ନବରଙ୍ଗପୁର,(ବି.ବି.ନ୍ୟୁଜ୍): ଏତଲାର ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ । ୧ ଲକ୍ଷ ୯ ହଜାର ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ର ସ୍ପେଶାଲ ସ୍କ୍ୱାଡ୍ ହାତରେ ଗିରଫ ହୋଇଛନ୍ତି ୪ ଲୁଟେରା । ସେମାନେ ହେଲେ ସିନ୍ଧିଗୁଡା ଗାଁର କୃତ୍ତିବାସ ହରିଜନ, କୃଷ୍ଣ ବିଷୋୟୀ, ଭାଟିଗାଁର ମଦନ ଭତ୍ରା ଓ କୁକୁଡାବାଈ ଗାଁର ଉମାଶଙ୍କର ଯୋଶୀ । ଉମାଶଙ୍କର ହେଉଛି ଲୁଟେରା ଗ୍ୟାଙ୍ଗର କିଙ୍ଗପିନ୍ । ଗିରଫ ଲୁଟେରାମାନଙ୍କ ପାଖରୁ ୧ ଲକ୍ଷ ଟଙ୍କା , ଗୋଟିଏ ପିସ୍ତଲ, ଗୋଟିଏ ମେଗାଜିନ୍, ଗୋଟିଏ ଗୁଳି, ୨ଟି ମୋବାଇଲ, ୨ଟି ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି । ଅନ୍ୟ ୪ଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି । ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫଡ଼ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ପି ନୀତିନ କୁଶଲକର । ସୁରକ୍ଷା ଦୃଷ୍ଟିକୋଣରୁ ଅଭିଯୋଗକାରୀଙ୍କ ନାଁ ପ୍ରକାଶ କରିନି ପୁଲିସ୍ । ସବୁଠୁ ବଡ଼ କଥା ହେଲା, ମୁଖ୍ୟ ଅଭିଯୁକ୍ତ ଉମାଶଙ୍କର ୮ ମାସ ତଳେ ନନ୍ଦାହାଣ୍ଡିର ବିଜେଡି ନେତା ସୁନୀଲ ସାହୁ ଅପହରଣ ଘଟଣାରେ ଜେଲ୍ରୁ ଜାମିନରେ ଆସିଥିଲା । ଏହାପରେ ଜଣେ ଆଇନଜୀବୀଙ୍କୁ ବନ୍ଧୁକ ଦେଖାଇ ଏହି ୧ଲକ୍ଷ ଟଙ୍କା ୯ହଜାର ଟଙ୍କା ଓ ବାଇକ୍ ଲୁଟି ନେଇଥିଲା ।
ଏସ୍ପିଙ୍କ ସୂଚନା ଅନୁଯାୟୀ, ଏହା ହେଉଛି ଗତ ୪ ତାରିଖର ଘଟଣା । ନବରଙ୍ଗପୁର ଥାନା ବି. ମାଳିଗୁଡାର ଜଣେ ଆଇନଜୀବୀଙ୍କ ବାଇକ୍କୁ ତାଙ୍କ ଚାଷ ଜମି ନିକଟରୁ ଉମାଶଙ୍କର ସମେତ ୩ ଜଣ ଲୁଟି ନେଇଥିଲେ । ଏହାପରେ ଆଇନଜୀବୀଙ୍କୁ ଫୋନ କରିଥିଲା ଉମାଶଙ୍କର । ବାଇକ୍ ନେବା ଲାଗି ସିନ୍ଧିଗୁଡା ଗାଁ ନିକଟ ଆମ୍ବତୋଟାକୁ ଯିବାଲାଗି କହିଥିଲା । ଏହାପରେ ଆଇନଜୀବୀ ଗାଁର ୨ ଜଣ ଲୋକଙ୍କ ସହ ମିଶି ସିନ୍ଧିଗୁଡା ଆମ୍ବତୋଟାରେ ପହଞ୍ଚିଥିଲେ । ସେଠାରେ ଉମାଶଙ୍କରଙ୍କ ସମେତ ୮ଜଣ ରହିଥିଲେ । ଆଇନଜୀବୀ ସେଠାରେ ପହଞ୍ଚିବା କ୍ଷଣି ଉମାଶଙ୍କର ପ୍ରଥମେ ୨ ରାଉଣ୍ଡ ଗୁଳି ଫୁଟାଇଥିଲା । ଆଇନଜୀବୀଙ୍କ ଛାତି ଉପରେ ବନ୍ଧୁକ ରଖି ୩ ଲକ୍ଷ ଟଙ୍କା ଦାବି କରିଥିଲା । ନହେଲେ ବିଜେଡି ନେତା ସୁନୀଲ ସାହୁଙ୍କୁ ଯେମିତି ଅପହରଣ କରାଯାଇଥିଲା, ସେମିତି କରାଯିବ ବୋଲି ଧମକ ଦେଇଥିଲା । ଭୟଭୀତ ହୋଇ ଆଇନଜୀବୀ ଟଙ୍କା ଦେବାକୁ ରାଜି ହୋଇଥିଲେ । ୫ ତାରିଖ ଦିନ ଉମାଶଙ୍କରଙ୍କୁ ଆଇନଜୀବୀ ୧ ଲକ୍ଷ ୯ହଜାର ଟଙ୍କା ଦେଇଥିଲେ । ବଳକା ପରେ ଦେବେ ବୋଲି କହିଥିଲେ । ଟଙ୍କା ନେବା ପରେ ଉମାଶଙ୍କର ବାଇକ୍ ଆଉ ଫେରାଇନଥିଲା । ସେହି ଦିନରୁ ଆଇନଜୀବୀଙ୍କୁ ବଳକା ଟଙ୍କା ପାଇଁ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଫୋନ୍ରେ ଧମକ ପରେ ଧମକ ଆସୁଥିଲା । ଶେଷରେ ଅଗଷ୍ଟ ୧୬ ତାରିଖ ଶୁକ୍ରବାର ଦିନ ୧୧ଟା ବେଳେ ଆଇନଜୀବୀ ଜଣଙ୍କ ଏ ସଂପର୍କରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୁଲିସ୍ ପ୍ରଥମେ ସୁନୀଲ ସାହୁ ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଉମାଶଙ୍କର ସମେତ ୩ ଜଣଙ୍କୁ ରାତିରେ ଉଠାଇ ଆଣିଥିଲା । ଉମାଶଙ୍କର ପାଖରୁ ୧ଲକ୍ଷ ଟଙ୍କା ଜବତ କରିଥିଲା । ବଳକା ୯ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିବା ସ୍ୱୀକାର କରିଥିଲା ଉମାଶଙ୍କର । ତା ପାଖରୁ ବଳକା ତଥ୍ୟ ଯୋଗାଡ଼ କରି ପୁଲିସ୍ ଅନ୍ୟ ୩ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ଏଭଳି ସଫଳତା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ରେ ଥିବା ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ସାଇବର ସେଲ୍ର ରମେଶ ବେହେରା, ରାଧାକାନ୍ତ ବାରିକ, ଦେବଦତ୍ତ ମଲ୍ଲିକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଏସ୍ପି ।
Comments are closed, but trackbacks and pingbacks are open.