ଆଉ ଶୁଭୁନି ଘୋରଣା ଚକିର ଶବ୍ଦ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନ୍ୟୁଜ୍): ମଣିଷର ଶ୍ରମ ଓ ସମୟକୁ କମ କରିବା ପାଇଁ ଏକଦା ପଥରଚକିର ଉଦ୍ଭାବନ କରାଯାଇଥିଲା । ଆଧୁନିକ ସଭ୍ୟତା ଯେତେ ଆଗକୁ ବଢିଲା, ଦେଶୀ ତଥା ହାତନିର୍ମିତ ପାରମ୍ପରିକ ଯନ୍ତ୍ରଗୁଡିକ କାଳର କରାଳଗର୍ଭରେ ହଜିବାକୁ ବସିଲା । ଗାଁ ଗହଳରେ ପ୍ରତିଦିନ ଶୁଭୁଥିବା ଘୋରଣା ଚକିର ଶବ୍ଦ ଆଉ ସେତେଟା ଶୁଭୁନାହିଁ । ଦୁଇଟି ପଥର ଚକିର ସରୁ କଣା ଦେଇ ମାଣ୍ଡିଆ, ଗହମ ହେଉ କି ଡାଲି ପେଶିବା କାମ ଏବେ ବିଦ୍ୟୁତଚାଳିତ ଗ୍ରାଇଣ୍ଡିଂ ମେସିନ୍ରେ କରାଯାଉଛି । ତଥାପି ଅଞ୍ଚଳର ଆଦିବାସୀ ଗାଁଗୁଡିକରେ ଏବେ ବି ଘୋରଣା ଚକିର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି ।
କେଉଁ ପ୍ରସ୍ତର ଯୁଗରୁ ସ୍ଥାନୀୟ ଆଦିବାସୀ ଘୋରଣା ଚକି ବ୍ୟବହାର କରିଆସୁଛନ୍ତି । ପାହାନ୍ତିଆରୁ ଘରର ମହିଳାମାନେ ଉଠି ଘୋରାଣାରେ ମାଣ୍ଡିଆ, ଡାଲି, ହରଡ, ମୁଗ, ବିରି ଆଦି ଶସ୍ୟକୁ ପେଷି ଚୁନା କରୁଛନ୍ତି । ପ୍ରାୟ ପ୍ରତ୍ୟେକ ଘରେ ଏବେ ବି ଏହାକୁ ବ୍ୟବହାର କରାଯାଉଛି । ଦୁଇଟି ଚକ୍ରାକାର ପଥରରେ ଏହି ଯନ୍ତ୍ର ତିଆରି କରାଯାଇଥିବା ବେଳେ ତଳଟିର କେନ୍ଦ୍ରରେ ଥିବା କଣାରେ ଗୋଟିଏ କାଠ ଖୁଣ୍ଟ ଲଗାଯାଇଥାଏ । ଏହାର ଉପରେ ଥିବା ଚକିର ମଧ୍ୟଭାଗରେ ଏକ ବଡ କଣା କରାଯାଇଥାଏ । ଏହି କଣା ଦେଇ ଶସ୍ୟ ପୁରାଇ ଉପରଚକିର ଗୋଟିଏ ପାଶ୍ୱର୍ରେ ଥିବା ଲମ୍ବା କାଠିକୁ ହାତରେ ଘୂରାଇଲେ ପେଷିବା କାର୍ଯ୍ୟ ଆରମ୍ଭ ହୁଏ । ଘୋରଣାଚକି ସାହାଯ୍ୟରେ ଡାଲି, ହରଡ, ମୁଗ, କାନ୍ଦୁଲ, ବିରିରୁ ଚୋପା ଛଡାଯାଉଥିବା ବେଳେ ମାଣ୍ଡିଆକୁ ଚୁନା ମଧ୍ୟ କରାଯାଇଥାଏ । ଘୂରୁଣା ପରିଶ୍ରମପୂର୍ଣ୍ଣ କାମ ହୋଇଥିବା ବେଳେ ଏହାକୁ ଘରର ମହିଳାମାନେ ଆଜିପର୍ଯ୍ୟନ୍ତ କରିଆସୁଛନ୍ତି । ଏକଦା ଏହି ପଥରର ଯନ୍ତ୍ର ଘରର ମର୍ଯ୍ୟାଦା ବଢାଉଥିଲା ବୋଲି ତୋହରା ଗ୍ରାମବାସୀ କହିଛନ୍ତି । ଶସ୍ୟ ପେଷିବା କାମକୁ ଗାଁର ମହିଳାମାନେ ଆଉ ଆଗପରି ପସନ୍ଦ କରୁ ନଥିବା ସେମାନେ କହିଛନ୍ତି । ମିକ୍ସଚର ଗ୍ରାଇଣ୍ଡର୍ କିମ୍ବା ଗାଁ ନିକଟ କଳକୁ ଶସ୍ୟ ପେଷିବାକୁ ନିଆଯାଉଛି । ଏଥିରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ସମୟ ସାପେକ୍ଷ ସହ କଷ୍ଟସାଧ୍ୟ ହେଉଥିବାରୁ ଗୃହିଣୀମାନେ ଘୋରଣା ବ୍ୟବହାର ପ୍ରତି କମ୍ ଆଗ୍ରହ ଦେଖାଉଛନ୍ତି । ଦିନ ଆସିବ ଘୋରଣାଯନ୍ତ୍ର କେବଳ ମ୍ୟୁଜିୟମ୍ରେ ଶୋଭାପାଇବ ବୋଲି ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons