କୁଆରମୁଣ୍ଡା,(ବି.ବି.ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଝାଡଖଣ୍ଡ ସୀମଡେଗା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅରାନି ପଞ୍ଚାୟତ କାର୍ଯ୍ୟାଳୟ ପଛ ପଟେ ଥିବା କାଜୁ ବାଗାନର ଗୋଟିଏ ଗଛରେ ଦୁଇ ଜଣ ଯୁବତୀଙ୍କ ଝୁଲନ୍ତା ଶବ ପୁଲିସ୍ ଉଦ୍ଧାର କରିଛି । ମୃତକ ଦ୍ୱୟ ହେଲେ ଝାଡଖଣ୍ଡ ବାଉଁଶଯୋର ଭୁକୁମୁଣ୍ଡା ପତ୍ରାଟୋଲି ନିବାସୀ ଶ୍ରଦ୍ଧା ସୋରେଙ୍ଗ (୧୮) ଓ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଲଛଡ଼ା ଜିପିଟୋଲି ଅଞ୍ଚଳର ସୁନନ୍ଦିନୀ ବାଗେ (୨୩) । ଦୁହେଁ ହକି ଖେଳାଳି ବୋଲି ଜଣାପଡ଼ିଛି । ଏହା ଆତ୍ମହତ୍ୟା କି ହତ୍ୟା ତାହା ଅସ୍ପଷ୍ଟ ଥିବା ବେଳେ ମୃତର ଖିଅ ଖୋଜିବାରେ ଲାଗିଛି ପୁଲିସ୍ ।
ଶ୍ରଦ୍ଧାଙ୍କ ମାଆ ବିମଲା ସୋରେଙ୍ଗଙ୍କ କହିବା କଥା ହେଲା ତାଙ୍କ ଝିଅ ବୀରମିତ୍ରପୁର ସ୍ଥିତ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼େ । ଗତକାଲି ଶ୍ରଦ୍ଧା ସ୍କୁଲ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ଲୋକେ ତାଙ୍କ ସହପାଠୀ, ପାଖ ପଡୋଶୀ, ସମ୍ପର୍କୀୟ ଘରେ ଖୋଜାଖୋଜି କରି ପାଇନଥିଲେ । ଏପରିକି ସେ ସ୍କୁଲ ମଧ୍ୟ ଯାଇନଥିଲା । ସେହିପରି ସୁନନ୍ଦିନୀ ଓ ଶ୍ରଦ୍ଧା ଦୁଇ ଜଣ ବନ୍ଧୁ ଥିଲେ । ଶ୍ରଦ୍ଧାଙ୍କ ଘରକୁ ଦୁଇ ଥର ସୁନନ୍ଦିନୀ ଯାଇଥିଲେ ବୋଲି ବିମଲା ପୁଲିସ୍ ନିକଟରେ କହିଛନ୍ତି । ସୁନନ୍ଦିନୀ ଓ ଶ୍ରଦ୍ଧା ଦୁଇ ଜଣ ନିଜ ନିଜ ଗ୍ରାମରେ ହକି ଖେଳନ୍ତି ବୋଲି ଜଣାପଡ଼ିଛି । ଯେଉଁ ଗଛରୁ ଏହି ଦୁଇ ଜଣଙ୍କ ମୃତ ଦେହ ମିଳିଲା ସେଠାରେ ପୁଲିସ୍ ଦୁଇଟି ଏୟାର ବ୍ୟାଗ୍, ଭୋଟର ପରିଚୟ ପତ୍ର, ଦୁଇଟି ଫଟୋ ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି । ପ୍ଲାଷ୍ଟିକ୍ ରଶିରେ ସେମାନଙ୍କ ଶବ ଝୁଲୁଥିବା ବେଳେ ଦୁଇ ଜଣଙ୍କ ମୁହଁ କପଡ଼ାରେ ଢ଼ାଙ୍କି ହୋଇଥିଲା । ଏହି ଦୁଇ ସାଙ୍ଗ କେଉଁଠି ସାକ୍ଷାତ ହେଲେ, କିଭଳି ସେମାନେ ସୀମଡେଗା ଯାଇଥିଲେ ଓ କାଜୁ ବାଗାନରେ କିପରି ପହଞ୍ଚିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୀମଡେଗା ପୁଲିସ୍ ଏସ୍ଡିପିଓ ରାଜ କିଶୋର ସୂଚନା ଦେଇଛନ୍ତି ଯେ, ପୁଲିସ୍ର ପ୍ରାଥମିକ ତଦନ୍ତରୁ ଏହା ଏକ ଆହ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ଏପରିକି ଶ୍ରଦ୍ଧା ଓ ସୁନନ୍ଦିନୀ ଗତକାଲି ସଂଧ୍ୟାରେ ସୀମଡେଗାର ବୀର ମାର୍କେଟ୍ରେ ବୁଲାବୁଲି କରୁଥିବା କିଛି ଲୋକ ଦେଖିଥିଲେ । ଅପରପକ୍ଷରେ ମୃତ ଶ୍ରଦ୍ଧାଙ୍କ ଦାଦା ଏହା ଏକ ଆତ୍ମହତ୍ୟା ନୁହେଁ, ଏମାନଙ୍କୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ପୁଲିସ୍ ନିକଟରେ ଦାବି କରିଛନ୍ତି । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସବୁ ଦିଗକୁ ନେଇ ଅନୁସନ୍ଧାନ ଚଳାଇଛି ବୋଲି ସଦର ଥାନା ଅଧିକାରୀ ରବିନ୍ଦ୍ର ପ୍ରସାଦ ସିଂହ କହିଛନ୍ତି ।
Comments are closed, but trackbacks and pingbacks are open.