ପୁରୀ,(ବି.ବି.ନ୍ୟୁଜ୍): ସ୍ନାନ ପୂର୍ଣ୍ଣିମାକୁ ଆଖିରେ ରଖି ଚାଲିଛି ରଥ ନିର୍ମାଣ । ଚାରି ନାହାକା ତିଆରିରେ ଲାଗିଛନ୍ତି ବିଶ୍ୱକର୍ମା । ଚାରି ନାହାକା ରଥରେ ଲାଗିଲେ ରଥର ଉପର ଅଂଶ ନିର୍ମାଣ ହେବ । ଚକ-ଅଖ ଉପରେ ଦଣ୍ଡା ରହିବ । ତା’ ଉପରେ ଗରଗରା । ଚାରି ନାହାକା ରହିବ ଗରଗରା ଉପରେ । ଗରଗରାରେ ବିନ୍ଧ ହୋଇଛି । ନାହାକାରେ ସାଲ ହୋଇ ଗରଗରାରେ ଭୁଞ୍ଜାଯିବ । ସ୍ନାନ ପୂର୍ଣ୍ଣିମାରେ ରଥରେ ଉଠିବ ଚାରି ନାହାକା । ରଥ ନିର୍ମାଣ ପରମ୍ପରା ରକ୍ଷା ପାଇଁ ନିର୍ମାଣକାରୀମାନେ ତତ୍ପର ହୋଇଛନ୍ତି । ଅଖରେ ମେଣ୍ଢି ଲଗାଯାଇଛି ।
ଦଣ୍ଡା ଫ୍ରେମ୍ ଖୋଲିବା ପରେ ଅଖକୁ ଯିବା ପୂର୍ବରୁ କଳସା କରାଯାଇ ଦଣ୍ଡା ଗୁଡିକର ତ୍ରୁଟି ସୁଦାରି ନିଆଯାଇଛି । ଗତକାଲିଠାରୁ ରଥର ଚକ ଅଖ ଥାକ କରାଯାଇଥିଲା । ଚକର ଦୁଇପଟେ ବନ୍ଧ ରଖାଯାଇ ଥୟ କରାଯାଇଥିଲା । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି ଆଜି ଅଖ ତଳେ ମେଣ୍ଢି ଲଗାଯାଇଛି । ଏହାଦ୍ୱାରା ଅଖ ଉପରେ ଓଜନଦାର କାମ କରିବା ବିପଦମୁକ୍ତ ହୋଇଥାଏ । ରଥ ନିର୍ମାଣ ସରିଲେ ମେଣ୍ଢି ହଟିବ । ରଥର ସଂପୂର୍ଣ୍ଣ ଭାର ଅଖମାନଙ୍କ ଉପରେ ରହିବ । ଦଣ୍ଡା କାମଠାରୁ ଆରମ୍ଭ କରି ରଥର କଳସ ପର୍ଯ୍ୟନ୍ତ ସବୁ କାମର ଓଜନ ଅଖଗୁଡ଼ିକ ସାମ୍ଭାଳିବ । ପୁଣି ନିର୍ମାଣକାରୀମାନେ ଉପରେ ଚଢ଼ି ରଥ ଗଢ଼ିବେ । ଏଣୁ ରଥ ନିର୍ମାଣ ସମୟରେ ଏହି ମେଣ୍ଢିଗୁଡ଼ିକ ଅଖକୁ ଦମ୍ଭ ଦିଏ । ସିଂହଦ୍ୱାରକୁ ରଥ ଯିବା ପୂର୍ବରୁ ଏହି ମେଣ୍ଢିଗୁଡ଼ିକୁ ହଟାଇ ଦିଆଯିବ ।
ଦୋଳବେଦିଠାରେ ଓଝାସେବକମାନେ ଦଣ୍ଡାବିଡ଼ିଆ କଣ୍ଟା, ଘଡ଼ିମୁହଁ କଣ୍ଟା ଓ ପୋଖରୀଆ କଣ୍ଟା ପ୍ରସ୍ତୁତ କରି ରଖିଛନ୍ତି । ବିଶ୍ୱକର୍ମାମାନେ ନିର୍ଦ୍ଦେଶ ଦେଲେ କମାର ସେବକମାନେ ରଥରେ ଏସବୁକୁ ପିଟିବେ । ରଥଖଳାରେ ରୂପକାରମାନେ ରଥ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । କରତି ସେବକମାନଙ୍କୁ ଭୋଇସେବକମାନେ ଗୟଳ କାଠ ଯୋଗାଇଛନ୍ତି । କରତି ସେବକମାନେ ରଥର ଗୟଳ ଚିରଟରେ ଲାଗିଛନ୍ତି ।
Comments are closed, but trackbacks and pingbacks are open.