ଜଗତସିଂହପୁର,(ବି.ବି.ନ୍ୟୁଜ୍): ସେନା ନିଯୁକ୍ତି ରାଲିରେ ନକଲି ପରୀକ୍ଷାର୍ଥୀ ଧରାପଡ଼ିବା ଘଟଣା ପାରାଦୀପରେ ହଇଚଇ ସୃଷ୍ଟି କରିଛି । ଜଣେ କି ଦୁଇଜଣ ନୁହେଁ ଏକାସାଙ୍ଗରେ ୭ ଜଣ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି । ସମସ୍ତଙ୍କ ଘର ଉତ୍ତରପ୍ରଦେଶ ଅଞ୍ଚଳରେ । ବାସସ୍ଥାନ ପ୍ରମାଣପତ୍ର ଯାଞ୍ଚ ବେଳେ ଉଭୟ ସେନା ଅଧିକାରୀ ଓ ପୁଲିସର ସ୍କାନରକୁ ଆସିଛନ୍ତି ଏହି ୭ ଜଣ ପରୀକ୍ଷାର୍ଥୀ । ପୁଲିସ ସମସ୍ତଙ୍କୁ ଅଟକ ରଖି ଖୋଳତାଡ଼ ଆରମ୍ଭ କରିଛି ।
ନକଲି ପରୀକ୍ଷାର୍ଥୀମାନେ ହେଉଛନ୍ତି ଉତ୍ତରପ୍ରଦେଶ ଗାଜିପୁରର ଆଗମନ୍ ସିଂହ (୧୯), ସୁଗ୍ରୀମ କୁମାର (୧୯), ବାଲିଆ ବୈରୀର ଅଖିଳେଶ କୁମାର ତିୱାରୀ (୨୨), ବାଲିଆ ନରହିର ରାହୁଲ କୁମାର ଯାଦବ, ଶିବ ଶଙ୍କର ଯାଦବ, ବୈରିୟାର ଗୁଡ଼ୁ ସିଂହ ଓ ଆଜାଦ୍ କୁମାର ତିୱାରୀ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀଙ୍କ ଏତଲା ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି ପଚରାଉଚରା କରୁଛି । ପ୍ରାଥମିକ ଯାଞ୍ଚ ବେଳେ ଏମାନଙ୍କଠାରୁ ନୟାଗଡ଼ ଜିଲ୍ଲାର ନକଲି ବାସସ୍ଥାନ ପ୍ରମାଣପତ୍ର ଜବତ କରାଯାଇଛି । ଏସବୁ ଜାଲ୍ ବାସସ୍ଥାନ ପ୍ରମାଣପତ୍ର ହୋଇଥିବାବେଳେ ଏହାର ଚେର ବିହାରର ପାଟନା ପର୍ଯ୍ୟନ୍ତ ଲମ୍ବିଥିବା ଛାନ୍ଭିନ୍ରୁ ଜଣାପଡ଼ିଛି । ପାଟ୍ନାର ଜଣେ ବ୍ୟକ୍ତି ୨୫ ହଜାର ଲେଖାଏଁ ଟଙ୍କା ନେଇ ଏସବୁ ଜାଲ୍ ବାସସ୍ଥାନ ପ୍ରମାଣପତ୍ର ଏହି ପରୀକ୍ଷାର୍ଥୀମାନଙ୍କୁ ଦେଇଥିବା ସାମ୍ନାକୁ ଆସିଛି ।
ପ୍ରାପ୍ତ ଖବର ମୁତାବକ, ପାରାଦୀପ ଗୋପବନ୍ଧୁ ଷ୍ଟାଡ଼ିୟମରେ ଆଜିଠାରୁ ସୈନ୍ୟବାହିନୀ ନିଯୁକ୍ତି ରାଲି ଆରମ୍ଭ ହୋଇଛି, ଯାହା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ରାଲିରେ ଉପକୂଳ ଓଡ଼ିଶାର ୧୦ଟି ଜିଲ୍ଲା ଯଥା କଟକ, ଯାଜପୁର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଭଦ୍ରକର ଇଚ୍ଛୁକ ପ୍ରାର୍ଥୀମାନେ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ ନିଯୁକ୍ତି ରାଲିରେ ସୋଲ୍ଜର୍ କ୍ଲରିକାଲ୍, ସୋଲଜର ଟେକ୍ନିକାଲ୍, ସୋଲଜର ଜେନେରାଲ ଡ୍ୟୁଟି, ସୋଲଜର ଟ୍ରେଡ୍ସମ୍ୟାନ ପଦବି ପାଇଁ ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେଉଛି । ଆଜି ଭୋର୍ରୁ ପରୀକ୍ଷାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଉଥିଲା । ଏହି ସମୟରେ ପରୀକ୍ଷାର୍ଥୀ ଆଗମନ ସିଂହଙ୍କ ବାସସ୍ଥାନ ପ୍ରମାଣପତ୍ର ତନଖି ବେଳେ ସନ୍ଦେହ ଉପୁଜିଥିଲା । ଆଗମନ ନିଜକୁ ନୟାଗଡ଼ର ବାସିନ୍ଦା ବୋଲି ପ୍ରମାଣପତ୍ର ଦାଖଲ କରିଥିଲେ । କିନ୍ତୁ ଉକ୍ତ ପ୍ରମାଣପତ୍ରର ବାର୍ କୋଡ଼୍କୁ ଯାଞ୍ଚ କରିବା ପରେ ଏହା ଦୀପ୍ତି ରଞ୍ଜନ ସାମନ୍ତରାୟଙ୍କ ନାମରେ ବାହାରିଥିଲା । ତୁରନ୍ତ ସେନା ଅଧିକାରୀ ଓ ପୁଲିସ ମିଳିତ ଭାବେ ଏ ଦିଗ ଉପରେ ଅଧିକ ଖୋଳତାଡ଼ କରି ଅନ୍ୟ କିଛି ପରୀକ୍ଷାର୍ଥୀଙ୍କ ବାସସ୍ଥାନ ପ୍ରମାଣପତ୍ର ଯାଞ୍ଚ ତ୍ୱରାନ୍ୱିତ କରିଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଉତ୍ତରପ୍ରଦେଶର ଅନ୍ୟ ୬ ଜଣ ପରୀକ୍ଷାର୍ଥୀଙ୍କ ବାସସ୍ଥାନ ପ୍ରମାଣପତ୍ର ନକଲି ଥିବା କଥା ପରେ ପରେ ସାମ୍ନାକୁ ଆସିଥିଲା । ନକଲି ପ୍ରମାଣପତ୍ରଗୁଡ଼ିକ ନୟାଗଡ଼ରୁ ହିଁ ଇସ୍ୟୁ କରାଯାଇଥିବା ଜଣାପଡ଼ିବା ପରେ ପୁଲିସ ଖୋଳତାଡ଼ ଜୋର୍ଦାର କରିଛି । ତେବେ ଅଟକ ନକଲି ପରୀକ୍ଷାର୍ଥୀଙ୍କୁ ଜେରା ପରେ ସେମାନେ ଏସବୁ ବିହାରର ପାଟ୍ନାରୁ ସଂଗ୍ରହ କରିଥିବା ମାନି ଯାଇଥିଲେ । ଜଣେ ବ୍ୟକ୍ତି ୨୫ ହଜାର ଲେଖାଏଁ ଅର୍ଥ ନେବା ପରେ ପ୍ରତ୍ୟେକଙ୍କୁ ଏଭଳି ଗୋଟିଏ ଗୋଟିଏ ବାସସ୍ଥାନ ପ୍ରମାଣପତ୍ର ଯୋଗାଇ ଦେଇଥିବା ପୁଲିସ ନିକଟରେ ସମସ୍ତେ ସ୍ୱୀକାର କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି ।
ପାରାଦୀପ ଥାନା ଅଧିକାରୀ ରଜନୀକାନ୍ତ ସାମଲଙ୍କ ସୂଚନା ମୁତାବକ, ଅଟକ ୭ ଜଣ ପରୀକ୍ଷାର୍ଥୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ସବୁ ଉତ୍ତରପ୍ରଦେଶରେ ହୋଇଥିବା ବେଳେ ବାସସ୍ଥାନ ପ୍ରମାଣପତ୍ର ନୟାଗଡ଼ର ହୋଇଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା । ଛାନ୍ଭିନ୍ ପରେ ସାତୋଟି ନକଲି ବାସସ୍ଥାନ ପ୍ରମାଣପତ୍ର ଜବତ ହୋଇଥିଲା । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ତପନ କୁମାର ସ୍ୱାଇଁଙ୍କ ଏତଲା ଉପରେ ପାରାଦୀପ ଥାନାରେ ଏ ନେଇ ଏକ ମାମଲା ରୁଜୁ କରାଯାଇଛି । ଏହି ଏତଲା ବଳରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ତେବେ ନକଲି ବାସସ୍ଥାନ ପ୍ରମାଣପତ୍ର କେବଳ ନୟାଗଡ଼ ତହସିଲ୍ ନାମରେ କ’ଣ ପାଇଁ ଇସ୍ୟୁ କରାଯାଇଥିଲା ତାହା ଏବେ ସନ୍ଦେହର ପରିଧିକୁ ଆସିଛି । ଏହାଛଡ଼ା ପ୍ରଶ୍ନ ମଧ୍ୟ ଉଠିଛି କି ପୂର୍ବରୁ ଏହିଭଳି ଉପାୟରେ କ’ଣ ରାଜ୍ୟ ବାହାରର କୌଣସି ପରୀକ୍ଷାର୍ଥୀ ଚାକିରି ହାତେଇ ନେଇଛନ୍ତି? ଏହା ପଛରେ କୌଣସି ଏକ ସ୍ୱତନ୍ତ୍ର ର୍ୟାକେଟ୍ କାମ କରୁଛି କି? କେବଳ ବିହାର ପାଟ୍ନାର ଲୋକ ନା ଓଡ଼ିଶାର କେହି ଦଲାଲ୍ ଜାଲ୍ ବାସସ୍ଥାନ ପ୍ରମାଣପତ୍ର ପ୍ରଦାନରେ ସଂପୃକ୍ତ? ଏସବୁ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସେନାବାହିନୀ ନିଯୁକ୍ତି ରାଲିରେ ଆଗକୁ ଅଧିକ ସତର୍କତା ମୂଳକ ପଦକ୍ଷେପ ନିଆଯିବା ଜରୁରି ହୋଇପଡ଼ିଛି ବୋଲି ମତ ପ୍ରକାଶ ପାଉଛି ।


Comments are closed, but trackbacks and pingbacks are open.