ମାଲକାନଗିରି,(ବି.ବି.ନ୍ୟୁଜ୍): ଆଦିବାସୀ ଗାଁଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଭଳି ମୌଳକି ସୁବିଧା ଯୋଗାଇବା, ମଦ ଓ ଜୁଆ ଖେଳ ବନ୍ଦ କରିବା ନେଇ ମାଓବାଦୀ ସଂଗଠନ ଗୁରୁତ୍ୱ ଦେଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଓରାପଦର ଓ ଯୋଡାଆମ୍ବ ଗାଁର ଘଞ୍ଚଜଙ୍ଗଲରେ ଆୟୋଜିତ ମାଓବାଦୀଙ୍କ ପ୍ରଜାମେଳିରେ ଏଭଳି ଆଲୋଚନା କରାଯାଇଥିବା ଜଣାପଡିଛି । ଏହି ସଭାରେ ଆଖପାଖ ଗାଁର ପ୍ରାୟ ଶତାଧିକ ଲୋକଙ୍କୁ ଡାକିଥିଲେ ମାଓବାଦୀ ।
ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଦୁର୍ଗମ ଗାଁରେ ଗତ ଦୁଇଦିନ ହେଲା ମାଓବାଦୀମାନେ ପ୍ରଜାମେଳି କରିଥିଲେ । ପ୍ରଜା ମେଳିରେ କୌଣସି ସରାକରୀ କର୍ମଚାରୀ କିମ୍ବା ପୁଲିସ ବିରୋଧରେ ସ୍ୱର ଉତ୍ତୋଳନ କରିନଥିଲେ । ଆଦିବାସୀ ଗାଁରେ କାର୍ଯ୍ୟ କରୁଥିବା ଶିକ୍ଷକ, ଅଙ୍ଗନବାଡିକର୍ମୀଙ୍କୁ ଡକାଯାଇଥିଲା । କର୍ମଚାରୀଙ୍କୁ ସେମାନଙ୍କ କାମ ଠିକ୍ ଭାବେ କରିବା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପ୍ରତି ଅଧିକ ଗୁରୁତ୍ୱ ଦେବାପାଇଁ ଚେତାବନୀ ଦିଆଯାଇଥିଲା । ସ୍ୱାଭିମାନ ଅଞ୍ଚଳର ମାଓ ନେତା ସୁନିଲଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରଜାମେଳିରେ ବିଛିନ୍ନାଞ୍ଚଳ ସହ କୋରୁକୁଣ୍ଡା ଦଳମ୍ର ମାଓନେତା, ଆନ୍ଧ୍ର-ଓଡିଶାର ବରିଷ୍ଠ ମାଓନେତାମାନେ ଯୋଗ ଦେଇଥିଲେ । ଆଦିବାସୀଙ୍କ ଉନ୍ନତି ବଦଳରେ ସେମାନଙ୍କୁ ଶୋଷଣ କରାଯାଉଛି । ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ, ଜିବୀକା ନିର୍ବାହ, ପାନୀୟଜଳ ଭଳି ମୌଳିକସୁବିଧାରୁ ବଞ୍ଚତ ହେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା । ଗୁପ୍ତ ଭାବେ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରଜାମେଳି କରାଯାଇଥିବାରୁ ବିଏସଏଫ୍ ଯବାନ କିମ୍ବା ପୁଲିସ ଟେର ପାଇ ନଥିଲା । ଏହି ପ୍ରଜାମେଳିରେ ଓଡିଶା, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ରାଜ୍ୟ ସୀମାବର୍ତ୍ତୀ ଗାଁରୁ ହଜାରେରୁ ଅଧିକ ପୁରୁଷ ମହିଳା, ଯୁବକ, ଯୁବତୀ ଯୋଗଦେଇଥିଲେ । ମେଳିରେ ମହିଳାଙ୍କ ସଂଖ୍ୟା ଅଧିକ ରହିଥିଲା । ଏବେ ମାଓବାଦୀମାନେ ଯୁବକଙ୍କ ବଦଳରେ ଅଧିକ ଯୁବତୀ ଓ ମହିଳାଙ୍କୁ ସଂଗଠନରେ ସାମିଲ କରିବା ପାଇଁ ବିଭିନ୍ନ ଗାଁରେ ସମାବେଶ କରୁଥିବା ଜଣାପଡିଛି ।
Comments are closed, but trackbacks and pingbacks are open.