ପଟ୍ଟାଙ୍ଗିରେ ମାଓବାଦୀଙ୍କ ଲଙ୍କାକାଣ୍ଡ!

Get real time updates directly on you device, subscribe now.

ପଟ୍ଟାଙ୍ଗି,(ବି.ବି.ନ୍ୟୁଜ୍): ଶୁକ୍ରବାର ବିଳମ୍ବିତ ରାତିରେ ଏକ ସରକାରୀ ମଦଭାଟିରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ପୋଡ଼ି ଦେଇଛନ୍ତି ଏକ ଜିପ୍, ବାଇକ ଓ ଜେନେରେଟର୍ । ଲଗାଇଛନ୍ତି ଲାଲ୍ ସଲାମ୍ ଥିବା ଏକ ବ୍ୟାନର୍ । ଏଥିରେ ଲେଖାଯାଇଛି ଯେ, ଭାଟି ବନ୍ଦ କରା ନଗଲେ ମୁଣ୍ଡକାଟ୍ ହେବ । ଏଭଳି ଦେଖିବାକୁ ମିଳିଛ ପଟ୍ଟାଙ୍ଗି ଡୁମୁରିଗୁଡା ଗାଁ ନିକଟ ସରକାରୀ ଦେଶୀ ମଦଭାଟିରେ । ଭାଟି ମ୍ୟାନେଜରଙ୍କ ଏତଲା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ । ଏହା ମାଓବାଦୀଙ୍କର ନା କୌଣସି ଦୁର୍ବୃତ୍ତଙ୍କ କାଣ୍ଡ, ତାହା ଜାଣିବା ଲାଗି ଆରମ୍ଭ କରିଛି ତନାଘନା ।
ଭାଟି ମ୍ୟାନେଜର ଆଦିତ୍ୟ ପ୍ରସାଦଙ୍କ କହିବା ଅନୁଯାୟୀ, ତାଙ୍କ ସହ ଭାଟିରେ କାମକରୁଥିବା ୭ ଜଣ କର୍ମଚାରୀ ଶୁକ୍ରବାର ରାତିରେ ଖାଇସାରି ଶୋଇଥିଲେ । ବିଳମ୍ବିତ ରାତିରେ କେତେକ ବ୍ୟକ୍ତି ପହଞ୍ଚି ମୁଖ୍ୟ ଫାଟକ ଖୋଲିଥିଲେ । କର୍ମଚାରୀଙ୍କ ଶୋଇବା ଘର କବାଟକୁ ବାହାର ପଟୁ ବନ୍ଦ କରିଦେଇଥିଲେ । ପରେ ଭାଟି ପରିସରରେ ଥିବା ଏକ ଜିପ୍, ଗୋଟିଏ ବାଇକ୍ ଓ ଜେନେରେଟରରେ ନିଆଁ ଲଗାଇ ଦେଇଥିଲେ । ବାହାରେ ନିଆଁ ଜଳିବା ପରେ ଶୋଇଥିବା କୋଠରୀ ଧୂଆଁ ହୋଇଯାଇଥିଲା । ଉଠି ଦେଖିବା ବେଳକୁ ବାହାର କବାଟ ବନ୍ଦ ଥିଲା । ଝରକା ଖୋଲିବାରୁ ଭାଟି ପରିସରରେ ଥିବା ଜିପ୍, ବାଇକ ଓ ଜେନେରେଟର ଜଳୁଥିବା ଦେଖିବାକୁ ମିଳିଥିଲା । ଏଥିରେ ସେ ଭୟଭୀତ ହୋଇ ପଟ୍ଟାଙ୍ଗିରେ ରହୁଥିବା ରୋଷେୟା ଓ ଜିପ୍ ଚାଳକଙ୍କୁ ଫୋନ୍ରେ ଜଣାଇଥିଲେ । ବହୁ ସମୟ ପରେ ସେମାନେ ଆସି କବାଟ ଖୋଲିଥିଲେ । ସେତେବେଳକୁ ୨ଟି ଗାଡି ଓ ଜେନେରେଟର୍ ପୋଡି ନଷ୍ଟ ହୋଇଯାଇଥିଲା । ମୁଖ୍ୟ ଫାଟକରେ ଲାଲ୍ ବ୍ୟାନର୍ ଝୁଲୁଥିଲା ।
ସୂଚନାଯୋଗ୍ୟ ଯେ, ପଟ୍ଟାଙ୍ଗି ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବିଏସଏଫ୍ ଯବାନଙ୍କ ପ୍ରାଣହାନୀ ଘଟିଛି । ୨୦୦୯ରେ କାଉଗୁଣ୍ଠା ଘାଟିରେ ମାଓବାଦୀଙ୍କ ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଥିଲେ । ୨୦୧୭ ଫେବ୍ରୁଆରୀ ପହିଲାରେ ସୁଙ୍କି ଘାଟରି ମୁଙ୍ଗାରଭୂମି ଗାଁ ନିକଟରେ ମାଓବାଦୀମାନେ ମୁଖ୍ୟରାସ୍ତାରେ ବଡ଼ ଧରଣର ବିସ୍ଫୋରଣ ଘଟାଇଥିଲେ । ଏଥିରେ କୋରାପୁଟ ସିଆରପିଏଫର ୮ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅମ୍ଫାବାଲିର ପୂର୍ବତନ ସରପଞ୍ଚଙ୍କୁ ଗଳାକାଟି ହତ୍ୟା କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିର ପୋଡାଜଳା ଘଟଣା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons