ଯୌନାଙ୍ଗ କାଟି ଯୁବକଙ୍କୁ ହତ୍ୟା :ସନ୍ଦେହରେ ୫ ଅଟକ

Get real time updates directly on you device, subscribe now.

ନୀଳଗିରି,(ବି.ବି.ନ୍ୟୁଜ୍): ନୀଳଗିରି ଥାନା ଅଧୀନ କେଶୁରା ଗାଁରେ ଶୁକ୍ରବାର ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା ପରେ ବି ପ୍ରତିଶୋଧ ପରାୟଣ ହୋଇ ସେମାନେ ତାଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି । ଘଟଣା ଜଣାପଡ଼ିବା ପରେ ଆଜି ସାରା ଅଞ୍ଚଳ ସ୍ତବ୍ଧ ହୋଇ ଯାଇଛି । ଏସ୍ପି ବି ଯୁଗଳ କିଶୋର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ପୁଲିସ ସନ୍ଦେହରେ ୫ଜଣଙ୍କୁ ଥାନାରେ ଅଟକ ରଖିଛି । ଅବୈଧ ସଂପର୍କରୁ ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ସନ୍ଦେହ କରୁଛି । ଫରେନ୍ସିକ୍ ଟିମ୍ ମଧ୍ୟ ତଦନ୍ତ ଜାରି ରଖିଛନ୍ତି ।
ମୃତ ଯୁବକ ହେଲେ ଜାମୁଡିହା ପଞ୍ଚାୟତ ଅଧିକ କେଶୁରା ଗାଁର ବିଜୟ ସିଂହ । ସେ ନୀଳଗିରିରେ ମଣପୁରମ ଗୋଲ୍ଡ ଲୋନ୍ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ଗତ ରାତିରେ ବିଜୟ ଘରେ ଏକା ଥିଲେ । ପତ୍ନୀ ଦୁଇ ଝିଅଙ୍କୁ ନେଇ ବାପଘରକୁ ଯାଇଥିଲେ । ଆଜି ସକାଳୁ ଘରୁ କେହି ପଦାକୁ ନବାହାରିବା ଦେଖି ପାଖ ପଡ଼ିଶାଙ୍କ ସନ୍ଦେହ ହୋଇଥିଲା । ସେମାନେ ଡାକିବାକୁ ଘରକୁ ଯିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଜୟଙ୍କୁ ଉଲଗ୍ନ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ନୀଳଗିରି ଆଇଆଇସି ନଳିତା ମୋଦୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ବାଲେଶ୍ୱର ଏସ୍ପି ଓ ଏସଡିପିଓ ସୁଦାମ ଚରଣ ସାହୁ ମଧ୍ୟ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ ତଦନ୍ତରେ ସନ୍ଧାନୀ କୁକୁରର ମଧ୍ୟ ସହଯୋଗ ନେଇଛି । ଘର ଭିତରେ ରକ୍ତ ପଡ଼ିଥିବା ବେଳେ ବାଡ଼ିରେ ମଧ୍ୟ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତମାନେ ବାଡ଼ ଡେଇଁ ଯାଇଥିବା ସନ୍ଦେହ କରା ଯାଉଛି । ଯେଭଳି ବୀଭତ୍ସ ଭାବେ ହତ୍ୟା କରା ଯାଇଛି, ସେଥିରୁ ଏହା ପଛରେ ପ୍ରେମ ବ୍ୟାପାର ରହିଥାଇ ପାରେ ବୋଲି ତଦନ୍ତକାରୀ ପୁଲିସ ସନ୍ଦେହ କରୁଛି । ପୁଲିସ ସନ୍ଦେହରେ ଯେଉଁମାନଙ୍କୁ ଅଟକ ରଖିଛି, ତା’ଭିତରୁ ଜଣଙ୍କୁ ଦୁଇ ହାତରେ କ୍ଷତ ଚିହ୍ନ ରହିଛି । ଏହି ଘଟଣାରେ ସେ କ୍ଷତର ସଂପର୍କ ଥାଇପାରେ ବୋଲି ପୁଲିସ ସନ୍ଦେହ କରି ପଚରା ଉଚରା କରୁଛି । ସଂପୃକ୍ତ ଯୁବକ ମଧ୍ୟ ବିଜୟଙ୍କ ପଡ଼ୋଶୀ ବୋଲି ପୁଲିସ କହିଛି । ଅନ୍ୟ ଅଟକଙ୍କ ଭିତରେ ମଣପୁରମ ସଂସ୍ଥାର କର୍ମଚାରୀ ଓ ଜଣେ ଯୁବତୀ ମଧ୍ୟ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମୃତ ବିଜୟଙ୍କ କାହା ସହ ଶତୃତା ନଥିଲା । ତେବେ କ’ଣ ପାଇଁ ଓ କିଏ ତାଙ୍କୁ ହତ୍ୟା କଲା, ସେନେଇ ଗ୍ରାମବାସୀ ତାଜୁବ ହୋଇଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଗ୍ରାମବାସୀ ତଥା ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି । ତେବେ ଏନେଇ ମୃତ ବିଜୟଙ୍କ ଶଳା ସଞ୍ଜୟ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖୁବ୍ ଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ଏସ୍ପି ବି ଯୁଗଳ କିଶୋର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons