ଟଙ୍କା ପାଇଁ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା:ପିତୃହନ୍ତାକୁ ଆଜୀବନ ଜେଲ୍

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନ୍ୟୁଜ୍): ବର୍ଷେ ତଳେ ଜରପଡ଼ା ଥାନା ଜରଡ଼ା ଗ୍ରାମରେ ଘଟିଥିବା ପିତୃହତ୍ୟା ମାମଲାର ରାୟ ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍(ଭିଜିଲାନ୍ସ) କୋର୍ଟରେ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍(ଭିଜିଲାନ୍ସ) ରୂପଶ୍ରୀ ଚୌଧୁରୀ ମାମଲାର ଶୁଣାଣି କରି ଅଭିଯୁକ୍ତ ପୁଅ ନିରଞ୍ଜନ ସାହୁ(୨୫) ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ୍ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।
ସୂଚନା ମୁତାବକ, ଗତ ବର୍ଷ ମେ’ ୧୨ ତାରିଖରେ ଜରପଡ଼ା ଥାନା ଜରଡ଼ା ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଘଟଣା ଘଟିବା ଦିନ ପୁଅ ନିରଞ୍ଜନ ଘର ବାରଣ୍ଡାରେ ବସିଥିବା ବାପା କୃଷ୍ଣ ସାହୁଙ୍କୁ କିଛି ଟଙ୍କା ମାଗିଥିଲେ । ମାତ୍ର ଟଙ୍କା ଦେବାକୁ କୃଷ୍ଣ ରୋକ୍ଠୋକ୍ ମନା କରି ଦେଇଥିଲେ । ଉଭୟ ବାପା ଓ ପୁଅଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା । ପରେ କ୍ରୋଧରେ ଜର୍ଜରିତ ନିରଞ୍ଜନ ଘରୁ ଏକ ଟାଙ୍ଗିଆ ଆଣି ବାପା କୃଷ୍ଣଙ୍କ ବେକ ଓ ଜଙ୍ଘକୁ ହାଣି ପକାଇଥିଲା । ଘଟଣାସ୍ଥଳରେ କୃଷ୍ଣଙ୍କ ପ୍ରବଳ ରକ୍ତସ୍ରାବ ହୋଇଥିଲା । କୃଷ୍ଣ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ । ଏହା ଦେଖି କୃଷ୍ଣଙ୍କ ବଡ଼ପୁଅ କାଳିଆ ଓ ତାଙ୍କ ପତ୍ନୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । କଟକରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା । ଏନେଇ କୃଷ୍ଣଙ୍କ ବଡ଼ପୁଅ କାଳିଆ ଜରପଡ଼ା ଥାନାରେ ଅଭିଯୋଗ କରିଥିଲେ । ଏତଲା କ୍ରମେ ପୁଲିସ୍ ନିରଞ୍ଜନକୁ ଗରିଫ କରି କୋର୍ଟଚାଲାଣ କରିଥିଲା । ଉକ୍ତ ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍(ଭିଜିଲାନ୍ସ) ରୂପଶ୍ରୀ ଚୌଧୁରୀ ଉକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ତାପସ ରଞ୍ଜନ ମିଶ୍ର ଓ ଅଭୟ କୁମାର ଗଡ଼ନାୟକ ମାମଲା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons