ଧରାକୋଟ,(ବି.ବି.ନ୍ୟୁଜ୍): ପୁଣି ଅଜଣା ଜନ୍ତୁ ମାତିଛି । ଧରାକୋଟ ବ୍ଲକ ଡଉଗାଁ ପଞ୍ଚାୟତ ବାହାଡାଗୁଡ଼ାରେ ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୩୫ ଛେଳିଙ୍କ ମୃତ୍ୟୁ ହୋଇଛି । ମାତ୍ର ୬ ଦିନ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାରେ ଅଜଣା ଜନ୍ତୁ ଆକ୍ରମଣର ଏ ହେଉଛି ଦ୍ୱିତୀୟ ଘଟଣା ।
ବାହାଡ଼ାଗୁଡ଼ା ଗ୍ରାମର ଭଗବାନ ଗୌଡ଼ଙ୍କ ଦୁଇ ପୁଅ ଗଙ୍ଗା ଓ ଅଶୋକ ଗାଁ ନିକଟସ୍ଥ ପାହାଡ଼ରେ ପାଶ୍ୱର୍ରେ ଗୁହାଳ କରି ଛେଳି ରଖି ଆସୁଛନ୍ତି । ଶୁକ୍ରବାର ଦୁଇ ଭାଇ ଛେଳିପଲ ଗୁହାଳରେ ବାନ୍ଧି ଘରେ ବସିଥିଲେ । ସନ୍ଧ୍ୟାରେ ଛେଳି ବୋବାଇବା ଶୁଣି ଗୁହାଳ ନିକଟକୁ ଦୌଡ଼ିଥିଲେ । ସେଠାରେ ପ୍ରାୟ ୩୫ଟି ଛେଳି କ୍ଷକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ । ଏନେଇ ଧରାକୋଟ ସହକାରୀ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ । ଛେଳି ମଡ଼କ ଦେଖିବା ପରେ ସେମାନଙ୍କର ମୃତଦେହ ବ୍ୟବଚ୍ଛେଦ କରିଥିଲେ । ଶନିବାର ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ବନମାଳୀ ସାହୁ, ଢଉଗାଁ ରାଜସ୍ୱ ନିରୀକ୍ଷକ ଶ୍ରୀକାନ୍ତ ରଥ, ଭିଏଏସ୍ ମାନସ ରଞ୍ଜନ ପୋଲାଇ ପରିଦର୍ଶନ କରି ରାଜସ୍ୱ ବିଭାଗ ସହାୟତାରେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବା କହିଛନ୍ତି । ଏ ସମ୍ପର୍କରେ ତହସିଲଦାର ଗଦାଧର ପାତ୍ରଙ୍କୁ ପଚାରିବାରେ ତଦନ୍ତ କରାଯାଇ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି । ଦୁଇ ଭାଇ ୩୫ ଛେଳି ହରାଇ ବୃତ୍ତି ଉଜୁଡ଼ି ଯାଇଥିବା ନେଇ କହିଛନ୍ତି । ପ୍ରଶାସନ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।
ସୂଚନାଥାଉ କି, ଗତ ୧୦ ତାରିଖରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳର କୁପାଟି ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ଗୋଟିଏ ଛେଳି ଅଧାଅଧି ଖାଇଦେଇଥିଲା । ବନ ବିଭାଗ ପକ୍ଷରୁ ଅଜଣା ଜନ୍ତୁଙ୍କୁ ଧରିବା ପାଇଁ ଜନ୍ତା ପକାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ ।
Comments are closed, but trackbacks and pingbacks are open.