ଗୁଳିମାଡ଼ରେ ସରପଞ୍ଚଙ୍କ ସ୍ୱାମୀ, ଶିକ୍ଷକ ଆହତ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନ୍ୟୁଜ୍): ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକ କୁରାଇ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଛିଡ଼ା ହୋଇଥିବା ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ଶିକ୍ଷକଙ୍କୁ ଅଜଣା ଦୁର୍ବୃତ୍ତମାନେ ଆସି ଗୁଳି କରି ଫେରାର ହୋଇ ଯାଇଛନ୍ତି । ଆହତ ଦ୍ୱୟ ସୁନ୍ଦରଗଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
ଘଟଣାରୁ ଜଣାଯାଇଛି, ବାଲିଶଙ୍କରା ବ୍ଲକ କୁରାଇ ପଞ୍ଚାୟତର ସରପଞ୍ଚ ଦୟମତୀ ପ୍ରଧାନଙ୍କ ସ୍ୱାମୀ ହୃଦାନନ୍ଦ ବାରିକ ଗତକାଲି ରାତିରେ ବୁଲିବାକୁ ଯାଇ ଫେରୁଥିଲେ । ହଠାତ୍ ବର୍ଷା ହେବାରୁ କୁରାଇ ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ସେ ଛିଡ଼ା ହୋଇଥିଲେ । ଏହି ସମୟରେ ଗଏକନପାଲି ଉଚ୍ଚ ବାଳିକା ବିଦ୍ୟାଳୟର ଶିକ୍ଷକ ରଞ୍ଜିତ ସିଂ ମଧ୍ୟ ବର୍ଷା ଯୋଗୁଁ ଆଗକୁ ଯାଇ ନପାରି ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାକୁ ଆସି ଅଟକି ରହିଥିଲେ । ହୃଦାନନ୍ଦ ଓ ରଞ୍ଜିତ କଥାବାର୍ତ୍ତା ହେଉଥିବା ସମୟରେ ସେଠାରେ ଏକ ବାଇକ୍ ପହଞ୍ଚିଲା । ବାଇକ୍ ଛାଡ଼ି ଦୁଇ/ତିନି ଜଣ ଯୁବକ ଉକ୍ତ କାର୍ଯ୍ୟାଳୟ ବାରଣ୍ଡାକୁ ଚାଲିଆସି ଛିଡ଼ା ହେଲେ । କିନ୍ତୁ କେହି କିଛି ବୁଝିବା ଆଗରୁ ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣେ ଏକ ପିସ୍ତଲ ବାହାର କରି ଶିକ୍ଷକ ଶ୍ରୀ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଗୁଳି ଶିକ୍ଷକଙ୍କ ବାମ ପେଟରେ ବାଜିଥିଲା । ଏହାଦେଖି ସରପଞ୍ଚଙ୍କ ସ୍ୱାମୀ ହୃଦାନନ୍ଦ ଶିକ୍ଷକଙ୍କୁ ଟାଣି ନେଇଯିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ପିସ୍ତଲ ଧରିଥିବା ଯୁବକ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ । ହେଲେ ଦୁଇଟି ଗୁଳି ହୃଦାନଦଙ୍କ ବାମପଟ ମୁଣ୍ଡକୁ ଛୁଇଁ ଚାଲି ଯାଇଥିଲା । ଶିକ୍ଷକ ଜଣକ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପାଖ ଘରେ ପଶି ଯାଇଥିଲେ । ହୃଦାନନ୍ଦ ନିଜ ଜୀବନ ବଞ୍ଚାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟର ପାଚେରି ଡେଇଁ ଚାଲିଯିବା ଲାଗି ଉଦ୍ୟମ କରିଥିଲେ । ଏହି ସମୟରେ ପୁଣି ହୃଦାନନ୍ଦଙ୍କ ଉପରକୁ ଗୁଳି କରାଯାଇଥିଲା । ମାତ୍ର ଗୁଳିଟି ତାଙ୍କ ଦେହରେ ବାଜି ନଥିଲା । ପାଚେରି ଡେଉଁ ଥିବା ସମୟରେ ସେ ପଡ଼ି ପଡ଼ିଯାଇ ଆହତ ହୋଇଛନ୍ତି ।
ଏହି ଘଟଣା ଭିଆଇ ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲେ । ତଲସରା ଥାନା ଅଧିକାରୀ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୁନ୍ଦରଗଡ଼ ଟାଉନ ଥାନା ଅଧିକାରୀ ବିଭ ପ୍ରଧାନ ଆହତମାନଙ୍କୁ ସୁନ୍ଦରଗଡ଼ରେ ସାକ୍ଷାତ କରିବା ପରେ ଘଟଣାସ୍ଥଳକୁ ଯାଇ ତଲସରା ଥାନା ଅଧିକାରୀଙ୍କୁ ସହଯୋଗ କରିଥିଲେ । ହୃଦାନନ୍ଦଙ୍କ କହିବା ଅନୁସାରେ ତିନିଜଣ ଯୁବକ ବାଇକ୍ ଆସିଥିଲେ । ଜଣେ ବାଇକ୍ରେ ବସିଥିବା ବେଳେ ଦୁଇଜଣ ତାଙ୍କ ପାଖକୁ ଆସି ଗୁଳି କରିଥିଲେ । ଗୁଳି କରିଥିବା ଯୁବକ ଦ୍ୱୟ ମୁହଁରେ ରୁମାଲ ବାନ୍ଧି ଥିଲେ । ଶିକ୍ଷକ ଶ୍ରୀ ସିଂଙ୍କ ଡାହାଣ ପେଟରେ ଗୁଳି ରହିଥିବା ଜଣାପଡ଼ିବା ପରେ ଅପରେସନ ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇ ଥିବା ଖବର ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons