ପୋଲାଭରମ୍ ପ୍ରକଳ୍ପ ଜିଲ୍ଲାରେ ବନ୍ୟା ପରିସ୍ଥତି ସୃଷ୍ଟି କରିଛି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍): ଆନ୍ଧ୍ର ସରକାରଙ୍କ ପୋଲାଭରମ୍ ପ୍ରକଳ୍ପ ଏବେ ଜିଲ୍ଲା ପାଇଁ ବିପଦ ପାଲଟିଛି । ଲଗାଣବର୍ଷାରେ ଚଳିତବର୍ଷ ଜିଲ୍ଲାରେ ତିନିଥର ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି । ଏହି ପ୍ରକଳ୍ପକୁ ଜିଲ୍ଲାବାସୀ ଓ ରାଜ୍ୟସରକାର ବିରୋଧ କରିଆସୁଥିଲେ ମଧ୍ୟ ଆନ୍ଧ୍ର ସରକାର ଗୁରୁତ୍ୱ ନଦେଇ ନିର୍ମାଣ କାମ ଆଗେଇ ଚାଲିଛି । ଜିଲ୍ଲା ପାଇଁ ପୋଲାଭରମ୍ ବିପଦ ଆଣିଦେଇଛି ବୋଲି ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ କହିଛନ୍ତି ।
ମାଲକାନଗିରି ଜିଲ୍ଲା ମୋଟୁ ଠାରେ ସାବେରୀ, ସିଲେରୁ ଦୁଇଟି ନଦୀ ମିଶ୍ରଣ ହୋଇଛି । ସେଠାରୁ ତୃତୀୟ ନଦୀ ଚିନାଗୋଦବରୀ ସୃଷ୍ଟିହୋଇ ଅନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ମିଶିଛି । ଆନ୍ଧ୍ରସରକାର ଗୋଦାବରୀ ନଦୀରେ ପୋଲଭରମ ପ୍ରକଳ୍ପ କରୁଥିବାରୁ ଜଳ ନିଷ୍କାସିତ ହୋଇପାରୁନାହିଁ । ଏହା ପଛକୁ ଲେଉଟି ଆସୁଛି । ଫଳରେ ସାବେରୀ ଓ ସିଲେରୁ ନଦୀ ଅବବାହିକାରେ ଥିବା ମାଲକାନଗିରି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହେବା ସହିତ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସଂସଦ ଶ୍ରୀ ମାଝୀ କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ୧୦ଦିନ ମଧ୍ୟରେ ଜିଲ୍ଲାରେ ୩ ଥର ବନ୍ୟା ପରିସ୍ଥତି ସୃଷ୍ଟି ହୋଇ ଅନେକ କ୍ଷୟକ୍ଷତି ଘଟିଛି । ମୋଟୁ, ବିନାୟକପୁର, ପେଟା, ବାରିବାଞ୍ଝା, ମୁରଲୀଗୁଡା, ପୋଲୁର, କମଳାପୁରମ୍, କଣ୍ଟାଗୁଡା, ତାଡିମେଟଲା, ଆଲମା, କୁଟନପାଲି, ନୀଳାକୋଟା, ପୁଶୁଗୁଡା ଗାଁରେ ସାବେରୀ ନଦୀର ବନ୍ୟାଜଳ ପ୍ରବେଶ କରି ନାହିଁ ନଥିବା କ୍ଷତି ଘଟାଇଛି । ଏହି ବନ୍ୟାରେ ତଟବର୍ତ୍ତୀ ଗାଁଗୁଡିକର ଅନେକ ମାଟିଘର ଭୁଶୁଡି ପଡିବା ସହିତ ଚାଷଜମିରେ ବାଲିଚର ମାଡିଯାଇଛି । ପୋଲାଭରମ୍ ପ୍ରକଳ୍ପ ହେଲେ ଜିଲ୍ଲାର ୩୫ରୁ ଅଧିକ ଗାଁ ଜଳମଗ୍ନ ହେବା ସହିତ ପ୍ରାୟ ୪୦ହଜାର ଲୋକ ବାସଚ୍ୟୁତ ହେବା ଆଶଙ୍କା ରହିଛି । ଚଳିତବର୍ଷ ବାରମ୍ବାର ବନ୍ୟା ହେବାରୁ ମୋଟୁ ଅଞ୍ଚଳରେ ପୁଣିଥରେ ପୋଲାଭରମକୁ ବିରୋଧ କରିଛନ୍ତି ଲୋକେ । ଜିଲ୍ଲାବାସୀ ପୋଲାଭରମ୍କୁ ବନ୍ଦ କରିବାକୁ ପୁଣିଥରେ ଆନ୍ଦୋଳନ କରିବେ ବୋଲି ସଜବାଜ ହେଉଛନ୍ତି । ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟୁ ଅଞ୍ଚଳରେ ଗୋପନରେ ସର୍ଭେ କରାଯାଇଥିଲା । ଜଳସମ୍ପଦ ବିଭାଗ ପକ୍ଷରୁ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଜିଲ୍ଲାର କେତେ ଗାଁ, ଚାଷଜମି ଜଳମଗ୍ନ ହେବ, ଜଙ୍ଗଲ କେତେ ନଷ୍ଟ ହେବ, କେତେ ପରିବାର ବିସ୍ଥାପିତ ହେବେ ସେନେଇ ସର୍ଭେ କରାଯାଇଥିଲା । ଏହି ଟିମ ଆନ୍ଧ୍ରପ୍ରଦେଶ ସିଲେରୁ ନଦୀର ୨୫ କିମି ଓ ଛତିଶଗଡ ରାଜ୍ୟ କୋଣ୍ଟା ଠାରୁ ସାବେରୀ ନଦୀର ୪୦ କିମି ଦୂର ଜଳପଥରେ ଓ ମୋଟୁ, ପଶୁଗୁଡା ଦୁଇଟି ପଞ୍ଚାୟତର ସ୍ଥଳପଥରେ ସର୍ଭେ କରିଥିଲେ । ଏହି ପ୍ରକଳ୍ପ ଯୋଗୁ ମୋଟୁ ତହସିଲ ଅଞ୍ଚଳ ଅଧିକ କ୍ଷତିଗସ୍ତ ହେଉଛି । ହେଲେ ଏ ନେଇ ଆଜିପର୍ଯ୍ୟନ୍ତ ପଲ୍ଲୀସଭା କିମ୍ବା ଗ୍ରାମସଭା କରାଯାଇ ନାହିଁ । ଆନ୍ଧ୍ର ସରକାର ଏକଚାଟିଆ ନୀତି ଅବଲମ୍ବନ କରି ମନଇଚ୍ଛା ପ୍ରକଳ୍ପ ନିର୍ମାଣ ଚଳାଇଥିବା ଅଞ୍ଚଳବାସୀ କହିଛନ୍ତି । ଜିଲାପ୍ରଶାସନ ପକ୍ଷରୁ କ୍ଷତିଗସ୍ତ ଅଞ୍ଚଳର ଲୋକଙ୍କୁ ନେଇ ଠିକ୍ ଭାବେ ସର୍ଭେ କରାଯିବା ସହ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମୋଟୁ ଅଞ୍ଚଳର ମୁନା ସୋଡି, ଏଡି.ଦେବା ଦାନମ, ଦାରି ଲିଙ୍ଗା, ମେନକୁଲା ରାଜୁ, ସାଲବମ ସିଙ୍ଗା, ଦାରି ଭୀମା, ଇ.ମୁଚାଲ ରାଓ,ଏମ୍ .ରାଜୁ, ମୁରଲିଗୁଡା ଗାଁର ପେଦା କାଟମ, ଜଗା, ପୁଶୁଗୁଡାର ରାବା ରାମାଙ୍କ ସହିତ ଶତାଧିକ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons