ସାନଖେମୁଣ୍ଡି,(ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପୋଡ଼ାମାରି ଗ୍ରାମରେ ତିନି ବର୍ଷ ତଳେ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପାଟପୁର ଥାନା ପୁଲିସ ଶିବ ପାତ୍ରଙ୍କୁ ଦୁଇ ଦିନ ତଳେ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ମଙ୍ଗଳବାର ଅପରାହ୍ନରେ ଶିବ ଶୌଚ କରିବାକୁ ଯିବାକୁ କହି ଥାନା ପରିସରରେ ଥିବା ପାଇଖାନା କାନ୍ଥରେ ମୁଣ୍ଡ ପିଟିବା ପରେ ବେକରେ ଚଦର ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଶିବଙ୍କୁ ପାଟପୁର ପୁଲିସ ଆଡ଼ପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି ।
୨୦୧୬ ମସିହାର ଏକ ହତ୍ୟା ମାମଲାରେ ଶିବ ଜଡ଼ିତ ଥିବା ଅଭିଯୋଗ ରହିଛି । ହତ୍ୟା ଘଟଣାଠାରୁ ଅଭିଯୁକ୍ତ ଫେରାର୍ ଥିଲା । ସେ ଚେନ୍ନାଇ ଚାଲି ଯାଇଥିଲା । ଗତ କିଛି ଦିନ ତଳେ ସେ ଗାଁକୁ ଫେରିଥିବା ଖବର ମିଳିଥିଲା । ଆଇଆଇସି ତାଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲେ । ଅଭିଯୁକ୍ତ ଦୋଷ ମଧ୍ୟ ସ୍ୱୀକାର କରିଥିଲା । କିନ୍ତୁ ଆଜି ଶୌଚ କରିବାକୁ ଯିବା ବାହାନାରେ ଲାଟ୍ରିନ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରୁଥିଲା । ପାଇଖାନା ଭିତରେ ପାଇପ୍ ଖୋଲି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରୁଥିଲା । କିନ୍ତୁ ପାଇଖାନା ଭିତର ପାଇପ୍ରୁ ପାଣି ଏତେ ସମୟ ଧରି ପଡ଼ୁଥିବା ଜାଣିବା ପରେ କନେଷ୍ଟବଲ୍ ସନ୍ଦେହରେ ପାଇଖାନା କବାଟ ଖୋଲିଥିଲେ । ସେତେବେଳକୁ ଅଭିଯୁକ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଉଥିବା ସମୟରେ କନେଷ୍ଟବଲ୍ ତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ଆଇପିସି ଦଫା ୩୦୯ ଅନୁସାରେ ଆଉ ଏକ ମାମଲା ରୁଜୁ ହେବ । ତା’ର ମାନସିକ ସ୍ଥିତି ଭଲ ନଥିବା ଅନୁମାନ କରାଯାଇଛି । ତେବେ କନେଷ୍ଟବଲ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଅଭିଯୁକ୍ତଙ୍କ ଜୀବନ ବଞ୍ଚି ଯାଇଥିବା ଏସ୍ଡିପିଓ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.