ସୋର,(ବି.ବି.ନ୍ୟୁଜ୍): ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ତିନି ତଳାକ ପ୍ରଥା ଉଚ୍ଛେଦ କରି ନୂଆ ଆଇନ୍ ଆଣିଲେ । ମାତ୍ର ବାଲେଶ୍ୱର ଜିଲ୍ଲାରେ ଏହି ଆଇନ୍କୁ ଫୁଃ କରୁଥିବାର ଗୋଟିଏ ପରେ ଗୋଟିଏ ଦୃଷ୍ଟାନ୍ତ ନଜରକୁ ଆସୁଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇ ପରେ ଏବେ ପୁଣି ସୋରରେ ଜଣେ ମୁସଲିମ ମହିଳା ତିନି ତଲାକ ବିରୋଧରେ ଅଭିଯୋଗ ଆଣିଛନ୍ତି ।
ମଙ୍ଗଳବାର ସୋର ବ୍ଲକ ପରିସରରେ ଆୟୋଜିତ ଜନ ଶୁଣାଣି ଶିବିରରେ ଜଣେ ମୁସଲିମ ମହିଳା ତିନି ତଲାକ ବିରୋଧରେ ଅଭିଯୋଗ ଆଣିବାରୁ ଏସପି ବି. ଯୁଗଳ କିଶୋର କୁମାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକ ଜିଲ୍ଲା ଆଗରପଡ଼ା ହରିପୁର ଗ୍ରାମର ନସିର ଖାଁଙ୍କ ଝିଅ ରେସୋ ଖାତୁନ ସୋର ମ୍ୟୁନିସିପାଲିଟି ଅଧୀନ ପଠାଣମହଲାର ସହିମ ଖାଁଙ୍କୁ ସରିୟତ୍ ଆଇନ ଅନୁସାରେ ବିବାହ ହୋଇଥିଲେ । ବିବାହ ସମୟରେ ରେସୋ ବାପା ଘରୁ ନଗଦ ୮୦ ହଜାର ଟଙ୍କା, ସୁନ ଗହଣା ଓ ଘରୋଇ ଆସବାବପତ୍ର ଆଣିଥିଲେ । ତତ୍ସହିତ ବାହାଘର ବେଳେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଭାରତ ସରକାର ତିନି ତଲାକକୁ ନିଷିଦ୍ଧ ଘୋଷଣା କରିବା ପରେ ସହିମ ରେସୋଙ୍କୁ ତିନି ତଲାକ କହି ଛାଡ଼ପତ୍ର ଦେଇଥିବାର ରେସୋ ଏସପିଙ୍କ ଠାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗପତ୍ରରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ଶ୍ୱଶୁର ଘର ପରିବାର ଶାରୀରିକ ତଥା ମାନସିକ ନିର୍ଯାତନା ଦେବାରୁ ତାଙ୍କର ଗର୍ଭସ୍ଥ ସନ୍ତାନ ନଷ୍ଟ ହୋଇଯାଇଥିଲା । ଏପରିକି ସ୍ୱାମୀ ସହିମ୍ ଅନ୍ୟ ଏକ ବିବାହ କରୁଥିବା ଯୋଜନା ଚଳାଇଛନ୍ତି । ଅନେକ ଥର ମଧ୍ୟ ଜୀବନରୁ ମାରି ଦେବା ଉଦ୍ୟମ କରିଛନ୍ତି । ଏହାକୁ ନେଇ ବସ୍ତିରେ ୨/୩ ଥର ବୈଠକ ହୋଇଛି । ହେଲେ ବସ୍ତି ସର୍ଦ୍ଦାରଙ୍କ କୌଣସି ନିଷ୍ପତ୍ତିକୁ ସ୍ୱାମୀ, ଶାଶୂ, ଶ୍ୱଶୁର ମାନିଲେ ନାହିଁ । ରହୁଥିବା ଘରକୁ ବିଦ୍ୟୁତ୍ ସଂଯୋଗ କାଟି ଦେଇଥିବାରୁ ଦୀର୍ଘ ଦିନ ଧରି ସେ ଅନ୍ଧାରରେ ରହୁଛନ୍ତି । ଗତ ୧୨ ତାରିଖ ପବିତ୍ର ଇଦ୍-ଉଲ-ଜୁହା ପର୍ବ ଉପଲକ୍ଷେ ସ୍ୱାମୀଙ୍କର ଗୋଶାଳା ନିକଟରେ ଥିବା ଫାଇବରିଂ ଦୋକାନକୁ ଯାଇ କିଛି ଟଙ୍କା ମାଗିବାରୁ ସେ ନାନାଦି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ‘ମୁଁ ତୋତେ ତିନି ତଲାକ ଦେଇ ଦେଇଛି, ପୁଣି ଟଙ୍କା ମାଗୁଛୁ’ ବୋଲି କହିଥିଲେ ।
ଏସପିଙ୍କ ଠାରୁ ଆଇଆଇସି ନିର୍ଦ୍ଦେଶ ପାଇ ତଦନ୍ତ ଆରମ୍ଭ କରିଛନ୍ତି । ଉଲ୍ଲେଖ ଯୋଗ୍ୟ, ଦୁଇ ଦିନ ପୂର୍ବରୁ ଭୋଗରାଇ ବ୍ଲକ ଅଧୀନ ସୁନାଧରବସାଣ ଗ୍ରାମରେ ଏହିଭଳି ତିନି ତଲାକ ଘଟଣା ଭୋଗରାଇ ଥାନାରେ ଅଭିଯୋଗ ହୋଇଥିଲା ।
Comments are closed, but trackbacks and pingbacks are open.