ତିନି ତଲାକକୁ ବିରୋଧ :ଥାନାରେ ଅଭିଯୋଗ କଲେ ମହିଳା

Get real time updates directly on you device, subscribe now.

ଚନ୍ଦନେଶ୍ୱର,(ବି.ବି.ନ୍ୟୁଜ୍): କେନ୍ଦ୍ର ସରକାର ତିନି ତଲାକ ଉଚ୍ଛେଦ ଘୋଷଣାର କିଛି ଦିନ ପରେ ପୁଣି ଏ ବାବଦରେ ଅଭିଯୋଗ ଆସିଛି । ଗାଁରେ ବସିଥିବା ବୈଠକରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ତଲାକ, ତଲାକ, ତଲାକ କହି ପଳାଇ ଯାଇଥିଲେ । ଅପର ପକ୍ଷରେ ସ୍ତ୍ରୀ ଏହାକୁ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇର ସୁନାଧରବସାଣ ଗାଁରେ । ଭୋଗରାଇ ଥାନାରେ ଲିଖିତ ଅଭିଯୋଗ ଦେଇ ନ୍ୟାୟ ପାଇଁ ନିବେଦନ କରିଛନ୍ତି ମହିଳା ।
ଅଭିଯୋଗ ଅନୁଯାୟୀ, ୨୦୧୭ ଜୁନ୍ ୨ତାରିଖରେ ସେକ ହାଲଦାର ଅଲ୍ଲୀଙ୍କ ଝିଅ ନୀଲଫର ବିବି ସୁନାଧରବସାଣ ଗାଁର ସେକ୍ ଜାହିରଙ୍କ ପୁଅ ସେକ ସାହିରଙ୍କୁ ବିବାହ ହୋଇଥିଲେ । ଉଭୟେ ଘରୁ ଲୁଚି ପଳାଇ ଯାଇ ବାଲିଆପାଳରେ ମୁସଲିମ ଆଇନ ଅନୁସାରେ ବିବାହ ହୋଇଥିଲେ । ବିବାହ ପରେ ମହିଳାଙ୍କ ବାପା କିଛି ଯୌତୁକ ମଧ୍ୟ ପ୍ରଦାନ କରିଥିଲେ । ମାତ୍ର କିଛି ଦିନ ପରେ ସାହିର ବିଦେଶ ଯିବେ କହି ନୀଲଫରଙ୍କୁ ତାଙ୍କ ବାପାଙ୍କ ଠାରୁ ୫୦ହଜାର ଟଙ୍କା ଆଣିବାକୁ କହିଥିଲେ । ତାଙ୍କ ବାପା ଟଙ୍କା ଦେଇ ନପାରିବାରୁ ସ୍ୱାମୀଙ୍କ ସମେତ ସେକ ଜାହିର, ଦିଅର ସେକ ତସିର, ଶାଶୂ ତାହି ରୁତିନ, ଗୋସେଇଁ ଶାଶୂ ସୁରାତନ ବିବି ନୀଲଫରଙ୍କ ଉପରେ ଶାରୀରିକ ତଥା ମାନସିକ ଅତ୍ୟାଚାର କରି ଆସୁଥିଲେ । ଏପରିକି ଜୀବନରୁ ମାରି ଦେବାର ଧମକ ଦେଇ ଆସୁଥିବା ଅଭିଯୋଗ ମଧ୍ୟ ହୋଇଛି । ଅପରପକ୍ଷେ ୨୦୧୯ ଏପ୍ରିଲ ୧ରେ ଏକ ଝିଅ ପିଲା ଜନ୍ମ ହେଲା । ଏଥିରେ ସମସ୍ତ ଖର୍ଚ୍ଚ ଝିଅର ବାପା ବହନ କରିଥିଲେ । ଗତ ଜୁଲାଇ ୧୦ତାରିଖ ଦିନ ପରିବାର ଲୋକେ ନୀଲଫରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରନ୍ତି । ଉପାୟ ନପାଇ ସେ ଶିଶୁ କନ୍ୟାର ଜୀବନ ରକ୍ଷା ନିମନ୍ତେ ପିତାଙ୍କ ଘରକୁ ଚାଲି ଯାଇଥିଲେ । ୩୧ ତାରିଖ ଦିନ ମୁଖିଆ କେଫାକୁଦ୍ଦିନ ଖାଁ ସମାଧାନ ପାଇଁ ଗାଁ ବସ୍ତିରେ ଉଭୟଙ୍କୁ ଡାକି ବସାଇଥିଲେ । ସେଠାରେ ନୀଲଫର ପହଞ୍ଚିବା କ୍ଷଣି ତାଙ୍କ ସ୍ୱାମୀ ତଲାକ, ତଲାକ, ତଲାକ ୩ ତଲାକ ଦେଇ ମାଆ, ମାଆ, ମାଆ ବୋଲି କହି ପଳାଇଥିଲେ । ଏଭଳି ବେଆଇନ କାର୍ଯ୍ୟକୁ ସେ ଗ୍ରହଣ କରି ନଥିବା ପ୍ରକାଶ କରନ୍ତି । ଏ ବାବଦରେ ଉଚିତ୍ ନ୍ୟାୟ ପାଇଁ ମହିଳା ଜଣକ ଭୋଗରାଇ ଥାନର ଦ୍ୱାରସ୍ଥ ହୋଇଛନ୍ତି । ଏହାଛଡ଼ା ଶିଶୁ କନ୍ୟାର ସୁରକ୍ଷା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons