ବିଜେପି ଶସ୍ତା ରାଜନୀତି କରୁଛି: ବିଜେଡି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍କୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବା ପରେ ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି । ସ୍ୱାଧୀନତା ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ଶସ୍ତା ରାଜନୀତି ବନ୍ଦ କରୁ ବୋଲି ସେ କହିଛନ୍ତି ।
ଡ. ପାତ୍ର କହିଛନ୍ତି, ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ପାଳନ ପାଇଁ ଜାତୀୟ ନୀତି ରହିଛି । ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ ଆଧାରିତ ହେଉଥିବାବେଳେ ସ୍ୱାଧୀନତା ଦିବସ ଅଭିଭାଷଣ ଉପରେ ପର୍ଯ୍ୟବେସିତ । ସାଧାରଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଭିବାଦନ ଗ୍ରହଣ କରୁଥିବାବେଳେ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଭାଷଣ ଦେଇଥାନ୍ତି । ଠିକ୍ ସେହିପରି ଓଡ଼ିଶା ମଧ୍ୟ ଜାତୀୟ ମଡେଲ୍କୁ ଅନୁସରଣ କରିବାକୁ ଯାଉଛି । ଚଳିତବର୍ଷ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ସମାରୋହରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବେ । ରାଜ୍ୟ ବିଜେପି ବୋଧହୁଏ ଏହାକୁ ବୁଝିପାରୁନାହିଁ ।
ସେ କହିଛନ୍ତି, ଚଳିତବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ଭୂମିକା ଏବଂ ଓଡ଼ିଶାର ଅବଦାନକୁ ନେଇ ସରକାର ଏକ ବିରାଟ ପ୍ରଦର୍ଶନୀ ଆୟୋଜନ କରୁଛନ୍ତି । ତେଣୁ ସ୍ୱାଧୀନତା ଦିବସ ଉତ୍ସବ ସହ ଏହି କାର୍ଯ୍ୟକ୍ରମକୁ ଏକାଠି କରିବାକୁ ପ୍ରଦର୍ଶନୀ ପଡ଼ିଆ ସବୁଠୁ ଭଲ ସ୍ଥାନ ହେବ । ମାତ୍ର ବିଜେପି ଏହାକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ । ଅପରପକ୍ଷରେ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଦେଇଥିବା ପ୍ରସ୍ତାବକୁ ବିଜେପି ସମର୍ଥନ କରିବା ଉଚିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons