ଛେଣ୍ଡିପଦା,(ବି.ବି.ନ୍ୟୁଜ୍): ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ଥାନା କତଡ଼ା ନିକଟରେ ଶୁକ୍ରବାର ଅପରାହ୍ଣରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମୃତ ବସ୍ଯାତ୍ରୀ ନାରାୟଣ ସ୍ୱାଇଁ ଓ ତାଙ୍କ ତାଙ୍କ ଘର ଆଠମଲ୍ଲିକରେ ବୋଲି ଜଣାପଡ଼ିଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୂତାବକ, ସବୁ ଦିନ ଭଳି ‘ସୁଲୁ’ ନାମକ ଏହି ଘରୋଇ ବସ (ଓଆର୧୯ଏମ୍୫୫୭୪) ଆଠମଲ୍ଲିକରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଅପରାହ୍ଣ ୩ଟା ବେଳେ କତଡ଼ା ଠାରେ ରାସ୍ତା ତଳକୁ ଓଲଟି ପଡ଼ିଥିଲ । ବସ୍ଟି ନାରାୟଣଙ୍କ ଉପରେ ମାଡି ବସିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ବସ୍ରେ ଥିବା ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ସ୍ଥାନୀୟ ଲୋକ ଗୁରୁତର ଥିବା ୧୦ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ଜରପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିଥିବା ବେଳେ ବସ୍ ଚାଳକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.