କଟକ,(ବି.ବି.ବ୍ୟୁରୋ): ସ୍ୱାଧୀନତା ଦିବସରେ ରାଜ୍ୟର କୌଣସି ସ୍ଥାନରେ ଯେପରି କିଛି ଅଘଟଣ ନହୁଏ ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଡିଜି ବିଜୟ କୁମାର ଶର୍ମା ରାଜ୍ୟ ପୁଲିସ୍ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାଧୀନତା ଦିବସ ପାଳନ ସମୟରେ ସୁରକ୍ଷାକୁ ନେଇ କି ପ୍ରକାର ପ୍ରସ୍ତୁତି କରାଯାଇଛି ଏବଂ ଆଉ କେଉଁକେଉଁ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଡିଜି ଶ୍ରୀ ଶର୍ମା ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ରାଜ୍ୟ ପୁଲିସ୍ ବାହିନୀର ବିଭିନ୍ନ ସଂସ୍ଥାର ମୁଖ୍ୟ ଅଧିକାରୀମାନଙ୍କୁ ନେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଡିଜି ଶ୍ରୀ ଶର୍ମା ପୁଲିସ କମିସନର, ଡିସିପି, ଜିଲ୍ଲାସ୍ତରରେ ଏସ୍ପି, ରେଞ୍ଜ ଡିଆଇଜି ଓ ଆଇଜିମାନଙ୍କ ସହ ଆଲୋଚନା କରିଛନ୍ତି ।
ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ସ୍ୱାଧୀନତା ଦିବସ ସମାରୋହରେ ଅଂଶ ଗ୍ରହଣ କରୁଥିବା ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥିମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ଉପରେ ପୁଲିସ୍ର ପ୍ରାଥମିକତା ରହିବ । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍ଓପି)କୁ କଡ଼ାକଡ଼ି ପାଳନ ପାଇଁ ଏସ୍ପିମାନଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମାରୋହରେ ଆୟୋଜନ ହେଉଥିବା ସ୍ଥାନ, ପରେଡ୍ରେ ଅଂଶ ଗ୍ରହଣ କରୁଥିବା ଟିମ୍, ନିମନ୍ତ୍ରିତ ଅତିଥି ଓ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ସୁରକ୍ଷା ସ୍ଥିତି ଉପରେ ମଧ୍ୟ ଡିଜି ସ୍ୱତନ୍ତ୍ର ଭାବେ ସମୀକ୍ଷା କରିଛନ୍ତି । ଗୁଇନ୍ଦା ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ସୁରକ୍ଷା ବନ୍ଦୋବସ୍ତ କରିବା ଲାଗି ଡିଜି ଶ୍ରୀ ଶର୍ମା ପୁଲିସ୍ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମାରୋହ ଆୟୋଜନ ହେଉଥିବା ସ୍ଥାନର ସୁରକ୍ଷା ସହ ପାର୍କିଂ ସ୍ଥଳ, ଟ୍ରାଫିକ୍ ପରିଚାଳନା ଓ ବିଶିଷ୍ଟ ଅତିଥିମାନଙ୍କ ଯାତାୟାତ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରିବା ଲାଗି ଡିଜି ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି । ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ପୁଲିସ୍ କମିସନର ସତ୍ୟଜିତ୍ ମହାନ୍ତି, କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ଏଡିଜି ସୁଧାଂଶୁ ଷଡ଼ଙ୍ଗୀ, ଏଡିଜି ବିନୟତୋଷ ମିଶ୍ର, ଆଇନ୍ ଶୃଙ୍ଖଳା ଏଡିଜି ସଞ୍ଜୀବ ପଣ୍ଡା, ଗୁଇନ୍ଦା ଆଇଜି ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ପି. ରଣପିସେ, ହେଡ୍କ୍ୱାର୍ଟର ଆଇଜି ଅସିତ୍ ପାଣିଗ୍ରାହୀ, ଡିଆଇଜି ସଫିନ୍ ଅହମ୍ମଦ ପ୍ରମୁଖ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Comments are closed, but trackbacks and pingbacks are open.