ନୟାଗଡ଼,(ବି.ବି.ନ୍ୟୁଜ୍): ଦଶପଲ୍ଲା ଡାକ୍ତରଖାନାରୁ ନୟାଗଡ଼ ଅଭିମୁଖେ ରୋଗୀଙ୍କୁ ଧରି ଆସୁଥିବା ୨ଟି ଆମ୍ବୁଲାନ୍ସ ଭିତରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ନେଇଛନ୍ତି । ଛୁଆ ଦୁଇଟି ଜନ୍ମ ହେବା ପରେ ଆମ୍ବୁଲାନ୍ସ ମହିପୁର ଡାକ୍ତରଖାନାରେ ଦୁଇ ଛୁଆ ଓ ମାକୁ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡିଛି ।
ଦଶପଲ୍ଲା ବ୍ଲକ ନେଡିସାହି କୁଟିବାରି ଗ୍ରାମର ଅଶୋକ ବେହେରାଙ୍କ ପତ୍ନୀ ସୁଲୋଚନାଙ୍କ ଆଜି ସକାଳୁ ଗର୍ଭବେଦନା ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ପ୍ରସୂତି ବିଭାଗର କେହି ଡାକ୍ତର ନଥିବାରୁ ସେମାନେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ସୁଲୋଚନାଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲାରୁ ନୟାଗଡ଼ ୫୭ନମ୍ବର ଜାତୀୟ ରାଜପଥରେ ଅଣାଯାଉଥିବା ବେଳେ ନୂଆଗାଁ ବ୍ଲକର ମାଇଛେଳି ଜଙ୍ଗଲ ରାସ୍ତାର ଆମ୍ବୁଲାନ୍ସ ଭିତରେ ସୁଲୋଚନାଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା । ପୁତ୍ର ସନ୍ତାନ ଜନ୍ମ ନେବା ପରେ ଆମ୍ବୁଲାନ୍ସ ଡ୍ରାଇଭର ମହିପୁର ଡାକ୍ତରଖାନାକୁ ନେଇ ସୁଲଚନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେହିଭଳି ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସରେ ଦଶପଲ୍ଲ ବ୍ଲକ ସୁବଳୟା ଗ୍ରାମର ତଅପୋଇ ଦାସଙ୍କୁ ପରିବାର ଲୋକେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ନେଇଥିବାବେଳେ ମାଇଛେଳି ଜଙ୍ଗଲ ରାସ୍ତାରେ ଆମ୍ବୁଲାନ୍ସ ଭିତରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ନେଇଥିଲା । ପରେ ମହିପୁର ଡାକ୍ତରଖାନାକୁ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଟରେ ଝିଅ ଜନ୍ମ ନେଇଥିବାରୁ ତା ଆଇ ଝିଅର ନାମ ବାଟୋଇ ରଖିଥିବା କହିଥିଲେ । ସେହିଭଳି ପୁଅର ନାମ ଅନୁଭବ ଦିଆଯାଇଥିବା ତାଙ୍କ ପରିବାର ଲୋକ ପ୍ରକାଶ କରିଥିଲେ । ଦଶପଲ୍ଲା ଡାକ୍ତରଖାନାରେ ଡାକ୍ତର ଅଭାବ ରହିଥିବା କାରଣରୁ ଏଭଳି ଦୁଇ ଦୁଇଟି ସନ୍ତାନ ଜଙ୍ଗଲିଆ ରାସ୍ତାର ଆମ୍ବୁଲାନ୍ସ ଭିତରେ ଜନ୍ମ ଗ୍ରହଣ କରିଥିବା ସାଧାରଣରେ କୁହାଯାଉଛି ।
Comments are closed, but trackbacks and pingbacks are open.