ଅଟୋ ଚକାତଳେ ଶିଶୁ ମୃତ, ଭୟରେ ବିଷ ପିଇଲା ବାଳକ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନ୍ୟୁଜ୍): କେନ୍ଦୁଝର ସଦର ଥାନା ମଇଦାନକେଲ ପଞ୍ଚାୟତ ଅନ୍ତର୍ଗତ କେରି ଗାଁରେ ଦୁଃଖଦ ଘଟଣା ଘଟିଛି । ଜଣେ ୧୫ ବର୍ଷର ବାଳକ ନିଜ ମାମୁଙ୍କ ଅଟୋ ନେଇ ଚଲାଉଥିବାବେଳେ ସେହି ଗାଁର ୩ ବର୍ଷର ଶିଶୁକୁ ବୁଲାଉଥିଲା । ହେଲେ ଶିଶୁଟି ଅଟୋରୁ ଖସି ପଡ଼ିବାରୁ ଚକା ତଳେ ତାର ପ୍ରାଣ ଚାଲି ଯାଇଛି । ଏପଟେ ୧୫ ବର୍ଷୀୟ ବାଳକ ଭୟରେ କୀଟନାଶକ ପିଇ ଗୁରୁତର ହୋଇଛି । ଏ ଘଟଣାକୁ ନେଇ ଗାଁରେ ଦୁଃଖର ଛାୟା ଖେଳିଯାଇଛି ।
ଆଜି ଅପରାହ୍ଣରେ କେରି ଗାଁର ଶୁକଦେବ ମହାନ୍ତଙ୍କ ଭଣଜା ରଞ୍ଜନ କୁମାର ମହାନ୍ତ(୧୫) ମାମୁଙ୍କ ଅଟୋ ନଂ (ଓଡି୦୬ ଏନ୍ ୫୪୯୭)କୁ ଘର ପାଖରେ ଥିବା ଏକ ଖାଲକୁ ଧୋଇବାକୁ ନେଇଥିଲେ । ଅଟୋ ଧୋଇସାରି ଫେରିବା ବେଳେ ସେହି ଗ୍ରାମର ଭାଗୀରଥି ମହାନ୍ତଙ୍କ ୩ ବର୍ଷର ଶିଶୁ ପୁତ୍ର ଗୁରୁଚରଣ ମହାନ୍ତଙ୍କୁ ଅଟୋରେ ବସାଇ ଫେରୁଥିଲା । ଅଟୋ ଚାଲୁଥିବା ଅବସ୍ଥାରେ ଅଟୋର ସାଇଡ୍ କବାଟ ଖୋଲିଯିବାରୁ ଗୁରୁଚରଣ ଅଟୋରୁ ତଳକୁ ଖସିପଡ଼ିଥିଲା । ଅଟୋ ଚକା ତା’ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା । ତାକୁ କେନ୍ଦୁଝର ଡାକ୍ତରଖାନା ଅଣାଯାଇଥିବା ବେଳେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଅଟୋରୁ ଖସିପଡ଼ି ଗୁରୁଚରଣର ମୃତ୍ୟୁ ଘଟିଥିବା ଜାଣି ଭୟରେ କୀଟନାଶକ ପିଇ ଦେଇଛି ଚଳାଉଥିବା ବାଳକ ରଞ୍ଜନ ମହାନ୍ତ । ଗୁରୁତର ଅବସ୍ଥାରେ ତାକୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଞ୍ଜନର ଅବସ୍ଥା ମଧ୍ୟ ଗୁରୁତର ରହିଛି । ସଦର ଥାନାରେ ଏନେଇ ମାମଲା ରୁଜୁ ହୋଇଥିବାବେଳେ ପୁଲିିସ ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons