ଝିଅକୁ ହତ୍ୟା କଲା ବାପା!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନ୍ୟୁଜ୍): ଏରସମା ଥାନା ଗଡ଼ହରିଶପୁର ପଞ୍ଚାୟତର ଅସିଆ ଗ୍ରାମରେ ଆଜି ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜ ଘରର ପାଇଖାନା ଟାଙ୍କି ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଦାନାଦାର ଗୋଳା ତାଟିଆ ପଡ଼ି ରହିଥିବାରୁ ବିଷ ପାନ କରି ନାବାଳିକା ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ନାବାଳିକାଙ୍କ ଅଜା ଶ୍ରୀକାନ୍ତ ଦାସ ଏରସମା ଥାନାରେ ଏତଲା ଦେବା ପରେ ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି । ମୃତକ ହେଉଛନ୍ତି ସୁପ୍ରିୟା ରାଉତ(୧୬) । ତେବେ ଯୋଜନାବଦ୍ଧ ଭାବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ସୁପ୍ରିୟାଙ୍କ ମା’ ଯମୁନା ରାଉତ ପୁଲିସରେ ଅଭିଯୋଗ କରିଛନ୍ତି ।
ଯମୁନାଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ତଥା ସୁପ୍ରିୟାର ବାପା ଚିତ୍ତ ରଞ୍ଜନ ରାଉତ ହିଁ ଝିଅର ହତ୍ୟାକାରୀ । ଚିତ୍ତଙ୍କୁ ବିବାହ କରିବା ୨୦/୨୨ ବର୍ଷ ବିତିଗଲାଣି । ତିନି ଝିଅ ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର । ସ୍ୱାମୀ ଚିତ୍ତ ପେସାରେ ଟ୍ରାକ୍ଟର ଚାଳକ । ଚିତ୍ତଙ୍କ ଅନ୍ୟ ତିନି ଭାଇ ମଧ୍ୟ ଚିତ୍ତଙ୍କ ଠାରୁ ଅଲଗା । କିଛି କାରଣ ନ ଥାଇ ଚିତ୍ତ ଯମୁନାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଅନ୍ତି । ମାଡ଼ଗାଳି ସମ୍ଭାଳି ନ ହେବାରୁ କିଛି ବର୍ଷ ହେଲାଣି ନିଜର ପିଲାମାନଙ୍କୁ ଧରି ଯମୁନା ଭୁବନେଶ୍ୱର ପଳାଇ ଯାଇଥିଲେ । ସେଠାରେ ଚିଙ୍ଗୁଡ଼ି ଫାର୍ମରେ କାମ କରି ପରିବାର ଚଳାଉଥିଲେ । ଭୁବନେଶ୍ୱରରେ କଷ୍ଟେମଷ୍ଟେ ଚଳିବା ଭିତରେ ଚିତ୍ତ କୌଣସି ପ୍ରକାର ସହଯୋଗ କରୁ ନ ଥିଲେ । ଓଲଟା ଦୁର୍ନାମ କରୁଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ନିଜର ଅନ୍ୟ ଏକ ଝିଅକୁ କଟକରେ ବିବାହ ଦେଇଥିଲେ ଯମୁନା । ଏଇ ନିକଟରେ କଟକ ଝିଅ ଘରକୁ ସୁପ୍ରିୟାକୁ ଧରି ଯମୁନା ବୁଲିବାକୁ ଯାଇଥିଲେ । କିନ୍ତୁ କୌଣସିମତେ ଏହି ଖବର ଚିତ୍ତଙ୍କ କାନରେ ପଡ଼ିଯାଇଥିଲା । ସେ କଟକରେ ପହଞ୍ଚି ସୁପ୍ରିୟାକୁ ଅସିଆ ଗାଁ ଘରକୁ ନେବାକୁ ଜିଦ୍ ଧରିଥିଲେ । ହେଲେ ନେଇପାରିନଥିଲେ । ସୁପ୍ରିୟା ଓ ଯମୁନା ଭୁବନେଶ୍ୱର ଫେରି ଯାଇଥିଲେ ଏବଂ ଚିତ୍ତ ମଧ୍ୟ ଗାଁକୁ ଫେରି ଯାଇଥିଲେ ।
କିନ୍ତୁ ତିନି ଦିନ ତଳେ ସୁପ୍ରିୟା କଟକ ଭଉଣୀ ଘରକୁ ଯିବା ଭିତରେ ଚିତ୍ତ ପୁଣି ପହଞ୍ଚି ଯାଇ ସୁପ୍ରିୟାକୁ ଧରି ଅସିଆ ଘରକୁ ଆସିଥିଲେ ବୋଲି ଚିତ୍ତଙ୍କ ପତ୍ନୀ ତଥା ସୁପ୍ରିୟାର ମା’ ଯମୁନା ଅଭିଯୋଗ କରିଛନ୍ତି । ଝିଅକୁ ଘରକୁ ଆଣିବା ପରେ ହିଁ ଚିତ୍ତଙ୍କର ଉଦ୍ଦେଶ୍ୟ ଜଣାପଡ଼ିଥିଲା । ଝିଅ ଦ୍ୱାରା ଜୋର ଜବରଦସ୍ତ ଯମୁନାଙ୍କ ଭାଇ ନରୋତ୍ତମ ଦାସ ଓ ବାପା ଶ୍ରୀକାନ୍ତ ଦାସଙ୍କ ବିରୋଧରେ ଏରସମା ଥାନାରେ ଏତଲା ଦେଇଥିଲେ ଚିତ୍ତ । ଉକ୍ତ ଏତଲାରେ ଯମୁନାଙ୍କ ଭାଇ ଓ ବାପା ଗଞ୍ଜେଇ ବେପାର କରୁଥିବା ନେଇ ଚିତ୍ତଙ୍କ ଚାପରେ ଝିଅ ସୁପ୍ରିୟା ପୁଲିସରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ବଳରେ ଏରସମା ପୁଲିସ ଯମୁନାଙ୍କ ବାପା ଓ ଭାଇଙ୍କୁ ଥାନାରେ ଅଟକ ରଖିଥିଲେ । ଏହି ଖବର ପାଇ ଆଜି ଯମୁନା ତାଙ୍କ ବାପଘର ଗଡ଼ହରିଶପୁରକୁ ଆସିବା ପରେ ହିଁ ଝିଅର ମୃତ୍ୟୁ ଖବର ପାଇଥିଲେ । ତେଣୁ ଚିତ୍ତ ହିଁ ନିଜ ଝିଅର ହତ୍ୟାକାରୀ ବୋଲି ଯମୁନା ଅଭିଯୋଗ କରିଛନ୍ତି । ଗଞ୍ଜେଇ ବେପାର ମିଛ ପ୍ରମାଣିତ ହେବାର ଭୟ ଥିବାରୁ ଚିତ୍ତ ନିଜ ଝିଅକୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଥିବା ଯମୁନା ସନ୍ଦେହ କରିଛନ୍ତି । ପୁଲିସ ଆଜି ତାଙ୍କ ଏତଲା ଗ୍ରହଣ କରିଥିଲେ ସୁଦ୍ଧା ମାମଲା ରୁଜୁ କରିନଥିବା ଯମୁନା କହିଛନ୍ତି । ଏ ସଂପର୍କରେ ତିର୍ତ୍ତୋଲ ଏସ୍ଡିପିଓ ଦୀପକ ରଞ୍ଜନ ଜେନାଙ୍କ ସୂଚନା ମୁତାବକ, ଏବେ ଯାଏ ସୁପ୍ରିୟାଙ୍କ ମୃତ୍ୟୁ ପଛର କାରଣ ଉପରେ ବିଶେଷ କିଛି ଠୋସ୍ ସୁରାକ୍ ମିଳିପାରି ନାହିଁ । କିନ୍ତୁ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଅମେଳ ରହି ଆସିଥିଲା । ଯାହା ଫଳରେ ପତ୍ନୀ ଯମୁନା ନିଜ ଝିଅ ସୁପ୍ରିୟା ସହ ଅନ୍ୟ ପିଲାଙ୍କୁ ନେଇ ଅଲଗା ରହି ଆସୁଥିଲେ । ଏପଟେ ଅଭିଯୋଗକାରୀ ଅଜା ଶ୍ରୀକାନ୍ତ ଦାସ ଲିଖିତ ଭାବେ ଏହା ହତ୍ୟାକାଣ୍ଡ ବୋଲି ଜଣାଇ ନାହାନ୍ତି । ତଥାପି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ଏ ବିଷୟରେ କିଛି କୁହାଯାଇ ପାରିବ । କିନ୍ତୁ ଯମୁନାଙ୍କ ବାପା, ଭାଇଙ୍କ ନାମରେ ଗଞ୍ଜେଇ ବେପାର କରାଯାଉଥିବା ଅଭିଯୋଗ ହେବା, ଏଥିରେ ସୁପ୍ରିୟାଙ୍କୁ ଚିତ୍ତ ଛନ୍ଦିବା ଘଟଣା ଅସ୍ପଷ୍ଟ ହୋଇ ରହିଯାଇଛି । ଏରସମା ପୁଲିସ ମଧ୍ୟ ଏ ସଂପର୍କରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons