନ୍ତୁ ଗତ କିଛି ମାସ ହେଲା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡ଼ା ଲାଗିବା ଓ ପ୍ରଦୀପ ମଧୁସ୍ମିତାଙ୍କୁ ପିଟାମରା କରୁଥିବା ଘଟଣା ପଦାକୁ ଆସିଥିଲା । ମଧୁସ୍ମିତା ଗତ ରଜ ପୁର୍ବରୁ ଥାନାରେ ଏନେଇ ଅଭିଯୋଗ କରିବାକୁ ବି ଯଇଥିଲେ । ଏହାପରଠୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଗଲା । ଏପରିକି ଗତ ରଜ ପରଠାରୁ ଆଉ ମଧୁସ୍ମିତାଙ୍କ ଖୋଜଖବର ମିଳି ନଥିଲା । ପ୍ରଦୀପ ମଧ୍ୟ ଘର ଛାଡ଼ି କେଉଁଆଡ଼େ ପଳାଇଥିଲେ । ଏଭଳି ପରିସ୍ଥିତିରେ ଦୁଇ ତିନିଦିନ ହେଲା ପ୍ରଦୀପଙ୍କ ଘର ପଛପଟୁ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିଲା । କେହି ଏ ସମ୍ପର୍କରେ ପୁଲିସକୁ ଜଣାଇ ଦେଇଥିଲେ । ଗତକାଲି ଅପରାହ୍ନରେ ନନ୍ଦିପଦା ପୁଲିସ ପ୍ରଦୀପଙ୍କ ଘରେ ପହଞ୍ଚି ତଦନ୍ତ କରିବା ସମୟରେ ଘର ପଛପଟେ କାହାକୁ ମାରି ପୋତା ଯାଇଥିବା ସନ୍ଦେହ କରିଥିଲା । ଏନେଇ ପରିବାର ଲୋକଙ୍କୁ ପଚରାଉଚୁରା କରିଥିଲା । ମାତ୍ର ପରିବାର ଲୋକେ ପୁଲିସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ରାତି ହୋଇଯିବାରୁ ପୁଲିସ ତଦନ୍ତକୁ ଅଧିକ ବାଟ ଆଗେଇ ନପାରି ଘଟଣାସ୍ଥଳରେ ରାତି ସାରା ମୁତୟନ ଥିଲେ । ଏପରିକି ମଧୁସ୍ମିତାଙ୍କ ପୁଅ ଯେତେବେଳ ମାକୁ ଖୋଜେ, ପରିବାର ଲୋକେ ସେ ଯାତ୍ରାପାର୍ଟିକୁ ପଳାଇଛି ବୋଲି କହି ବୁଝାଇ ଦେଇଥାନ୍ତି ।
ଆଜି ମଧ୍ୟାହ୍ନରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଆନନ୍ଦପୁର ଏସଡିପିଓ ଚାର୍ଜରେ ଥିବା ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ, ମାଜିଷ୍ଟ୍ରେଟ ତଥା ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ନନ୍ଦିପଦା ଥାନା ଆଇଆଇସି ମାନସ ସ୍ୱାଇଁ, ଏସ.ଆଇ ଅରୁପ ସାମଲ, କେନ୍ଦୁଝର ସାଇଣ୍ଟିଫିକ୍ ଟିମ, ଏସ.ଆଇ ସୂର୍ଯ୍ୟକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସ୍ଥାନକୁ ଖୋଳିବା ପରେ ଘର ପଛପଟରୁ ଗଳିତ ଶବ ଉଦ୍ଧାର କରିଥିଲେ । ଶବକୁ ପୋତାଯିବା ପରେ ତା’ ଉପରେ ପଥର ପକାଇ ଦିଆଯାଇଥିବା ତଦନ୍ତ ବେଳେ ଦେଖା ଯାଇଥିଲା । ଉଦ୍ଧାର ହୋଇଥିବା ଶବ ମଧୁସ୍ମିତାଙ୍କର ବୋଲି ପୁଲିସ ଅନୁମାନ କରୁଛି । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଶବ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଷ୍ପଷ୍ଟ ହେବ ବୋଲି ଏସଡିପିଓ ଶ୍ରୀ ମଲ୍ଲିକ କହିଛନ୍ତି । ପ୍ରଦୀପ ରହୁଥିବା ତାଙ୍କ ଘରେ ଚାବି ପକାଇ ଫେରାର ହୋଇଯାଇଛି । ପୁଲିସ ଏବେ ପ୍ରଦୀପଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons