ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶାସକ ବିଜୁ ଜନତା ଦଳ ସହ ବିରୋଧୀ ବିଜେପି ଓ କଂଗ୍ରେସର ସାଂଗଠନିକ ପୁନର୍ବିନ୍ୟାସ ହେବ । ଏଥିପାଇଁ ପ୍ରସ୍ତୁତି ଆଗକୁ ବଢ଼ିଛି । ବିଜୁ ଜନତା ଦଳର ୩୬ ଜଣ ଦ୍ୱିତୀୟ ଧାଡ଼ିର ନେତାଙ୍କୁ ଥଇଥାନ କରିବା ପରେ ଦଳର ସଭାପତି ଦଳର ଛାମୁଆଁ ସଂଗଠନରେ ପରିବର୍ତ୍ତନ କରି ନୂଆ ମଙ୍ଗୁଆଳ ନିଯୁକ୍ତି କରିବେ ବୋଲି ସୂଚନା ମିଳୁଛି । ସେହିଭଳି କଂଗ୍ରେସ ଓ ବିଜେପିରେ ମଧ୍ୟ ନୂଆ ରାଜ୍ୟ ସଭାପତି ନିଯୁକ୍ତି ପାଇବେ । ସେମାନେ ନିଜର ନୂଆ ଟିମ୍ ମଧ୍ୟ ଗଢ଼ିବେ । ସାଂଗଠନିକ ପରିବର୍ତ୍ତନରେ କିଏ ନୂଆ ଟିମ୍ରେ ସାମିଲ ହେବେ ଆଉ କିଏ ବାଦ୍ ପଡ଼ିବେ ତାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା ।
ସାଧାରଣ ନିର୍ବାଚନ ପରେ ରାଜ୍ୟ ରାଜନୀତିର ଚିତ୍ର ବଦଳିଛି । ପିସିସି ସଭାପତି ପଦରେ ରହିବାକୁ ସଭାପତି ନିରଞ୍ଜନ ପ;ନାୟକ ଅନିଛା ପ୍ରକାଶ କରି ଏଆଇସିସିକୁ ଇସ୍ତଫା ପତ୍ର ପଠାଇଥିବା ଚର୍ଚ୍ଚା ହେଉଛି । ମାତ୍ର ଏଯାଏ ଇସ୍ତଫାପତ୍ର ଏଆଇସିସି ଗ୍ରହଣ କରିନି । ଆଗକୁ ରାଜ୍ୟ କଂଗ୍ରେସର ନବକଳେବର ହେବ ବୋଲି ଆଲୋଚନା ଜୋର ଧରିଛି । ଏଥର ପିସିସି ମଙ୍ଗ କିଏ ଧରିବ ତାକୁ ନେଇ ସସପେନସ୍ ଜାରି ରହିଛି । ଏପରିକି ଦଳର ବହୁ ହେଭିୱେଟ୍ ନିରଞ୍ଜନ ପିସିସି ଦାୟିତ୍ୱରେ ରହନ୍ତୁ ବୋଲି ମତ ରଖୁଛନ୍ତି । ନିରଞ୍ଜନ ପିସିସି ମଙ୍ଗ ଯଦି ଛାଡ଼ନ୍ତି କିଏ ନୂଆ ମଙ୍ଗ ଧରିବେ ଏବଂ ନୂଆ ଟିମରେ କିଏ ସ୍ଥାନ ପାଇବେ ତାକୁ ନେଇ କଂଗ୍ରେସ କ୍ୟାମ୍ପରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସେହିଭଳି ବିଜେପିରେ ମଧ୍ୟ ନୂଆ ମଙ୍ଗୁଆଳ ନିଯୁକ୍ତି ନିଶ୍ଚିତ । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ପୂରିଥିଲା ବେଳେ ସେ ଲୋକସଭାକୁ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି । ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ଦଳରେ ନୂଆ ସଭାପତି ନିଯୁକ୍ତି ପାଇବେ । ଏହାଛଡ଼ା ଦଳର ଛାମୁଆ ସଂଗଠନଗୁଡ଼ିକରେ ମଧ୍ୟ ନୂଆ ନିଯୁକ୍ତି ଦିଆଯିବ । ଦଳର ନୂଆ ସଭାପତି କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆଗଧାଡ଼ିର ଅନ୍ୟ ସଂଗଠନଗୁଡ଼ିକରେ ମଧ୍ୟ ନିଯୁକ୍ତି ପାଇବାକୁ ଲବି ରାଜନୀତି ତେଜିଛି । ରଂଜନ ପଟେଲଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଏବଂ ସୁଦୀପ୍ତ ରାୟଙ୍କୁ ସହ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂ ଏ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ଦଳ ଏବେ ପୂରା ଦମରେ ସଭ୍ୟ ସଂଗ୍ରହ ଅଭିଯାନରେ ମାତିଥିଲା ବେଳେ ଆଗକୁ ସାଂଗଠନିକ ନବଳେକବର ହେବ ।
ବିଜେଡିରେ ମଧ୍ୟ ସାଂଗଠନିକ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଛି । ଦଳର ସଭାପତି ନବୀନ ପ;ନାୟକ ଇତିମଧ୍ୟରେ ୩୬ ଜଣ ଦଳୀୟ ନେତାଙ୍କୁ ସରକାରୀ ନିଗମ ସହ ବିଭିନ୍ନ ପଦ ପଦବିରେ ଥଇଥାନ କରିଛନ୍ତି । ଆଗକୁ ଦଳରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ହେବ । ଏଥିପାଇଁ ଇତିମଧ୍ୟରେ କସରତ ଆରମ୍ଭ ହୋଇଛି । ପ୍ରବୀଣ-ନବୀନ ନେତାଙ୍କ ମଧ୍ୟରେ ସମତୁଲ ରକ୍ଷା କରି ସାଂଗଠନିକ ନିଯୁକ୍ତି ଦେବାକୁ ଜୋର ଦିଆଯାଉଛି । ଦଳର ଛାମୁଆଁ ସଂଗଠନରେ ମଧ୍ୟ ନୂଆ ନିଯୁକ୍ତି ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି । ଦଳର ସଭାପତି ବଦଳିବାର ନଥିଲେ ମଧ୍ୟ ଅନ୍ୟ ପଦବିରେ ନୂଆ ନିଯୁକ୍ତି କରିବାକୁ ନବୀନ ମନ ସ୍ଥିର କରିଥିବା କୁହାଯାଉଛି ।
Comments are closed, but trackbacks and pingbacks are open.